ଚାନ୍ଦବାଲି,୦୫/୧୧:କଳିଙ୍ଗ ନୌବାଣିଜ୍ୟ ପରମ୍ପରାର ସୁବର୍ଣ୍ଣ ସ୍ମାରକୀ ବହନ କରିଥିବା ଐତିହାସିକ କଳିଙ୍ଗ ପ୍ରବେଶ ପଥ, ବିଶ୍ୱ ବିସ୍ମୟ ଭିତର କନିକା ପ୍ରବେଶ ଦ୍ୱାର ଓ ଓଡ଼ିଶାର ଏକମାତ୍ର ନଦୀ ବନ୍ଦର ଚାନ୍ଦବାଲି ଆଜି ବିପର୍ଯ୍ୟୟର ଦ୍ୱାର ଦେଶରେ । ବନ୍ଦର ସ୍ମୃତି ଇତିହାସର କାଳ ଗର୍ଭରେ ଲୀନ ହୋଇଯାଇଛି । ବୋଇତ ରାଣୀ ବୈତରଣୀ ବିଳାପ କରୁଛି । ଅନ୍ତର୍ଦ୍ଦେଶୀୟ ଜଳ ପରିବହନ ଓ ଲଞ୍ଚ ସେବା ମଧ୍ୟ ବିପର୍ଯ୍ୟସ୍ତ । ଏକଦା ଏହି ପଥ ଦେଇ କଲିକତାକୁ ଉତ୍କଳ ଗୌରବ ମଧୁସୂଦନ ଦାସ ଯାତ୍ରା କରିଥିବାବେଳେ କଲିକତାରୁ ମା’ଶାରଦା ଦେବୀ ଆସିଥିଲେ । ଯାହାର ଇତିହାସ ମୂକ ସାକ୍ଷୀ ହୋଇ ରହିଛି ।  ଅତୀତରେ ଚାନ୍ଦବାଲିରୁ ଶୈବ ପୀଠ ଆରଡ଼ି, ଶକ୍ତି ପୀଠ ମା’ ଧାମରାଇ ଓ ରାଜନଗର ତାଳ ଚୁଆକୁ ମୋଟର ଲଞ୍ଚ ଯୋଗେ ଯାତ୍ରୀ ଓ ମାଲ ପରିବହନ ହୋଇ ଆସୁଥିଲା ।

କାଳକ୍ରମେ ସ୍ଥଳପଥର ଚାହିଦା ଦୃଷ୍ଟିରୁ ଜଳ ପଥରେ ଯାତାୟାତ ଓ ମାଲ ପରିବହନ କ୍ରମଶଃ ହ୍ରାସ ପାଇଲା । ଅଧିକାଂଶ ମୋଟର ଲଞ୍ଚ ମରାମତି ନ ହୋଇ ଅଚଳ ହୋଇ ପଡି ରହିଲା । ଏବେ କେବଳ ଭଙ୍ଗା ଦଦରା ଲଞ୍ଚ ଧାମରାକୁ ଯାତାୟାତ କରୁଛି । ଲଞ୍ଚ ଯୋଗେ ଯାତାୟାତର ସମସ୍ୟା ଦେଖା ଦେବାରୁ କର୍ମଚାରୀମାନେ ଅବସର ନେବା ପରେ ନୂତନ ନିଯୁକ୍ତି ହେଲା ନାହିଁ । ଧୀରେ ଧୀରେ ଆର୍ଥିକ ସ୍ଥିତି ଦୁର୍ବଳ ହୋଇପଡିଲା । ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ଅଧିକାରୀମାନେ ଦୃଷ୍ଟି ନ ଦେବା ଫଳରେ ଐତିହାସିକ କଳିଙ୍ଗ ପ୍ରବେଶ ପଥ ଇତିହାସର ବିଷୟ ବସ୍ତୁ ହୋଇ ରହିଗଲା । ଲଞ୍ଚ ଓ ଜେଟି କ୍ରମଶଃ ବୈତରଣୀରେ ଲୀନ ହେବାକୁ ବସିଲା । ନିକଟ ଅତୀତରେ ରାଜ୍ୟ ସରକାରଙ୍କ ବାଣିଜ୍ୟ ସଚିବ ଓ କେନ୍ଦ୍ର ସରକାରଙ୍କ ବନ୍ଦର ଜାହାଜ ଚଳାଚଳ ନିର୍ଦ୍ଦେଶକ ଚାନ୍ଦବାଲି ଗସ୍ତରେ ଆସି ଘଟଣାର ଅନୁଧ୍ୟାନ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାର ପୁନରୁଦ୍ଧାର ଦିଗରେ କୌଣସି ପଦକ୍ଷେପ ଗ୍ରହଣ କଲେ ନାହିଁ ।

ବିଗତ ଚାରିବର୍ଷ ହେଲା ଭୂପେନ ହଜାରିକ ବୈତରଣୀରେ ଭାସମାନ ଅବସ୍ଥାରେ କାର୍ଯ୍ୟକ୍ଷମ ନ ହୋଇ ଦୃଶ୍ୟମାନ ହେଉଛି । ଏକଦା ଚାନ୍ଦବାଲି କନିକା ଓ ଧାମରା ର ସାଧବ ସୌଦାଗର ମାନେ ନୌବାଣିଜ୍ୟ କରିବା ପାଇଁ ଏହି ଜଳପଥ ଦେଇ ଦରିଆ ପାରି ଦେଶକୁ ଯାତାୟାତ କରୁଥିଲେ । ବାଣିଜ୍ୟେ ବସତି ଲକ୍ଷ୍ମୀ ଚାନ୍ଦବାଲି ଧାମରାର ସାଂସ୍କୃତିକ ପରମ୍ପରା ସୃଷ୍ଟି କରିବା ସଙ୍ଗେ ସଙ୍ଗେ ଓଡ଼ିଶା ଆର୍ଥିକ ବିକାଶରେ ସହାୟକ ହୋଇଥିଲା। ସଂସ୍କୃତି ଗବେଶକ ପ୍ରଫୁଲ୍ଲ କୁମାର ଦାସ କେନ୍ଦ୍ର ଓ ରାଜ୍ୟ ସରାକରଙ୍କ ବାରମ୍ବାର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କଳିଙ୍ଗ ପ୍ରବେଶ ପଥ ଓ ଅନ୍ତର୍ଦ୍ଦେଶୀୟ ଜଳ ପରିବହନ ଲଞ୍ଚ ସେବାର ସୁଧାର ଆସିପାରିଲା ନାହିଁ । ସଂସ୍କୃତି ପ୍ରିୟ ଓଡ଼ିଶା ସରକାର ଏ ଦିଗରେ ଅନୁସନ୍ଧାନ କରି ଚାନ୍ଦବାଲିର ଅକ୍ଷୟ ସ୍ମାରକୀ କଳିଙ୍ଗ ପ୍ରବେଶ ପଥର ହୃତ ଗୌରବକୁ ଫେରାଇ ଆଣିବା ଦିଗରେ ଉଦ୍ୟମ କରିବାକୁ ଦାସ ନିବେଦନ କରିଛନ୍ତି ।