ସବୁଠି ଖେଳି ଯାଇଥିଲା ଏକ ଭୟଙ୍କର ନିସ୍ତବ୍ଧତା । ଦୃଶ୍ୟରେ ସବୁ କିଛି ଅଦୃଶ୍ୟ ଏବଂ ଅଦୃଶ୍ୟରେ ଦୃଶ୍ୟମାନ ହେଉଥିଲା ଯାହା କିଛି ଅପ୍ରତ୍ୟାଶିତ ଓ ବିପରୀତ । ଲେଖକର ଦୃଷ୍ଟିରେ ଦର୍ପଣରେ ଭାଙ୍ଗ ପଡ଼ିଯାଇଥିଲା । ନିଷ୍ଫଳ କ୍ରୋଧରେ ସେ ଥରୁଥିଲା । ଭଙ୍ଗା ଦର୍ପଣରେ ପରା ମୁହଁ ଦେଖିବା ମନା । ତେବେ ସେ କାହିଁକି ସେଥିରେ ନିଜର ମୁହଁ ଦେଖିବାର ପ୍ରୟାସ କରୁଥିଲା?
ଆଇନର ଶାସନରେ କ୍ରମାଗତ ଅବକ୍ଷୟ ଏବଂ ଅପରାଧିକ କାର୍ଯ୍ୟକଳାପର କ୍ରମବର୍ଦ୍ଧିଷ୍ଣୁ ଅଭ୍ୟୁଦୟକୁ କେନ୍ଦ୍ର କରି ଦୁଇ ପଡ଼ୋଶୀ ରାଜ୍ୟର ନେତୃବର୍ଗ ପରସ୍ପରକୁ ଗାଳିଦେବାରେ ଏବଂ ପରସ୍ପରର ଗୋଇ ଖୋଳିବାରେ ଲାଗିଥିଲେ । ପ୍ରଚଳିତ ଢଗଟିଏ ମନେ ପଡ଼ିଯାଉଥିଲା "ଚାଲୁଣି କହୁଛି ଛୁଞ୍ଚିକୁ ତୋ...' ।
ନିଶାମୁକ୍ତି ସପକ୍ଷରେ ଆନ୍ଦୋଳନକାରୀଙ୍କ ସହିତ ନିଜକୁ ସାମିଲ କରି ଏବଂ ସେମାନଙ୍କ ସଭାରେ ନିଶା ବିରୋଧରେ ଚମତ୍କାର ଭାଷଣ ରଖି ରାଜନେତା ଜଣକ ନିଜ ବାସଗୃହକୁ ଫେରିଲେ ନିଶାଗ୍ରସ୍ତ ଅବସ୍ଥାରେ ଏବଂ ଦେଖିଲେ ତାଙ୍କର ସୁପୁତ୍ର ମଧ୍ୟ ନିଶାରେ ଟଳମଳ ହୋଇ ନିଜର ମା'କୁ ଅଭାଷା-ଭାଷା ଗାଳିଗୁଲଜ କରିବାରେ ଲାଗିଛି । ଜଣେ ସତ୍ୟବାଦୀ ମନ୍ତ୍ରୀଙ୍କ ସ୍ପଷ୍ଟୋକ୍ତି ସମ୍ପୂର୍ଣ୍ଣ ନିଶା ନିବାରଣ ତାଙ୍କ ରାଜ୍ୟରେ ସମ୍ଭବ ନୁହେଁ ।
"ଅତୀତ'କୁ ଦୋଷ ଦେଇ "ବର୍ତ୍ତମାନ' ନିଜର ଦୋଷ-ଦୁଷ୍କୃତିରୁ ଖସିଯିବା କେବେ ସମ୍ଭବ ହୁଏନାହିଁ । "ଭବିଷ୍ୟତ' ସବୁବେଳେ ଅପେକ୍ଷା କରି ରହିଥାଏ, "ଅତୀତ'ର ଦୋଷଦର୍ଶୀ "ବର୍ତ୍ତମାନ'କୁ ସେଇ ଅତୀତର ଦୁର୍ଦ୍ଦଶା ଦେବା ପାଇଁ । "ବର୍ତ୍ତମାନ' କିନ୍ତୁ ସେଇ "ଅନାଗତ'କୁ ଦେଖିପାରେ ନାହିଁ, କାରଣ କ୍ଷମତାର ନିଶା ତା'କୁ କବଳିତ କରି ରଖିଥାଏ ।
