୧୯୨୮ର ବର୍ଦ୍ଦୋଳି କୃଷକ ଆନ୍ଦୋଳନ ଲାଗି ଗାନ୍ଧୀଜୀ ଦାୟିତ୍ୱ ଅର୍ପଣ କରିଥିଲେ ତାଙ୍କୁ । ସେ ଏହି ଆନ୍ଦୋଳନକୁ ଏଭଳି ପରିଚାଳନା କରିଥିଲେ ଯେ ସେତେବେଳେ ଟାଇମ୍‌ସ ଅଫ୍‌ ଇଣ୍ଡିଆ ଖବରକାଗଜ ଲେଖିଥିଲା ‘ବର୍ଦ୍ଦୋଳିରେ ବଲ୍‌ସେଭିଜିମ୍‌ ଚାଲିଛି ଓ ବଲ୍ଲଭ ଭାଇ ହେଉଛନ୍ତି ବର୍ଦ୍ଦୋଳି ଲୋକଙ୍କର ଲେନିନ୍‌ ।’

ବିଶ୍ୱର ସର୍ବୋଚ୍ଚ ପ୍ରତିମୂର୍ତ୍ତି ରହିଛି ଆମ ଦେଶରେ । ୧୯୦ ଫୁଟର ଭିତ୍ତିପିଣ୍ଡି ଉପରେ ୫୯୭ ଫୁଟର ଏହି ସୁଉଚ୍ଚ କୀର୍ତ୍ତିରାଜିଟି ହେଲା "ଏକତାର ପ୍ରତିମୂର୍ତ୍ତି ବା ଷ୍ଟାଚ୍ୟୁ ଅଫ୍‌ ୟୁନିଟି' । ଗୁଜରାଟର ଭଦୋଦରା ସହରଠାରୁ ପ୍ରାୟ ଶହେ କିଲୋମିଟର ଦୂରରେ ନର୍ମଦା ନଦୀ ଉପରେ ଥିବା ସର୍ଦ୍ଦାର ସରୋବର ଡ୍ୟାମ୍‌ ନିକଟରେ କେଭାଡିୟାଠାରେ ଏହି ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଛି । ଏଥିଲାଗି ୩ହଜାର କୋଟି ଟଙ୍କାରୁ ଅଧିକ ଅର୍ଥ ମଧ୍ୟ ବ୍ୟୟ ହୋଇଛି । ଏହି ପ୍ରତିମୂର୍ତ୍ତିଟି ହେଉଛି ସ୍ୱାଧୀନ ଭାରତର ପ୍ରଥମ ଉପପ୍ରଧାନମନ୍ତ୍ରୀ ତଥା ସ୍ୱରାଷ୍ଟ୍ର ମନ୍ତ୍ରୀ ଓ ଗଡ଼ଜାତ ମିଶ୍ରଣର ମୁଖ୍ୟ ବିନ୍ଧାଣୀ ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କର । ଏକତାର ପ୍ରତିମୂର୍ତ୍ତି ଉନ୍ମୋଚିତ ହେବାପରେ ଥରେ ଗୁଜରାଟ ଗସ୍ତ ଅବସରରେ ସେହି ସ୍ଥଳକୁ ଯାଇଥିଲି । ପୂର୍ବରୁ ସେ ଅଞ୍ଚଳରେ ଚାଲିଥିବା କୃଷକଙ୍କ ଆନ୍ଦୋଳନକୁ ନୈତିକ ସମର୍ଥନ ଦେବାଲାଗି ୮୦ ଓ ୯୦ ଦଶକରେ ଏକାଧିକବାର ନର୍ମଦା ଉପତ୍ୟକା ଯିବାର ସୌଭାଗ୍ୟ ପ୍ରାପ୍ତ ହୋଇଛି ।

କେଭାଡିୟା ନିକଟରେ ନଈର ଏକ ଟାପୁରେ ସର୍ଦ୍ଦାର ପଟେଲଙ୍କ ସୁଉଚ୍ଚ ପ୍ରତିମୂର୍ତ୍ତି ନିକଟକୁ ଯିବାପାଇଁ ଏକ ପୋଲ ରହିଛି । ବିଶାଳ ପ୍ରତିମୂର୍ତ୍ତିର ଦୁଇଟି ଗୋଡ଼ ଭିତରେ ଥିବା ୪ଟି ଲିଫ୍‌ଟରେ ପ୍ରାୟ ଶହେ ଲୋକ ଯିବାର ବ୍ୟବସ୍ଥା ଅଛି । ଏହି