ଭୁବନେଶ୍ଵର, ୨୯/୯ : ଚପଳ ବୟସରେ ହୋଇଥିଲା ବାହାଘର... ସଂସାର କ’ଣ ବୁଝିବା ଆଗରୁ ପଡ଼ିଗଲା ହାତଗଣ୍ଠି। ଖେଳକୁଦ ବୟସରେ ପାଦରେ ପଡ଼ିଗଲା ବେଡ଼ି। ହେଲେ ତାଙ୍କୁ ଅଟକାଇ ପାରିନଥିଲା ସ୍ଵାମୀର ଆକଟ। ବାନ୍ଧି ପାରିନଥିଲା ସଂସାର ଜଞ୍ଜାଳ କି ସମାଜର ବେଡ଼ି। ସେ ହାରି ନଥିଲେ କି ଅଟକି ଯାଇନଥିଲେ... ସବୁ ଶିକୁଳି ଛିଣ୍ଡାଇ ଛାଡ଼ପତ୍ର ନେଇଥିବା ସେ ହେଉଛନ୍ତି ଭାରତର ପ୍ରଥମ ବାଳିକା ବଧୂ। ସାମାଜିକ କୁସଂସ୍କାରରେ ଜର୍ଜରିତ ପରାଧୀନ ଭାରତରେ, ମହିଳାଙ୍କ ହକ୍ ପାଇଁ ଲଢେଇ କରିଥିବା ଜଣେ ସାହାସୀ ମହିଳା। ଯାହାଙ୍କ ପାଇଁ ଢାଲ ହୋଇଥିଲେ ରାଣୀ ଭିକ୍ଟୋରିଆ। ଆମେ କହୁଛୁ ଭାରତର ପ୍ରଥମ ପ୍ରାଟିସିଂ ମହିଳା ଡାକ୍ତର ଋକ୍ମାବାଈ ରାଉତଙ୍କ କଥା...

୧୮୬୪ ନଭେମ୍ଵର ୨୨... ମୁମ୍ଵାଇରେ ଜନ୍ମ ଗ୍ରହଣ କରିଥିଲେ ଋକ୍ମାବାଈ ରାଉତ। ମାତ୍ର ୨ ବର୍ଷ ବୟସରେ ତାଙ୍କ ପିତାଙ୍କ ଦେହାନ୍ତ ହୋଇଥିଲା। ସମାଜର ବିରୋଧରେ ଯାଇ ମା' ଜୟନ୍ତୀବାଈ ଦ୍ଵିତୀୟ ବିବାହ କଲେ। ଏହାପରେ ମାତ୍ର ୧୧ ବର୍ଷ ବୟସରେ ଦାଦାଜି ଭିକାଜିଙ୍କ ସହ ଋକ୍ମାବାଈଙ୍କ ବାଲ୍ୟ ବିବାହ କରିଦିଆଗଲା। ହେଲେ ଝିଅ ନାବାଳିକା ଥିବାରୁ ମା' ଓ ସାବତ ପିତା ତାଙ୍କୁ ଶାଶୁ ଘରକୁ ନପଠାଇ ପାଠ ପଢାଇବାକୁ ଲାଗିଲେ। ବିବାହର ୧୦ ବର୍ଷ ପରେ ମଧ୍ୟ ସେ ଶାଶୁଘରକୁ ଯାଇ ନଥିଲେ। କମ୍ ବୟସରେ ଋକ୍ମାବାଈ ମା' ହୁଅନ୍ତୁ ବୋଲି ତାଙ୍କ ପିତା ଚାହୁଁ ନଥିଲେ। ୧୮୮୪ ବେଳକୁ ଋକ୍ମାବାଈଙ୍କୁ ୨୦ ବର୍ଷ ହୋଇସାରିଥିଲା। ଦୀର୍ଘ ଦିନ ଅପେକ୍ଷା କରିବା ପରେ ସ୍ଵାମୀ ଦାଦାଜି ଭିକାଜି ତାଙ୍କ ବୈବାହିକ ଅଧିକାର ଜାହିର କଲେ। ହେଲେ ଚପଳ ବୟସରେ ହୋଇଥିବା ଏହି ବିବାହକୁ ମାନିବାକୁ ସେ ମନା କରିଦେଲେ। ଏହାପରେ ଭିକାଜି ତାଙ୍କ ନାମରେ କେସ୍ କଲେ। ବହୁ ବିଚାର ବିମର୍ଶ ପରେ କୋର୍ଟ ରାୟ ଶୁଣାଇଲେ। ଋକ୍ମାବାଈ ଶାଶୁଘରକୁ ନଫେରିଲେ ୬ ମାସର ଜେଲଦଣ୍ଡ ମିଳିବ ବୋଲି କୋର୍ଟ କହିଲେ। ଋକ୍ମାବାଈ ବି ଶାଶୁଘରକୁ ଯିବା ପରିବର୍ତ୍ତେ ଜେଲ ଯିବାକୁ ବାଛି ନେଇଥିଲେ। ଧୀରେ ଧୀରେ ଏହି କେସ୍ ଚର୍ଚ୍ଚାର ବିଷୟ ପାଲଟିଲା।

