​​​​​​​ଝାରସୁଗୁଡ଼ା/ଲଇକେରା,୧୪/୧୦(ଆପ୍ର) : ଲଇକେରା ଥାନା ଅନ୍ତର୍ଗତ ବାଗଡିହି ଠାରେ ଥିବା ଏକ ଘରୋଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟି ଯାଇଛି । ଦଣ୍ଡମୁକ୍ତ ଅଂଚଳ କୁହାଯାଉଥିବା ସ୍କୁଲ ଶ୍ରେଣୀ କୋଠରୀ ମଧ୍ଯରେ ଜଣେ ଶିକ୍ଷକଙ୍କ ଡଷ୍ଟର ମାଡ଼ରେ ଜଣେ ଦ୍ଵିତୀୟ ଶ୍ରେଣୀର ଛାତ୍ରୀଙ୍କ କପାଳରେ କ୍ଷତ ସୃଷ୍ଟି ହେବା ଭଳି ଘଟଣା ଘଟିଛି । ଏନେଇ ସଂପୃକ୍ତ ଛାତ୍ରୀଙ୍କ ଅଭିଭାବକ ଲଇକେରା ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ଋଜୁ କରି ସଂପୃକ୍ତ ଶିକ୍ଷକଙ୍କୁ ଅଟକ ରଖି ପଚରା ଉଚରା କରୁଛି। ଘଟଣାକୁ ନେଇ ସ୍ଥାନୀୟ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି।

ବାଗଡିହି ସ୍ଥିତ ସେଣ୍ଟ ଆର୍ତ୍ତୋଲ୍ଡ ସ୍କୁଲରେ ଦ୍ବିତୀୟ ଶ୍ରେଣୀରେ ଛାତ୍ରୀ ଜଣକ  ପାଠ ପଢନ୍ତି ଶ୍ରେଣୀ କୋଠରୀ ମଧ୍ଯରେ ଛାତ୍ରଛାତ୍ରୀମାନେ ପାଠ ପଢୁଥିବା ସମୟରେ କୌଣସି କାରଣରୁ ଶିକ୍ଷକ ପୁସ୍କର ବରୁଆ ପିଲାଙ୍କୁ ପାଟି କରି ତାଗିଦ କରିଥିଲେ । ଏହି ସମୟରେ ହଠାତ ଟେବୁଲ ଉପରେ ଥିବା ଡଷ୍ଟରକୁ ଧରି ଛାତ୍ରୀଙ୍କ ଉପରକୁ ଫିଙ୍ଗିବାରୁ ପଛ ପାଖେ ବସିଥିବା ଛାତ୍ରୀଙ୍କ କପାଳରେ ବାଜି ଫାଟି ଯାଇଥିଲା। ଆଖିରେ ବାଜିଥିଲେ ପିଲାଟି ଚକ୍ଷୁ ହରାଇବା ନିଶ୍ଚିତ ଥିଲା। ଏହି ଘଟଣା ପରେ ଅଭିଭାବକ ଛାତ୍ରୀଙ୍କୁ ନେଇ ପ୍ରାଥମିକ ଚିକିତ୍ସା କରାଇବା ପରେ ଜିଲ୍ଲା ସଦର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଛାତ୍ରୀଙ୍କ ପିତା ଏନେଇ ଏତଲା ଦେବା ପରେ ଲଇକେରା ଥାନାରେ ମାମଲା ଋଜୁ କରାଯାଇଥିଲା  ‌। ଦଣ୍ଡମୁକ୍ତ ଅଂଚଳରେ ଛାତ୍ରୀଙ୍କୁ ଡଷ୍ଟର ମାଡ଼ କରି ଆହତ କରିବା ଘଟଣା ଅଭିଭାବକଙ୍କୁ ମଧ୍ୟ ପ୍ରତିକ୍ରିୟାଶୀଳ କରାଇଛି । ସଂପୃକ୍ତ ଶିକ୍ଷକଙ୍କ ପ୍ରତି ଉଚିତ ଦଣ୍ଡ ବିଧାନ କରାଯାଉ ବୋଲି ଦାବି ହୋଇଛି।