ସୁଉଚ୍ଚ ପ୍ରତିମୂର୍ତ୍ତିଟି ୫ଟି ଭାଗରେ ବିଭକ୍ତ । ଏଥିରୁ ଲିଫ୍‌ଟ ମାଧ୍ୟମରେ ପ୍ରଥମ ତିନୋଟି ଭାଗ ପର୍ଯ୍ୟନ୍ତ ସର୍ବସାଧାରଣ ଟିକଟ କରି ଯାଇପାରିବେ । ମୋଟାମୋଟି ଭାବେ ଏଠାରେ ଉଦ୍ୟାନ, ସଂଗ୍ରହାଳୟ, ଦର୍ଶକ ଗ୍ୟାଲେରି ଆଦି ରହିଛି । ଚତୁର୍ଥ ଭାଗ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ଉଦ୍ଦିଷ୍ଟ ଥିବାବେଳେ ପଞ୍ଚମ ଭାଗଟିରେ ରହିଛି ସର୍ଦ୍ଦାରଙ୍କ କାନ୍ଧଠାରୁ ମୁଣ୍ଡ ପର୍ଯ୍ୟନ୍ତ । ଏଠାରେ ପର୍ଯ୍ୟଟକମାନଙ୍କ ପାଇଁ ଭୋଜନାଳୟ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ମଧ୍ୟ ରହିଛି । ମୋଟାମୋଟି ଭାବେ ଏହି ସୁଉଚ୍ଚ ପ୍ରତିମୂର୍ତ୍ତିଟି ମାଇଲ ମାଇଲ ଦୂରରୁ ଦେଖାଯାଏ ଏବଂ ଏହା ଭିତରୁ ପର୍ଯ୍ୟଟକମାନେ ବି ପ୍ରକୃତିର ଅନୁପମ ସୌନ୍ଦର୍ଯ୍ୟ ଉପଭୋଗ କରନ୍ତି । ସେଦିନ ସର୍ଦ୍ଦାର ପଟେଲଙ୍କ ଏହି ବିଶାଳକାୟ ପ୍ରତିମୂର୍ତ୍ତି ଉଦ୍ଦେଶ୍ୟରେ କୃତଜ୍ଞତାର ସହ ପ୍ରଣିପାତ କରି ତଥ୍ୟ ସଂଗ୍ରହ ପରେ ଭୋଜନାଳୟରେ କିଛି ବନ୍ଧୁଙ୍କ ସହ ବସିଥିବାବେଳେ ଜଣେ ଗାଇଡ୍‌ଙ୍କ ସହିତ ଆଉ କେତେକ ବିଦେଶୀ ପର୍ଯ୍ୟଟକ ଆସି ପହଞ୍ଚିଲେ । ଗାଇଡ୍‌ ଜଣକ ସର୍ଦ୍ଦାର ପଟେଲଙ୍କ ସମ୍ପର୍କରେ ଯାହା କହୁଥାନ୍ତି ସମ୍ଭବତଃ ଏହି ବିଦେଶୀ ପର୍ଯ୍ୟଟକ ଦଳ ତାହା ଠିକଣା ଭାବେ ବୁଝି ପାରୁନଥାନ୍ତି । ଏଭଳି ସ୍ଥିତିରେ ଜଣେ ବିଦେଶୀ ପର୍ଯ୍ୟଟକ ପାଖ ଟେବୁଲରେ ବସି ମୋତେ ପଚାରିଲେ ପଟେଲଙ୍କ ସମ୍ପର୍କରେ । ମୋ ପାଟିରୁ ହଠାତ୍‌ ବାହାରି ପଡ଼ିଲା "ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ହେଉଛନ୍ତି ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପଟ୍ଟଶିଷ୍ୟ' । ଏହା ଶୁଣି ତାଙ୍କର ଦ୍ୱନ୍ଦ୍ୱ ଦୂର ହେଲା ଓ ସହାସ୍ୟ ବଦନରେ ବିଦେଶୀ ପର୍ଯ୍ୟଟକ ଜଣକ କହିଲେ, ମହାତ୍ମା ଗାନ୍ଧୀ ତେବେ କେତେ ବଡ଼?

ବଲ୍ଲଭ ଭାଇ ବୟସରେ ଗାନ୍ଧୀଜୀଙ୍କଠାରୁ ପ୍ରାୟ ୬ବର୍ଷ ସାନ । ୧୮୭୫ ଅକ୍ଟୋବର ୩୧ ତାରିଖରେ ତାଙ୍କର ଜନ୍ମ ଗୁଜରାଟର ଏକ ସାଧାରଣ ପରିବାରରେ । ବଲ୍ଲଭ ଭାଇ ଓ ତାଙ୍କ ବଡ଼ଭାଇ ଗାନ୍ଧୀଙ୍କ ପରି ବିଲାତ ଯାଇ ବାରିଷ୍ଟରି ପଢ଼ିଥିଲେ । ସିପାହୀ ବିଦ୍ରୋହବେଳେ ବଲ୍ଲଭ ଭାଇଙ୍କ ବାପା ଈଶ୍ୱର ଭାଇ ଗିରଫ ହୋଇଥିଲେ । ତାଙ୍କ ମା' ଲାଡ୍‌ବାଇଙ୍କଠାରୁ ପିଲାଦିନେ ସେ ଯେଉଁ ସଂସ୍କାର ପାଇଥିଲେ ତାହା ପରବର୍ତ୍ତୀ ଜୀବନରେ ବଲ୍ଲଭ ଭାଇଙ୍କୁ ଜଣେ ନିର୍ଭୀକ ଯୋଦ୍ଧା ଭାବେ ଗଢ଼ିତୋଳିଥିଲା । ତାଙ୍କ ବଡ଼ଭାଇ ବିଠଲ୍‌ ଭାଇ ପଟେଲ ଏକଦା କେନ୍ଦ୍ରୀୟ ବ୍ୟବସ୍ଥା ସଭାର ଗଣ୍ୟମାନ୍ୟ ସଦସ୍ୟ ଥିଲେ । ଓକିଲ ହିସାବରେ ଅହମ୍ମଦାବାଦରେ ବଲ୍ଲଭ ଭାଇଙ୍କର ବେଶ୍‌ ଖ୍ୟାତି ଥିଲା । ଦକ୍ଷିଣ ଆଫ୍ରିକାରୁ ଫେରି ଗାନ୍ଧୀଜୀ ଭାରତରେ ପହଞ୍ଚିଲେ ୧୯୧୫ ଜାନୁଆରୀ ୯ ତାରିଖରେ । ପରେ ପରେ ସେ ଅହମ୍ମଦାବାଦ ନିକଟବର୍ତ୍ତୀ କୋଚରବ୍‌ଠାରେ ଏକ ଭଡ଼ାଘରେ ସତ୍ୟାଗ୍ରହ ଆଶ୍ରମ ଆରମ୍ଭ କରିଥିଲେ, ଯାହା ପରବର୍ତ୍ତୀ ସମୟରେ ସାବରମତିକୁ ସ୍ଥାନାନ୍ତରିତ ହୋଇଥିଲା । କାକା କାଲେଲ୍‌କର "ଷ୍ଟ୍ରେ ଗ୍ଲିମ୍ପସେସ୍‌ ଅଫ୍‌ ବାପୁ' ପୁସ୍ତକରେ ଲେଖିଛନ୍ତି ଯେ ଗାନ୍ଧୀଜୀ ଥରେ ଅହମ୍ମଦାବାଦ ଓକିଲାତିଖାନାକୁ ଯାଇଥିବାବେଳେ ବେପରୁଆ ଭାବେ ବଲ୍ଲଭ ଭାଇ ଚଉକି ଉପରେ ବସି ଟେବୁଲ୍‌ ଉପରେ ଗୋଡ଼ ଛନ୍ଦି ଦାମୀ ସିଗାରେଟର ଧୂମକୁଣ୍ଡଳୀ ଛାଡୁଥିଲେ ।

ନିଜେ ବଲ୍ଲଭଭାଇ ଲେଖିଛନ୍ତି ଯେ, ଯେଉଁ ସମୟରେ ସେଠାରେ ଗାନ୍ଧୀଜୀ ବକ୍ତବ୍ୟ ରଖିଥିଲେ ସେତେବେଳେ ସେ ଧୂମପାନରେ ବ୍ୟସ୍ତ ଥିଲେ । ବିଷ୍ଣୁ ପ୍ରଭାକର ଓ ରାଜମୋହନ ଗାନ୍ଧୀଙ୍କ ଭଳି ବଲ୍ଲଭ ଭାଇଙ୍କ ଜୀବନୀକାରମାନେ ଲେଖିଛନ୍ତି ଯେ, କିଛି ବନ୍ଧୁ ବଲ୍ଲଭ ଭାଇଙ୍କୁ ଗାନ୍ଧୀଙ୍କ ଆଶ୍ରମକୁ ଯିବାପାଇଁ ଡାକିବାରେ ସେ ରୋକ୍‌ଠୋକ୍‌ ମନା କରି କହିଥିଲେ "ସେଠି ମୋର କାମ କ'ଣ? ଆଶ୍ରମକୁ ଗଲେ ଗାନ୍ଧୀ କହିବେ ଗହମରୁ ଗୋଡ଼ି ବାଛିବା ପାଇଁ । ଏମିତି କଲେ କ'ଣ ଦେଶ ସ୍ୱାଧୀନ ହୋଇଯିବ?' ଯେଉଁ ବଲ୍ଲଭ ଭାଇ ଗାନ୍ଧୀଙ୍କ ସମ୍ପର୍କରେ ଏଭଳି ମତ ପୋଷଣ କରୁଥିଲେ ସେ ପୁଣି ତାଙ୍କର ପଟ୍ଟଶିଷ୍ୟ ପାଲଟିଗଲେ କିପରି? ୧୯୧୭ରେ ଗୋଘରାରେ ଅନୁଷ୍ଠିତ ଗୁଜରାତି ରାଜକୀୟ ପରିଷଦ ବୈଠକରେ ସେ ଗାନ୍ଧୀଙ୍କ ତେଜ ଦେଖିଲେ । ଏହା ପରେ ପରେ ବିହାରର ଚମ୍ପାରଣ ଓ ମରୁଡ଼ିଗସ୍ତ ଖେଡା ଅଞ୍ଚଳର ଚାଷୀମାନଙ୍କ ସତ୍ୟାଗ୍ରହ ଆନ୍ଦୋଳନରେ ଗାନ୍ଧୀଙ୍କ ଭୂମିକା ତାଙ୍କୁ ବେଶ୍‌ ପ୍ରଭାବିତ କରିଥିଲା । ନାଗପୁର ପତାକା ସତ୍ୟାଗ୍ରହ ଆନ୍ଦୋଳନ, ଅସହଯୋଗ ଆନ୍ଦୋଳନ, ଅହମ୍ମଦାବାଦ୍ର ମିଲ୍‌ ଶ୍ରମିକଙ୍କ ସତ୍ୟାଗ୍ରହ, ଆଶ୍ରମରେ ଗାନ୍ଧୀଜୀଙ୍କ ସତ୍ୟାଗ୍ରହ, ଜାଲିଆନାୱାଲାବାଗ୍‌ ନରସଂହାରକୁ ଗାନ୍ଧୀଙ୍କ ବିରୋଧ ଆଦି ବଲ୍ଲଭ ଭାଇଙ୍କ ବିଦ୍ରୋହୀ ମନକୁ ଦୋହଲାଇ ଦେଲା । ୧୯୨୨ରେ ସତ୍ୟାଗ୍ରହୀ ଗାନ୍ଧୀଙ୍କୁ ୬ବର୍ଷ କାରାଦଣ୍ଡ ହେବାବେଳେ ସେ ଯେଭଳି ଏହାକୁ ହସିହସି ବରଣ କରିନେଲେ ଏବଂ "ନବଜୀବନ' ଓ "ୟଙ୍ଗ୍‌ ଇଣ୍ଡିଆ' ଭଳି ପତ୍ରିକାରେ ଯେପରି ରୋକଠୋକ୍‌ ବକ୍ତବ୍ୟ ପ୍ରକାଶ କରୁଥିଲେ ତାହା ଭାଇଙ୍କୁ ଆକର୍ଷିତ କରୁଥିଲା । ବ୍ରିଟିଶ ନୌସେନାର ଭାଇସ୍‌ ଆଡ୍‌ମିରାଲ୍‌ଙ୍କ ଝିଅ ମିସ୍‌ ମେଡ୍‌ଲିନ୍‌ ସ୍ଲେଡ୍‌ ପାଶ୍ଚାତ୍ୟର ସୁଖସ୍ୱାଚ୍ଛନ୍ଦ୍ୟ ତ୍ୟାଗ କରି ଗାନ୍ଧୀ ଆଶ୍ରମର ଅନ୍ତେବାସୀ ହେବାପାଇଁ ଭାରତ ଆସିବାବେଳେ ବଲ୍ଲଭ ଭାଇ ଓ ମହାଦେବ ଦେଶାଇ ତାଙ୍କୁ ସ୍ୱାଗତ ଜଣାଇ ଆଣିଥିଲେ । ବଲ୍ଲଭ ଭାଇଙ୍କ କାର୍ଯ୍ୟଦକ୍ଷତା