ଭୁବନେଶ୍ୱର, ୦୮/୧୧ : ଡିଜିଟାଲ ଆରେଷ୍ଟର ଭୟ ଦେଖାଇ ବରିଷ୍ଠ ନାଗରିକଙ୍କ ଠାରୁ ଦେଢ କୋଟି ଲୁଟ୍। ଭୁବନେଶ୍ଵର ସହିଦ୍‌ନଗର ଥାନା ଅଞ୍ଚଳରେ ଘଟିଛି ଏଭଳି ଘଟଣା। ଏନେଇ ୬୮ ବର୍ଷୀୟ ବୃଦ୍ଧ ଜଣଙ୍କ କ୍ରାଇମ୍‌ବ୍ରାଞ୍ଚର ସାଇବର କ୍ରାଇମ୍‌ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ପୁଲିସ୍‌ କେସ୍‌ ନଂ-୩୭/୨୫ ରୁଜୁ କରି ତଦନ୍ତ ଆରମ୍ଭ କରିଛି । 

ସୂଚନାନୁଯାୟୀ, ସାଇବର୍ ଲୁଟ୍‌ର ଶିକାର ହୋଇଥିବା ବୃଦ୍ଧ ଜଣଙ୍କ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌ ଥିଲେ । ସେ କିଛି ଦିନତଳେ ଜଣେ ଯୁବତୀଙ୍କ ସହ ଭିଡିଓ କଲ୍‌ରେ କଥା ହୋଇଥିଲେ । ଏହି ସମୟରେ ଯୁବତୀ ଜଣଙ୍କ ସ୍କ୍ରିନ୍‌ ରେକର୍ଡିଂ କରିଥିଲେ । ଗତ ସପ୍ତାହରେ ସମ୍ପୃକ୍ତ ବରିଷ୍ଠ ନାଗରିକଙ୍କୁ ଏକ ଅଜଣା ନମ୍ବରରେ ଭିଡିଓ କଲ୍‌ ଆସିଥିଲା । ଫୋନ୍‌ କରିଥିବା ବ୍ୟକ୍ତି ଜଣଙ୍କ ମୁମ୍ବାଇ କ୍ରାଇମ୍‌ବ୍ରାଞ୍ଚର ଅଧିକାରୀ ବୋଲି ପରିଚୟ ଦେଇଥିଲେ । କହିଥିଲେ ତୁମେ ଯେଉଁ ଯୁବତୀ ସହ ଭିଡିଓ କଲ୍‌ରେ ଚାଟିଂ କରୁଥିଲ ତାଙ୍କୁ ଆମେ ଗିରଫ କରିଛୁ । ସେ ନିଶା ବେପାର କରିବା ସହ ଇଣ୍ଟରନ୍ୟାସ୍‌ନାଲ ଅପରାଧୀଙ୍କ ସହ ମିଶି ଦେଶର ବିଭିନ୍ନ ରାଜ୍ୟକୁ ବେଆଇନ୍‌ ଅସ୍ତ୍ରଶସ୍ତ୍ର ଯୋଗାଇବାକୁ ଡିଲ୍‌ କରିଛନ୍ତି । ତାଙ୍କଠାରୁ ତମ ବିଷୟରେ କିଛି ତଥ୍ୟ ମିଳିଛି । ଏମିତି କି ତୁମର କିଛି ଅଶ୍ଳୀଳ ଫଟୋ ଓ ଭିଡିଓ ଆମ ପାଖରେ ରହିଛି । ଏହାକୁ ପ୍ରଥମେ ବରିଷ୍ଠ ନାଗରିକ ଜଣଙ୍କ ବିଶ୍ୱାସ କରିନଥିଲେ। ତେଣୁ ସାଇବର ଅପରାଧୀ ଜଣଙ୍କ ଏକ ହାଜତ ଦେଖାଇଥିଲେ । ଉକ୍ତ ହାଜତ ଭିତରେ ଯୁବତୀ ଜଣଙ୍କ ବସିଥିଲେ । ଏହା ଦେଖି ବରିଷ୍ଠ ନାଗରିକ ଜଣଙ୍କ ଡରିଯାଇଥିଲେ । ସାଇବର ଠାକ ଜଣଙ୍କ କହିଥିଲେ, ଆମେ ତୁମକୁ ଡିଜିଟାଲ୍‌ ଆରେଷ୍ଟ କରିଛୁ । ତୁମେ ଫୋନ୍‌ କାଟି ପାରିବନାହିଁ । ଆମେ ଲୋକାଲ ସାଇବର ପୁଲିସ୍‌କୁ ଜଣାଇ ଦେଇଛୁ । ସେମାନେ ତମ ଘରକୁ ଯାଉଛନ୍ତି । ଏହା ଶୁଣି ବରିଷ୍ଠ ନାଗରିକ ଜଣଙ୍କ ଲୋକ ଲଜ୍ଜ୍ୟା ଭୟରେ ସଫେଇ ଦେବା ଆରମ୍ଭ କରିଥିଲେ । ସାଇବର ଠକମାନେ ତାଙ୍କୁ ବେଲ୍‌ ହେବା ସହ ଫାଇନ୍‌ ଦେବାକୁ ପଡ଼ିବ ବୋଲି କହିଥିଲେ । ତା’ଛଡା କିଛି ସିନିୟର ଅଫିସରଙ୍କ ମୁହଁ ବନ୍ଦ କରିବାକୁ ଲାଞ୍ଚ ଦେବାକୁ କହିଥିଲେ । 

ବୃଦ୍ଧ ଜଣଙ୍କ ପ୍ରଥମେ ଫାଇନ୍‌ ବାବଦରେ ୨୦ ଲକ୍ଷ, ସୁପ୍ରିମ୍‌କୋର୍ଟରୁ ବେଲ୍‌ ବାବଦକୁ ୧୩ ଲକ୍ଷ, ଇଣ୍ଟରନ୍ୟାସନାଲ୍‌ କୋର୍ଟରୁ ବେଲ୍‌ ପାଇଁ ୩୦ ଲକ୍ଷ, ଅଫିସ୍‌ର ଲାଞ୍ଚ ବାବଦକୁ ୨୦ ଲକ୍ଷ ଓ ଯୁବତୀଙ୍କ ବେଲ୍‌ ବାବଦକୁ ୨୭ ଲକ୍ଷ ଟଙ୍କା ଦେଇଥିଲେ । ଏମିତି ବିଭିନ୍ନ ପର୍ଯ୍ୟାୟରେ ୧ କୋଟି ୫୫ ଲକ୍ଷ ଟଙ୍କା ସାଇବର ଅପରାଧୀମାନେ ନେଇଥିଲେ । ବୃଦ୍ଧ ଜଣଙ୍କ ୩ ଦିନ ଡିଜିଟାଲ୍‌ ଆରେଷ୍ଟ ହୋଇ ଏ ସବୁ ଟଙ୍କା ଦେଇଥିଲେ । ଗୋଟିଏ ଆକାଉଣ୍ଟରେ ଥିବା ସବୁ ଟଙ୍କା ସରିବା ପରେ ସାଇବର ଅପରାଧୀମାନେ ପୁଣି ଟଙ୍କା ମାଗିଥିଲେ । ଦେଢ଼ କୋଟି ଗଲା ପରେ ବୃଦ୍ଧଙ୍କ ଚେତା ପଶିଥିଲା । ସେ ଘଟଣା ବିଷୟରେ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ । ସେତେବେଳକୁ ସାଇବର ଅପରାଧୀମାନେ ଉକ୍ତ ଫୋନ୍‌ ନମ୍ବର ବନ୍ଦ କରି ସାରିଥିଲେ । କିଛି ଉପାୟ ନ ପାଇ ବରିଷ୍ଠ ନାଗରିକ ଜଣଙ୍କ ଭିଏସ୍‌ଏସ୍‌ ନଗରରେ ଥିବା ସାଇବର ଥାନାକୁ ଯାଇଥିଲେ । ଦେଢ଼ କୋଟି ଠକେଇ କଥା ସୁଣିବା ପରେ ସାଇବର ଥାନା ଏସିପି ତାଙ୍କୁ ବୁଝାସୁଝା କରି କ୍ରାଇମ୍‌ବ୍ରାଞ୍ଚର ସାଇବର କ୍ରାଇମ୍‌ ଥାନାକୁ ପଠାଇ ଦେଇଥିଲେ । ସାଇବର କ୍ରାଇମ୍‌ ଥାନା ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ସାଇବର ଥାନା ପୁଲିସ ପ୍ରାୟ ୧୨ ଲକ୍ଷ ଟଙ୍କା ଫ୍ରିଜ କରିଥିବା କହିଛି। ସଚେତନତା ଅଭାବରୁ ବୃଦ୍ଧ ଜଣଙ୍କ ସାଇବର ଅପରାଧୀଙ୍କ ଶିକାର ହୋଇଥିବା ପ୍ରାଥମିକ ତଦନ୍ତରୁ ପୁଲିସ୍‌ ଜାଣିବାକୁ ପାଇଛି ।