ଭୁବନେଶ୍ଵର, ୬/୯ : ସୋସିଆଲ ମିଡିଆରେ ସକ୍ରିୟ ରହୁଥିବା ଇନ୍ଫ୍ଲୁଏନ୍ସର ଓ କଣ୍ଟେଣ୍ଟ୍ କ୍ରିଏଟର୍ମାନେ ଖୁବ୍ ଗ୍ଲାମରସ୍ ଦିଶୁଛନ୍ତି । କିନ୍ତୁ ଆଗାମି ଦିନରେ ଏମାନଙ୍କର ପ୍ରଭାବଶାଳୀ ବ୍ୟକ୍ତିତ୍ୱ ହଜିଯିବ । ହାତରେ ମୋବାଇଲ ଫୋନ୍ ଧରି ଲଗାତାର ବିଷୟବସ୍ତୁ ପ୍ରସ୍ତୁତ କରିବାରେ ବ୍ୟସ୍ତ ରହୁଥିବା ଏଭଳି ଇନ୍ଫ୍ଲୁଏନ୍ସର୍ଙ୍କ ରୂପ-ରଙ୍ଗ ଓ ଶାରୀରିକ ଗଠନକୁ ନେଇ ବିଶେଷଜ୍ଞମାନେ ଏକ ମଡେଲ ପ୍ରସ୍ତୁତ କରିଛନ୍ତି । ସେମାନେ ଆଗାମି ଦିନରେ କେମିତି ଦିଶିବେ, ଏହା ଜରିଆରେ ଦର୍ଶାଇବାକୁ ଚେଷ୍ଟା କରିଛନ୍ତି । ଫୋନ୍ରେ ସୋସିଆଲ ମିଡିଆ ପାଇଁ ବିଷୟବସ୍ତୁ ପ୍ରସ୍ତୁତ କରୁଥିବା ଲୋକେ ଆଜି ଗ୍ଲାମରସ୍ ଓ ଆକର୍ଷଣୀୟ ଦିଶୁଥାଇ ପାରନ୍ତି । କିନ୍ତୁ ସେମାନଙ୍କ ଆକର୍ଷଣ ଅଧିକ ଦିନ ରହିବ ନାହିଁ ।
ନ୍ୟୁୟର୍କ ପୋଷ୍ଟ୍ର ରିପୋର୍ଟ ଅନୁସାରେ, ଗ୍ୟାମ୍ବଲିଙ୍ଗ୍ ସାଇଟ୍ କସିନୋ ଡଟ୍ ଅର୍ଗର ବିଶେଷଜ୍ଞମାନେ ଏକ ବିଚିତ୍ର ଏଆଇ ମଡେଲ ପ୍ରସ୍ତୁତ କରିଛନ୍ତି । ୨୦୫୦ରେ କଣ୍ଟେଣ୍ଟ୍ କ୍ରିଏଟର୍ମାନେ କିଭଳି ଦିଶିବେ, ଏଥିରେ ଦର୍ଶାଇଛନ୍ତି । ଏଥିରେ ମଡେଲର ତ୍ୱଚାରେ ଚିହ୍ନ, ବେକରେ କୁବୁଜ ଓ ବେକରେ ଯନ୍ତ୍ରଣା ପ୍ରଦର୍ଶିତ ହୋଇଛି । ବିଶେଷଜ୍ଞମାନେ ଉଲ୍ଲେଖ କରିଛନ୍ତି, କଣ୍ଟେଣ୍ଟ୍ କ୍ରିଏସନ୍ କ୍ୟାରିଅର୍ ଆକର୍ଷଣୀୟ ହୋଇଥାଇପାରେ । କିନ୍ତୁ ଏହା ଆମ ଜୀବନଶୈଳୀରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିପାରେ । ଟ୍ରେଣ୍ଡ୍ରେ ଥିବା ଏହି ବୃତ୍ତି ବିଶ୍ୱରେ ଲକ୍ଷାଧିକ ଫଲୋଅର୍ ଥିବା ବ୍ୟକ୍ତିଙ୍କ ରଙ୍ଗ-ରୂପକୁ କେମିତି ପ୍ରଭାବିତ କରିପାରେ, ବିଶେଷଜ୍ଞମାନେ ତାହା ଜାଣିବାକୁ ଚାହୁଁଥିଲେ । ବିଶେଷଜ୍ଞମାନେ ଏହି ନିଷ୍କର୍ଷରେ ପହଞ୍ଚିଲେ ଯେ ଆଲ୍ଗୋରିଦମ୍କୁ ପଛା କରିବା, ସୌନ୍ଦର୍ଯ୍ୟ ମାନକର ଚାପ ଏବଂ ଅବିରତ କଣ୍ଟେଣ୍ଟ୍ (ବିଷୟବସ୍ତୁ) ପ୍ରସ୍ତୁତି ଶରୀର ଓ ମନ ଉପରେ ସ୍ପଷ୍ଟ ପ୍ରଭାବ ପକାଇପାରେ । ଏହାକୁ ସ୍ପଷ୍ଟ କରିବା ପାଇଁ ସେମାନେ ଏଭା ନାମ୍ନୀ ଭବିଷ୍ୟତର କଣ୍ଟେଣ୍ଟ୍ କ୍ରିଏଟର୍ ମଡେଲ ପ୍ରସ୍ତୁତ କଲେ ।
ଚିକିତ୍ସା ଅନୁସନ୍ଧାନ ଅନୁସାରେ, ଏଭାର ରଙ୍ଗରୂପ ପ୍ରଭାବଶାଳୀ ଲୋକଙ୍କ ଅଭ୍ୟାସର ପରିଣାମ । ଏହି ଏଆଇ ଇନ୍ଫ୍ଲୁଏନ୍ସର୍ର ଗତିହୀନ, ସ୍କ୍ରିନ୍ ସହ ସଂଶ୍ଳିଷ୍ଟ ଜୀବନଶୈଳୀ ବାସ୍ତବ ଜୀବନରେ ତା’ ଉପରେ ଗମ୍ଭୀର ପ୍ରଭାବ ପଡୁଛି । ଉଦାହରଣ ସ୍ୱରୂପ ଦୀର୍ଘ ସମୟ ପର୍ଯ୍ୟନ୍ତ ସୋସିଆଲ ମିଡିଆ ଓ ସ୍ମାର୍ଟଫୋନ୍ ବ୍ୟବହାର ଏବଂ ରିଙ୍ଗ୍ ଲାଇଟ୍ସ ତଳେ ଘଣ୍ଟା ଘଣ୍ଟା ଧରି ପୋଜ୍ ଦେବା ଯୋଗୁ ଏଭାର କାନ୍ଧ ଗୋଲ୍ ହୋଇଯାଇଛି । ମୁଣ୍ଡ ଆଗକୁ ଝୁଲି ରହିଛି ଏବଂ ବେକରେ ଯନ୍ତ୍ରଣା ହେଉଛି । ସେମାନେ ଏହାକୁ ‘ଟେକ୍ ନେକ୍’ କହିଛନ୍ତି । ଇଣ୍ଟର୍ଡିସିପ୍ଲିନାରୀ ନ୍ୟୁରୋସର୍ଜରୀ ପତ୍ରିକାରେ ବିଶେଷଜ୍ଞ ଉଲ୍ଲେଖ କରିଛନ୍ତି, ବାରମ୍ବାର ସ୍ମାର୍ଟଫୋନ୍ ବ୍ୟବହାର ଯୋଗୁ ବେକର ମୁଦ୍ରା ଅସନ୍ତୁଳିତ ହୋଇପାରେ କିମ୍ବା ମସ୍କୁଲୋସ୍କେଲେଟଲ୍ ବିକାର ଉତ୍ପନ୍ନ ହୋଇପାରେ । ବେକର ଏହି ମୋଡ଼ିହେବା ମୁଦ୍ରା ବେକ ଓ ମେରୁଦଣ୍ଡ ଯନ୍ତ୍ରଣାକୁ ବଢ଼ାଇପାରେ । ମେରୁଦଣ୍ଡ ଆଖପାଖ ଅଂଶରେ ମାଂସପେଶୀରେ ସମସ୍ୟା ସୃଷ୍ଟି ହୁଏ । ଏହା ବାସ୍ତବରେ ଚିନ୍ତାର ବିଷୟ ।
ରିପୋର୍ଟ ଅନୁସାରେ, ଇନ୍ଫ୍ଲୁଏନ୍ସର୍ମାନେ ସପ୍ତାହକୁ ୯୦ ଘଣ୍ଟା ଯାଏ କାମ କରୁଛନ୍ତି । ତନ୍ମଧ୍ୟରୁ ଅଧିକାଂଶ ସମୟ ସେମାନେ ଫୋନ୍ରେ ବିତାଉଛନ୍ତି । ମଡେଲ ଏଭାର ଆଖି ଉପରେ ମଧ୍ୟ ଗମ୍ଭୀର ପ୍ରଭାବ ପଡ଼ିଥିବା ଦର୍ଶାଯାଇଛି । ଚିକିତ୍ସା ଜଗତରେ ଏହାକୁ ଡିଜିଟାଲ ଆଇ ଷ୍ଟ୍ରେନ୍ ବା କମ୍ପ୍ୟୁଟର ଭିଜନ୍ ସିଣ୍ଡ୍ରୋମ୍ କୁହାଯାଏ । ବର୍ଷ ବର୍ଷ ଧରି ଚେହେରାରେ ଫିଲର୍ ଲଗାଇବା ଯୋଗୁ ଚେହେରା ବିକୃତ ହୋଇଥିବା ଏଭା ଜରିଆରେ ବିଶେଷଜ୍ଞମାନେ ଦାବି କରିଛନ୍ତି । ଏହାର ଫଳସ୍ୱରୂପ ଗାଲ ଫୁଲିବା, ଡାହାଣୀ ଭଳି ଥୋଡ଼ି, ଚେହେରାର ଗଠନ କୃତ୍ରିମ ହୋଇଯାଏ । କେଶ ଉପରେ ମଧ୍ୟ ଏହାର କୁପ୍ରଭାବ ପଡ଼ିଥିବା ମଧ୍ୟ ଦେଖିବାକୁ ମିଳିଛି ।