ବି ଗାନ୍ଧୀଙ୍କୁ ଟାଣିଥିଲା । ରାମକୃଷ୍ଣ ପରମହଂସ ବିବେକାନନ୍ଦଙ୍କୁ ଚିହ୍ନବା ଭଳି ଗାନ୍ଧୀ ଚିହ୍ନିଲେ ବଲ୍ଲଭ ଭାଇଙ୍କ ଅନ୍ତରାତ୍ମାକୁ । ୧୯୨୮ର ବର୍ଦ୍ଦୋଳି କୃଷକ ଆନ୍ଦୋଳନ ଲାଗି ଗାନ୍ଧୀଜୀ ଦାୟିତ୍ୱ ଅର୍ପଣ କରିଥିଲେ ତାଙ୍କୁ । ସେ ଏହି ଆନ୍ଦୋଳନକୁ ଏଭଳି ପରିଚାଳନା କରିଥିଲେ ଯେ ସେତେବେଳେ ଟାଇମ୍‌ସ ଅଫ୍‌ ଇଣ୍ଡିଆ ଖବରକାଗଜ ଲେଖିଥିଲା "ବର୍ଦ୍ଦୋଳିରେ ବଲ୍‌ସେଭିଜିମ୍‌ ଚାଲିଛି ଓ ବଲ୍ଲଭ ଭାଇ ହେଉଛନ୍ତି ବର୍ଦ୍ଦୋଳି ଲୋକଙ୍କର ଲେନିନ୍‌ ।'

ଏ ପରିପ୍ରେକ୍ଷୀରେ ଜଣେ ସାଧାରଣ କୃଷକ ଗାନ୍ଧୀଙ୍କୁ କହିଲେ "ସରକାର କେତେଜଣଙ୍କୁ ବା ଗୁଳିକରି ମାରିବେ? ପ୍ଲେଗ୍‌ ରୋଗରେ ଯେତେ ଲୋକ ମରିଛନ୍ତି ତାହାଠାରୁ କଦାପି ଅଧିକ ଲୋକଙ୍କୁ ମାରିପାରିବେ ନାହିଁ । ଏକା ମୋ ଗାଁରୁ ୪ଶହରୁ ଅଧିକ ଲୋକ ପ୍ଲେଗରେ ମରିଥିଲେ । ଆମ ମୁଣ୍ଡ କଟିଯିବ ପଛେ ଇଜ୍ଜତ ବିକିବୁ ନାହିଁ ।' ଏହିଭଳି ଗାଁରେ ଗାଁରେ ବଲ୍ଲଭ ଭାଇ ଯେଉଁ ଅବସ୍ଥା ସୃଷ୍ଟି କରିଥିଲେ ତାହା ବ୍ରିଟିଶ ସରକାରକୁ ମୁଣ୍ଡ ନୁଆଁଇବା ପାଇଁ ବାଧ୍ୟ କଲା ଏବଂ ଏହି ସତ୍ୟାଗ୍ରହରେ କୃଷକମାନଙ୍କ ବିଜୟ ହେଲା । ସେତେବେଳେ ବର୍ଦ୍ଦୋଳିର ବୀର କୃଷକମାନଙ୍କୁ ପ୍ରଶଂସା କରିବା ସହ ଗାନ୍ଧୀଜୀ ବଲ୍ଲଭ ଭାଇଙ୍କୁ ବର୍ଦ୍ଦୋଳିର ସର୍ଦ୍ଦାର ନାମରେ ସମ୍ମାନିତ କରିଥିଲେ । ସେହିଦିନଠାରୁ ସାରା ଦେଶ ତାଙ୍କୁ ଶ୍ରଦ୍ଧା ଓ ସମ୍ମାନର ସହ ସମ୍ବୋଧନ କଲା ସର୍ଦ୍ଦାର ଭାବେ । ସେତେବେଳେ ନମ୍ରତାର ସହ ବଲ୍ଲଭ ଭାଇ କହିଥିଲେ, "ବାପୁଙ୍କ ବାର୍ତ୍ତା ଲୋକଙ୍କ ନିକଟରେ ପହଞ୍ଚାଉଥିବା କର୍ମୀମାନଙ୍କ ମଧ୍ୟରୁ ମୁଁ ଜଣେ ମାତ୍ର । ମୁଁ କିଏ, କରିଛି ବା କ'ଣ? ସର୍ଦ୍ଦାର ସମ୍ମାନରେ ସମ୍ମାନିତ କରି ବାପୁ ମୋତେ ଅକାରଣରେ ଏତେ ଉପରକୁ ଉଠାଇ ଦେଉଛନ୍ତି ।' ୧୯୩୦ ମାର୍ଚ୍ଚ ୧୨ ତାରିଖରେ ସାବରମତି ଆଶ୍ରମରୁ ଗାନ୍ଧୀଜୀ ଦାଣ୍ଡି ଅଭିଯାନ ଆରମ୍ଭ କରିବା ପୂର୍ବରୁ ୭ ତାରିଖରେ ଅନ୍ୟତମ ଉଦ୍ୟୋକ୍ତା ବଲ୍ଲଭ ଭାଇଙ୍କୁ ବ୍ରିଟିଶ ସରକାର ଗିରଫ କରିନେଇଥିଲେ । ସେତେବେଳେ ପ୍ରତିକ୍ରିୟା ଦେଇ ଗାନ୍ଧୀ କହିଥିଲେ ଯେ, ଏଥିପାଇଁ ବ୍ରିଟିଶ ସରକାରଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ିବ । ବସ୍ତୁତଃ ବଲ୍ଲଭ ଭାଇଙ୍କ ଗିରଫଦାରୀ ଲବଣ ସତ୍ୟାଗ୍ରହ ଅଭିଯାନକୁ ତୀବ୍ର କରିଥିଲା । ସ୍ୱାଧୀନତା ଆନ୍ଦୋଳନ କାଳରେ ବାରମ୍ବାର ସର୍ଦ୍ଦାର ପଟେଲ ଜେଲ୍‌ ଯାଇଥିଲେ । ଏମିତିକି ୟେରୱାଡା ଜେଲରେ ସେ ଗାନ୍ଧୀଜୀଙ୍କ ସହ ମଧ୍ୟ ରହିଛନ୍ତି । ସାରା ଦେଶ ବୁଲି ଆନ୍ଦୋଳନକୁ ବ୍ୟାପକ କରିବା ସହ କଂଗ୍ରେସ ସଙ୍ଗଠନକୁ ବିଭିନ୍ନ ରାଜ୍ୟରେ ସୁଦୃଢ଼ କରିବା ଏବଂ ଅବିଭକ୍ତ ଭାରତରେ ହୋଇଥିବା ନିର୍ବାଚନରେ କଂଗ୍ରେସର ବିପୁଳ ବିଜୟ ପଛରେ ରହୁଥିଲା ସର୍ଦ୍ଦାର ପଟେଲଙ୍କ ସଂଘର୍ଷପୂର୍ଣ୍ଣ ଭୂମିକା । ସତେଯେମିତି ସେ ଥିଲେ ମହାତ୍ମାଙ୍କର ଆଗଧାଡ଼ିର ସର୍ଦ୍ଦାର । ଭାରତଛାଡ଼ ଆନ୍ଦୋଳନ ବେଳେ ଜେଲ୍‌ ଯାଇଥିବା ସର୍ଦ୍ଦାର ପଟେଲ କାରାମୁକ୍ତ ହେବାବେଳକୁ ତାଙ୍କ ଶରୀର ଅସୁସ୍ଥ ଥାଏ । ଗାନ୍ଧୀଜୀ ତାଙ୍କୁ ପଞ୍ଚଗନୀ ଡକାଇ ସେଠାରେ ନିଜେ ତାଙ୍କର ଉପଚାର କରିଥିଲେ ।

ସ୍ୱାଧୀନତା ପ୍ରାପ୍ତି ପୂର୍ବରୁ କେନ୍ଦ୍ରରେ ଗଠିତ ଅନ୍ତରୀଣ ସରକାରକୁ ଅଚଳ କରିଦେବା ପାଇଁ ମୁସଲିମ୍‌ ଲିଗ୍‌ ଷଡ଼ଯନ୍ତ୍ର କରୁଥିବାବେଳେ ନିଷ୍ଠାର ସହ ସର୍ଦ୍ଦାର ପଟେଲ ସ୍ୱରାଷ୍ଟ୍ର ବିଭାଗ କଥା ବୁଝୁଥିଲେ । ଏମିତିକି ସ୍ୱାଧୀନତା ପ୍ରାପ୍ତି ପୂର୍ବରୁ କାଶ୍ମୀର ସମସ୍ୟାର ସମାଧାନ ପାଇଁ ଗାନ୍ଧୀଜୀ ୧୯୪୭ ଅଗଷ୍ଟ ପ୍ରଥମ ସପ୍ତାହରେ କାଶ୍ମୀର ଗସ୍ତରେ ଯିବାବେଳେ ପଟେଲଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ । ତେବେ ଗାନ୍ଧୀଜୀଙ୍କ ଇଚ୍ଛା ବିରୁଦ୍ଧରେ ଦେଶ ବିଭାଜନ ହେବାବେଳେ ବିଭାଜନ ପ୍ରସ୍ତାବ ସପକ୍ଷରେ ନେହେରୁ ଓ ପଟେଲ ପ୍ରଭୃତି ଥିଲେ । ସ୍ୱାଧୀନତା ପ୍ରାପ୍ତି ପରେ ଗଡ଼ଜାତଗୁଡ଼ିକୁ ଭାରତରେ ମିଶାଇବା ପାଇଁ ଗାନ୍ଧୀଜୀଙ୍କ ପରାମର୍ଶ କ୍ରମେ ସର୍ଦ୍ଦାର ପଟେଲ କାମ କରୁଥିଲେ । ଜୁନାଗଡ଼, ହାଇଦ୍ରାବାଦ ଓ ଜାମ୍ମୁ କାଶ୍ମୀର ଆଦି ପ୍ରସଙ୍ଗରେ ଗାନ୍ଧୀଜୀଙ୍କ ଖୋଲା ବକ୍ତବ୍ୟ ପ୍ରଣିଧାନଯୋଗ୍ୟ । ଖଣ୍ଡବିଖଣ୍ଡିତ ସ୍ୱାଧୀନ ଭାରତରେ ବ୍ରିଟିଶରାଜ୍‌ ୫୬୨ ଗଡ଼ଜାତକୁ ସ୍ୱାଧୀନ ଭାବେ ଛାଡିଦେଇ ଯେଉ ଷଡ଼ଯନ୍ତ୍ର ରଚିଥିଲେ ସର୍ଦ୍ଦାର ପଟେଲଙ୍କ ଦୃଢ଼ ନେତୃତ୍ୱ ଓ ଦୂରଦୃଷ୍ଟି ଯୋଗୁଁ ତାହା ଭଣ୍ଡୁର ହେଲା ଏବଂ ଗଡ଼ଜାତ ମିଶ୍ରଣ ଫଳରେ ସର୍ଦ୍ଦାରଙ୍କ ଯୋଗୁ ହିଁ ଭାରତର ମାନଚିତ୍ର ନୂଆ ରୂପ ନେଇପାରିଲା ।

୧୯୪୮ ଜାନୁଆରୀ ୩୦ ଅପରାହ୍ନ ୫ଟା ୧୭ ମିନିଟରେ ଆତତାୟୀର ଗୁଳିଚୋଟରେ ଗାନ୍ଧୀଜୀ ଶେଷନିଶ୍ୱାସ ତ୍ୟାଗକରିବା ପୂର୍ବରୁ ପଟେଲଙ୍କ ସହ ଘଣ୍ଟାଏରୁ ଅଧିକ ସମୟ ଧରି ବିଭିନ୍ନ ପ୍ରସଙ୍ଗରେ ଶେଷ ଆଲୋଚନା କରିଥିଲେ । ଗାନ୍ଧୀଜୀଙ୍କୁ ହତ୍ୟା କରାଯିବାର ୩ବର୍ଷ ନପୁରୁଣୁ ସର୍ଦ୍ଦାର ପଟେଲଙ୍କର ହୃଦ୍‌ଘାତରେ ଦେହାନ୍ତ ହେଲା ୧୯୫୦ ଡିସେମ୍ବର ୧୫ ରାତିରେ । ସେତେବେଳକୁ ଭାରତର ସମ୍ବିଧାନ ଲାଗୁ ହୋଇନଥାଏ । ଗାନ୍ଧୀଜୀଙ୍କ ଭଳି ସର୍ଦ୍ଦାର ପଟେଲ ଥିଲେ ନିଷ୍ଠାର ପ୍ରତୀକ । ଉପପ୍ରଧାନମନ୍ତ୍ରୀ ଭାବେ ସରକାର ତାଙ୍କୁ ଯୋଗାଇଥିବା ଗାଡ଼ି ଓ ଫୋନ୍‌ ସେ ବ୍ୟକ୍ତିଗତ କାମରେ ବି ବ୍ୟବହାର କରୁନଥିଲେ । ସଂପୂର୍ଣ୍ଣ ନିଶା ନିବାରଣ ସପକ୍ଷରେ ଥିବା ବଲ୍ଲବ ଭାଇଙ୍କ ଶରୀରରେ ଏକ ଅସ୍ତ୍ରୋପଚାର ବିନା ଆନାସ୍ଥେସିଆରେ କରାଯାଇଥିଲା । ସେ ଏଭଳି ସାହସୀ ଥିଲେ ଯେ ଏକଦା ତାଙ୍କୁ ନେଇ ଯାଉଥିବା ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ଶସ୍ୟକ୍ଷେତରେ ଜରୁରି ଅବତରଣ କରିବା ପରେ ସେ ସାମାନ୍ୟ ବିବ୍ରତ ନହୋଇ ପଡ଼ିଆ ବିଲରେ ବସି ରହିଥିଲେ । ତାଙ୍କ ଝିଅ ମଣିବେନ୍‌ ଅବିବାହିତା ରହି ବାପାଙ୍କ ସେବା କରୁଥିଲେ । ଏଠାରେ ଉଲ୍ଲେଖନୀୟ ଯେ, ମାତ୍ର ୩୩ବର୍ଷ ବୟସରେ ସର୍ଦ୍ଦାର ପଟେଲଙ୍କ ପତ୍ନୀବିୟୋଗ ଘଟିଥିଲା । ଦେଶର ଉପପ୍ରଧାନମନ୍ତ୍ରୀ ତଥା ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ପରିବାର କିଭଳି ନିଷ୍ଠାର ସହ ଚଳୁଥିଲେ ତାହାର ପ୍ରାମାଣିକ ତଥ୍ୟ ଲେଖିଛନ୍ତି ମହାବୀର ତ୍ୟାଗୀ । ସର୍ଦ୍ଦାର ପଟେଲଙ୍କୁ ଭେଟିବା ପାଇଁ ରାଜା ମହାରାଜାଙ୍କଠାରୁ ଆରମ୍ଭକରି ଦେଶ ବିଦେଶର ବହୁ ବିଶିଷ୍ଟ ଲୋକ ଆସୁଥିବାବେଳେ ତାଙ୍କ ଝିଅ ସାତସିଆଁ ଚିରାଫଟା ଲୁଗା ପିନ୍ଧୁଥିବା ଦେଖି ଲୋକ କ'ଣ ଭାବୁଥିବେ ବୋଲି ତ୍ୟାଗୀଜୀ ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ ମଣିବେନ୍‌ କହିଥିଲେ "ସର୍ଦ୍ଦାରଙ୍କ ସେବା ବାହାରେ ଯେତିକି ସମୟ ପାଉଛି ତାହା ଚରଖାରେ ସୂତା କାଟିବାରେ ଯାଉଛି । ଯେତିକି ସୂତା କାଟୁଛି ସେଥିରେ କଷ୍ଟେମଷ୍ଟେ ସର୍ଦ୍ଦାରଙ୍କ ପାଇଁ ଖଣ୍ଡେ ଖଦି ଲୁଗା ହୋଇଯାଉଛି । ମୁଁ ତାଙ୍କର ପୁରୁଣା ଧୋତିକୁ ସିଲେଇ କରି ନିଜ କାମ ଚଳାଇ ନେଉଛି ।' ଗାନ୍ଧୀଜୀଙ୍କ ଠାରୁ ଏକାଦଶ ବ୍ରତ ସହିତ ମିତବ୍ୟୟିତାର ଯେଉଁ ଗୁରୁମନ୍ତ୍ର ସର୍ଦ୍ଦାର ପଟେଲ ପାଇଥିଲେ ଏହା ତା'ର ଝଲକ ମାତ୍ର ।

a