ଗଣତନ୍ତ୍ରର ମାଲିକମାନେ ଦିନେ ଦେଖିଲେ, ସେମାନେ ରହୁଥିବା ରାଜ୍ୟ ବା ଅଞ୍ଚଳରେ, ଘରୁ ବାହାରକୁ ପାଦ ଦେବା ମାତ୍ରେ ସର୍ବଦା ଦୃଶ୍ୟମାନ ହେଉଛି ସେମାନଙ୍କ ସେବକମାନଙ୍କ ସହାସ୍ୟ ବଦନର ବିରାଟ ଫଟୋର ଶୋଭନୀୟ ପ୍ରତିଚ୍ଛବି ସବୁ । ରାସ୍ତାଘାଟ, ହାଟବଜାର, ସାହିର ଗଳିକନ୍ଦି ସବୁଠି ସେବକମାନେ ଠିଆ ହୋଇଛନ୍ତି । ଗଣତନ୍ତ୍ରର ସେଇ ମତାଦାତା ମାଲିକମାନେ ବୁଝି ପାରୁନଥିଲେ, ପ୍ରକୃତରେ ମାଲିକ କିଏ? ଯଦି ସେମାନେ ମାଲିକ, ତେବେ ସେମାନଙ୍କ ସାମ୍ନାରେ ସେବକମାନଙ୍କର ଏ ପ୍ରକାର ଦର୍ପିତ ଚିତ୍ର ଓ ଚେହେରା କାହିଁକି? ମାତ୍ର ପର ମୁହୂର୍ତ୍ତରେ ସେମାନେ ବୁଝିଗଲେ ଯେ, ସେବକମାନେ ନିଜର ଫଟୋ-ଉପସ୍ଥିତି ଦ୍ୱାରା ଜଣେଇ ଦେବାକୁ ଚାହାଁନ୍ତି ମାଲିକମାନଙ୍କୁ ଯେ, ସେମାନଙ୍କ ସେବା ପାଇଁ ସବୁଠି, ସବୁବେଳେ ନିଜକୁ ପ୍ରସ୍ତୁତ କରି ରଖିଛନ୍ତି । ମାଲିକମାନେ ନିଜକୁ ଧନ୍ୟ ମନେକଲେ ସେବକମାନଙ୍କର ଏ ପ୍ରକାର ନିଷ୍ଠା ଓ ସମର୍ପଣ ଭାବ ଦେଖି । ସେମାନେ ଦୃଢ଼ ନିଶ୍ଚିତ ହୋଇଗଲେ ଯେ, ସେମାନଙ୍କ ରାଜ୍ୟ ବା ଅଞ୍ଚଳ ପ୍ରକୃତରେ ବିକାଶ ପଥରେ ଦୌଡ଼ିବାକୁ ଆରମ୍ଭ କରିଛି ।
ବାରମ୍ବାର ଗଣତନ୍ତ୍ରର ମନ୍ତ୍ର ଘୋଷୁଥିବା ଓ ଏହାର ମହତ୍ତ୍ୱ ବଖାଣୁଥିବା ବିଚରା ବା ଭାଗ୍ୟବାନ ଏହି ଲେଖକଟି ତଟସ୍ଥ ହୋଇ ଏହିସବୁ ଦୃଶ୍ୟ ଦେଖୁଥିଲା । ଘଟଣାର ଚରିତ୍ରମାନଙ୍କୁ ଭେଟୁଥିଲା । ଦୃଶ୍ୟ ବାହାରେ ଓ ଅନ୍ତରାଳରେ ମଧ୍ୟ ଏହିଭଳି କିଛି ଘଟଣା ଓ ଚରିତ୍ରମାନେ ବି ଗୋପନରେ ନିଜର ଲୀଳାଖେଳା ଜାରି ରଖିଥିଲେ । ରାତିର ବୟସ ବଢ଼ିବାରେ ଲାଗିଥିଲା । ଦୀର୍ଘକାଳ ଧରି ଆଲୁଅର ସ୍ୱପ୍ନରେ ବିଭୋର ହୋଇ ଘନ ଅନ୍ଧାରର ପୀଡ଼ା ଭୋଗିଥିବା ରାଜ୍ୟର ସ୍ୱପ୍ନଜୀବୀମାନଙ୍କ ପାଇଁ ସ୍ୱପ୍ନ ସବୁ ଦୁସ୍ୱପ୍ନରେ ପରିଣତ ହେଉଥିଲା । ଲମ୍ବା ରାତି ପାହିବାର ନାଁ ଧରୁନଥିଲା । ରାତିର ନିବିଡ଼ ଆଶ୍ଳେଷରେ ରତିକ୍ଳାନ୍ତ ରାଜନେତା ଏବଂ ଏକ ଶୁଭ ସକାଳର ଅପେକ୍ଷାରେ ସାଧାରଣ ଜନତା । ସ୍ପଷ୍ଟ ବାରି ହୋଇପଡୁଥିଲା ତଥାକଥିତ ସେବକମାନଙ୍କର ଆଧିପତ୍ୟ ଏବଂ ମାଲିକମାନଙ୍କର ଅସହାୟତା । ଏହି ଲେଖକ ମଧ୍ୟ ଥିଲା ତଥାକଥିତ ମାଲିକମାନଙ୍କ ଦଳରେ । ବାରମ୍ବାର ସେ ଦେଖୁଥିଲା ନିଜ ଗଳାରେ ଝୁଲୁଥିବା "ମାଲିକ'ର ପଦକଟିକୁ । ହାତରେ ଧରିଥିବା କଲମରେ ସୃଷ୍ଟି ହେଉଥିଲା ଅଦ୍ଭୁତ କମ୍ପନ । ସେଇ କମ୍ପନରେ କିନ୍ତୁ କାଳି ଝରୁନଥିଲା । ଝରୁଥିଲା ନିଆଁ । ସେଇ ନିଆଁରେ ଜଳି ଯାଉଥିଲା ଲେଖକର କାଗଜ କଲମ, ବହିପତ୍ର ସବୁ କିଛି । ନିଆଁ ଜଳୁଥିଲା । ଜଳୁଥିଲା, ଘର, ସ୍କୁଲ, କଲେଜ, ଥାନା ଓ ଡାକ୍ତରଖାନା । ମଠ ଓ ମନ୍ଦିର । ଘରର ମାଲିକମାନେ ମୁଣ୍ଡରେ ହାତ ଦେଇ ବସିଥିଲେ । ସେମାନଙ୍କ ସେବକମାନେ ଭୟରେ ନିଜ ବିଳାସର ସେବାଘର ଛାଡ଼ି ପଳେଇବାକୁ ଆରମ୍ଭ କରିଥିଲେ । ସବୁଠି ଖେଳି ଯାଇଥିଲା ଏକ ଭୟଙ୍କର ନିସ୍ତବ୍ଧତା । ଦୃଶ୍ୟରେ ସବୁ କିଛି ଅଦୃଶ୍ୟ ଏବଂ ଅଦୃଶ୍ୟରେ ଦୃଶ୍ୟମାନ ହେଉଥିଲା ଯାହା କିଛି ଅପ୍ରତ୍ୟାଶିତ ଓ ବିପରୀତ । ଲେଖକର ଦୃଷ୍ଟିରେ ଦର୍ପଣରେ ଭାଙ୍ଗ ପଡ଼ିଯାଇଥିଲା । ନିଷ୍ଫଳ କ୍ରୋଧରେ ସେ ଥରୁଥିଲା । ଭଙ୍ଗା ଦର୍ପଣରେ ପରା ମୁହଁ ଦେଖିବା ମନା । ତେବେ ସେ କାହିଁକି ସେଥିରେ ନିଜର ମୁହଁ ଦେଖିବାର ପ୍ରୟାସ କରୁଥିଲା? ପ୍ରିୟ ପାଠକେ! ଉତ୍ତର ଜଣାଥିଲେ, ଏହି ଲେଖକୁ ଜଣେଇବାକୁ ଅନୁରୋଧ ରହିଲା ।