​​​​​​​କେନ୍ଦୁଝର ସଦର ,୧୪/୧୦(ଆପ୍ର ) : ଜିଲାର ସର୍ବାଙ୍ଗୀନ ଉନ୍ନତି ତଥା ସମିତି ସଭ୍ୟଙ୍କ ସୁବିଧା ପାଇଁ ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୭ ଦଫା ସମ୍ବଳିତ ଦାବିପତ୍ର ସମିତିସଭ୍ୟମାନେ ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି । ସଂଘର ଜିଲ୍ଲା ସଭାପତି ବସନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ଜିଲାର ବିଭିନ୍ନ ପଞ୍ଚାୟତର ସମିତି ସଭ୍ୟ ଏକତ୍ରିତ ହୋଇ ଦାବିପତ୍ର ପ୍ରଦାନ କରିଥିଲେ।

ଜିଲାର ସଦର ମହକୁମାରେ ଏକ ଅତିଥିଶାଳା ନିର୍ମାଣ, ସଭ୍ୟ ସଭ୍ୟାଙ୍କ ମାସିକ ସିଟିଂ ଆଲାଉନ୍ସ ପ୍ରଦାନ,ପଞ୍ଚାୟତର ଉନ୍ନତି ମୂଳକ କାର୍ଯ୍ୟରେ ସମିତି ସଭ୍ୟ ଓ ସଭ୍ୟାଙ୍କୁ ସାମିଲ କରିବା, ପ୍ରତ୍ୟେକ ପଞ୍ଚାୟତକୁ ଡିଏମଏଫ ପାଣ୍ଠିରୁ ୩୦ ଶତକଡ଼ା ଅନୁଦାନ ପ୍ରଦାନ ସହ ପ୍ରକଳ୍ପ ଚୟନ ଓ କାର୍ଯ୍ୟକାରିତା କ୍ଷେତ୍ରରେ ସମିତି ସଭ୍ୟଙ୍କୁ ଅଗ୍ରାଧିକାର, ବିକଶିତ ଗାଁ ବିକଶିତ ଓଡିଶା ପ୍ରକଳ୍ପ ଚୟନ ଓ କାର୍ଯ୍ୟ କାରିତା କ୍ଷେତ୍ରରେ ସମିତି ସଭ୍ୟଙ୍କୁ ବାଧ୍ୟତାମୂଳକ ଅଗ୍ରାଧିକାର , କାର୍ଯ୍ୟକାଳ ମଧ୍ୟରେ ମୃତ୍ୟୁ ଘଟିଲେ ଡିଏମଏଫରୁ ଏକ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ରାଶି  ପ୍ରଦାନ ଓ ନିୟମିତ ପଂଚାୟତ ସମିତି ସଭ୍ୟମାନଙ୍କ ବୈଠକର ଆୟୋଜନ ଆଦି ୭ ଦଫା ସମ୍ବଳିତ ଦାବିପତ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳ ବିଶାଳ ସିଂଙ୍କୁ ପ୍ରଦାନ କରିଛନ୍ତି।ଏହି ଦାବିପତ୍ର ପ୍ରଦାନ ସମୟରେ କେନ୍ଦୁଝର ଜିଲାର ୧୩ ବ୍ଲକର ସମିତି ସଭ୍ୟ/ ସଭ୍ୟା ସଂଘର ସହ ସମ୍ପାଦକ ବିରଞ୍ଚି ନାରାୟଣ ବେହେରା, ପଦ୍ମିନି ରାୟ, କବିତା ନାଏକ, ମାନସରଞ୍ଜନ ନାଏକ, ମମତା ବାଳା ତ୍ରିପାଠୀ, ଶୁଭ୍ର ଜ୍ୱତୀ ଅମାନ୍ତ , ମାନସ ଦେହୁରୀ, ବିଜୟ ବେହେରା ଉପସ୍ଥିତ ଥିଲେ। ଜିଲାପାଳ ଦାବିଗୁଡିକ ଯଥାଶୀଘ୍ର ମୁଖ୍ୟମନ୍ତ୍ରୀଙ୍କୁ ନିକଟରେ ଉପସ୍ଥାପନା ସହ ଏହାର ସମାଧାନ କରାଇବାର ପ୍ରତିଶୃତି ଦେଇଥିବା ନେଇ ସଂଘର ସଭାପତି ବସନ୍ତ କୁମାର ସାହୁ ପ୍ରକାଶ କରିଛନ୍ତି।