ଋକ୍ମାବାଈ କ୍ଵିନ୍ ଭିକ୍ଟୋରିଆଙ୍କୁ ଏକ ପତ୍ର ଲେଖିଲେ। ବାଲ୍ୟକାଳରେ ହୋଇଥିବା ଏହି ବିବାହରୁ ମୁକ୍ତି ଦେବାକୁ ଅପିଲ୍ କରିଥିଲେ। ଏହି ଚିଠି ତାଙ୍କ ଭାଗ୍ୟ ବଦଳାଇ ଦେଲା। କ୍ଵିନ୍ ଭିକ୍ଟୋରିଆ ଜଜଙ୍କ ନିଷ୍ପତ୍ତିକୁ ଖାରଜ କରି ପୁନର୍ବିଚାର କରିବାକୁ ନିର୍ଦ୍ଦେଶ ଦେଲେ। ଏଥର ରାୟ ଋକ୍ମାବାଈଙ୍କ ସପକ୍ଷରେ ଆସିଲା। ଭିକାଜିଙ୍କୁ ୨ ହଜାର ଟଙ୍କା କ୍ଷତିପୂରଣ ଦେବା ପରେ ତାଙ୍କୁ ଏହି ଅନିଚ୍ଛା ବିବାହରୁ ମୁକ୍ତି ମିଳିଗଲା। ଏହା ପରାଧୀନ ଭାରତରେ ଏକ ଐତିହାସିକ କେସ୍ ପାଲଟିଲା। ଏହି କେସ୍ ଭାରତର ପ୍ରଥମ ଛାଡ଼ପତ୍ର ମାମଲା ଭାବରେ ପଞ୍ଜିକୃତ ହେଲା। 

ପିଲାଟି ଦିନୁ ଋକ୍ମାବାଈ ଭଲ ପାଠ ପଢୁଥିଲେ। ତାଙ୍କ ବାପାଙ୍କ ଭଳି ଜଣେ ଡାକ୍ତର ହେବାକୁ ସ୍ଵପ୍ନ ଦେଖୁଥିଲେ। ୧୮୮୯ରେ ସେ ଲଣ୍ଡନ ସ୍କୁଲ ଅଫ ମେଡିସିନ ଫର ୱିମେନରେ ପାଠ ପଢିଲେ। ଭାରତ ଫେରିବା ପରେ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଲା। ଏସବୁକୁ ଖାତିର ନକରି ସେ ସମାଜ ସୁଧାର ଦିଗରେ ପାଦ ଆଗକୁ ବଢାଇଲେ। ମୁମ୍ଵାଇ ଓ ସୁରଟର ହସ୍ପିଟାଲରେ କାମ କରିବା ଆରମ୍ଭ କଲେ। ଏହାପରେ ରାଜକୋଟ ଓ ସୁରେନ୍ଦ୍ରନଗରରେ ସେ ଚିଫ୍ ମେଡିକାଲ ଅଫିସର ଭାବେ ନିଯୁକ୍ତି ପାଇଲେ। ଜଣେ ପ୍ରାକ୍ଟିସିଂ ଡାକ୍ତର ସହ ସେ ଜଣେ ଲେଖିକା ଥିଲେ। ଦ ହିନ୍ଦୁ ଲେଡି ନାମକ ଶୀର୍ଷକରେ ସେ ଲେଖାଲେଖି କରୁଥିଲେ। ତାଙ୍କ ପାଠ ଉଭୟ ଭାରତ ଓ ଇଂଲଣ୍ଡରେ ପ୍ରକାଶିତ ହେଉଥିଲା। ସେ କେବେ ଦ୍ଵିତୀୟ ବିବାହ କରିନଥିଲେ। ୧୯୫୫ ସେପ୍ଟେମ୍ଵର ୨୫ରେ ତାଙ୍କର ଦେହାନ୍ତ ହୋଇଗଲା। ଶେଷ ନିଶ୍ଵାସ ପର୍ଯ୍ୟନ୍ତ ସେ ଲୋକଙ୍କ ସେବାରେ ବ୍ରତୀ ଥିଲେ। ତାଙ୍କ କାହାଣୀ ପ୍ରତିଟି ମହିଳାଙ୍କୁ ପ୍ରେରଣା ଦେବ।