ଭୁବନେଶ୍ଵର, ୨୭/୧୦ : ବାତ୍ୟା ମୋନ୍ଥା ପାଇଁ ଦକ୍ଷିଣ ଓଡ଼ିଶାର ୮ ଜିଲ୍ଲାରେ ସ୍କୁଲ ଛୁଟି। ଆସନ୍ତାକାଲିଠୁ ୩୦ ଯାଏଁ ୮ ଜିଲ୍ଲାରେ ସ୍କୁଲ ବନ୍ଦ ରହିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁରରେ ସ୍କୁଲ ବନ୍ଦ ରହିବ।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ସଂପୃକ୍ତ ଜିଲ୍ଲାରେ ନୋଡାଲ ଅଧିକାରୀ ଭାବେ କାର୍ଯ୍ୟ କରିବେ। ଆବଶ୍ୟକ ସ୍ଥଳେ ଜିଲ୍ଲାପାଳମାନେ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କୁ ବାତ୍ୟା ପରିଚାଳନା କାର୍ଯ୍ୟରେ ନିୟୋଜିତ କରିପାରିବେ। ଜିଲ୍ଲା ପ୍ରଶାସନ ସହିତ ସହଯୋଗରେ ଓ ନିର୍ଦ୍ଦେଶରେ ସେମାନେ ଦାୟିତ୍ଵ ନିର୍ବାହ କରିବେ। ବିଦ୍ୟାଳୟ ଗୃହ ଗୁଡ଼ିକ ବାତ୍ୟା ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରାଯିବ। ସମସ୍ତ ଶ୍ରେଣୀ ଗୃହରେ ଏବଂ ଅନ୍ୟାନ୍ୟ କୋଠରୀ ଗୁଡ଼ିକରେ ବିଦ୍ୟୁତ ଚଳାଚଳ ବନ୍ଦ ରହିବ। ସ୍କୁଲରେ ଥିବା ସମସ୍ତ ଶୈକ୍ଷିକ ଉପକରଣ ଗୁଡ଼ିକୁ ସୁରକ୍ଷିତ ସ୍ଥାନରେ ରଖିବେ। ବାତ୍ୟା ପରେ ସମସ୍ତ ଉପକରଣ ଏବଂ ଆସବାବପତ୍ର ପରିଚାଳନାକୁ ସୁନିଶ୍ଚିତ କରିବେ। ଯଦି ବାତ୍ୟାରେ ଯେକୌଣସି କ୍ଷୟକ୍ଷତି ହୋଇଥାଏ, ତେବେ ପ୍ରଧାନ ଶିକ୍ଷକ ପରବର୍ତ୍ତୀ ସମୟରେ ଆକଳନ କରି ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଜଣାଇବେ।
ଆବଶ୍ୟକ ସ୍ଥଳେ ପ୍ରଧାନମନ୍ତ୍ରୀ ପୋଷଣ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ପାଇଁ ବ୍ୟବହୃତ ଚାଉଳକୁ ରିଲିଫ୍ କାର୍ଯ୍ୟରେ ବ୍ୟବହାର ହେବ। ଯାହାକି ପରବର୍ତ୍ତୀ ସମୟରେ ରିଲିଫ୍ କମିଶନରଙ୍କ ଠାରୁ ଭରଣ ହେବ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସମସ୍ତ ନିର୍ଦ୍ଦେଶକମାନେ ନିଜ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲିବେ।