ପ୍ଲାଷ୍ଟିକ ପ୍ରଦୂଷଣ ବିରୋଧରେ ସଂଗ୍ରାମ ଦେଶ-ଦେଶ ମଧ୍ୟରେ ବିଭେଦ ସୃଷ୍ଟି ନକରୁ । ସମସ୍ତେ ଅନୁଭବ କରୁଛନ୍ତି, ଏହି ପ୍ରଦୂଷଣ ନିମନ୍ତେ ସମସ୍ତଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ିବ । ତେଣୁ ବିକଶିତ ରାଷ୍ଟ୍ରମାନେ ଏଥିନିମନ୍ତେ ସାମାନ୍ୟ ଅଧିକ ଆର୍ଥିକ ବୋଝ ଆପଣେଇ ନେଲେ, ଆପଣାଛାଏଁ ସମାଧାନର ସୂତ୍ର ବାହାରି ଆସିବ ।

"ଯଦିଓ ଆମେ ସହମତିରେ ଚୁକ୍ତିନାମା ପ୍ରସ୍ତୁତ କରିପାରିଲୁ ନାହିଁ, ପ୍ଲାଷ୍ଟିକ ପ୍ରଦୂଷଣ ବିରୋଧରେ ଆମର ସଂଗ୍ରାମ ଜାରି ରହିବ, ଯେଉଁ ପ୍ରଦୂଷଣ ଆମ ଭୂତଳ ଜଳ, ମାଟି, ନଦୀ, ସମୁଦ୍ର ଏପରିକି ଆମ ଶରୀରକୁ ବିଷାକ୍ତ କରିସାରିଛି । ଭୂରାଜନୈତିକ ଜଟିଳତା, ବ୍ୟାପକ ଅର୍ଥନୈତିକ ବିବିଧତା ଏବଂ ବହୁସ୍ତରୀୟ ଅସଙ୍ଗତିର ପୃଷ୍ଠଭୂମିରେ ଦୀର୍ଘ ଦଶଦିନ ବ୍ୟାପୀ ପ୍ଲାଷ୍ଟିକ ପ୍ରଦୂଷଣ ବିରୋଧରେ ମହାସଂଗ୍ରାମ ଜାରି ରହିଥିଲା । ଆନନ୍ଦର କଥା ସମସ୍ତ ଜଟିଳତା ସତ୍ତେ୍ୱ, ସମସ୍ତେ ପୁନଶ୍ଚ ଏକଜୁଟ ହେବା ପାଇଁ ସମ୍ମତି ପ୍ରଦାନ କରିଛନ୍ତି । ଧାର୍ଯ୍ୟ ଲକ୍ଷ୍ୟରେ ଉପନୀତ ହେବାର ବିଫଳତାରେ ଆମେ ଦୁଃଖୀ, କିନ୍ତୁ ନିରୁତ୍ସାହିତ ନୋହୁଁ, ବରଂ ଏହା ଆମ ଶକ୍ତିକୁ ବହୁଗୁଣିତ କରିବା ସହିତ ଆମ ସଂକଳ୍ପ ଓ ଆଙ୍କାକ୍ଷା ଜାଗରୁକ କରିବାରେ ପ୍ରୋତ୍ସାହିତ କରିଛି ।' ଚଳିତ ବର୍ଷ ସୁଇଜରଲାଣ୍ଡର ଜେନେଭାଠାରେ ଅଗଷ୍ଟ ୫ରୁ ୧୪, ଦଶଦିନ ବ୍ୟାପୀ ଅନୁଷ୍ଠିତ ବିଶ୍ୱ ପ୍ଲାଷ୍ଟିକ ଚୁକ୍ତିନାମାର ଅନ୍ତିମ ପର୍ଯ୍ୟାୟ ଆଲୋଚନା ବିଫଳ ହେବା ପରେ ମିଳିତ ଜାତିସଂଘର ପରିବେଶ ଯୋଜନା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଇଙ୍ଗର ଆଣ୍ଡେରସନ ଏହି ମନ୍ତବ୍ୟ ପ୍ରଦାନ କରିଛନ୍ତି । ଏହି ସମ୍ମେଳନରେ ୧୮୩ଟି ରାଷ୍ଟ୍ରର ୧୪୦୦ ପ୍ରତିନିଧି, ୪୦୦ ସଂଗଠନର ୧୦୦୦ରୁ ଅଧିକ ପର୍ଯ୍ୟବେକ୍ଷକ ଅଂଶଗ୍ରହଣ କରିଥିଲେ । ଏଥିସହିତ ବିଭିନ୍ନ ଦେଶର ୭୦ ଜଣ ମନ୍ତ୍ରୀ ଓ ୩୦ ଜଣ ଉଚ୍ଚ-କ୍ଷମତାସଂପନ୍ନ ପ୍ରତିନିଧି ଅନୌପଚାରିକ ଗୋଲଟେବୁଲ ବୈଠକରେ ଯୋଗ ଦେଇଥିଲେ ।

ପ୍ଲାଷ୍ଟିକ ଏବେ ଆମ ଜୀବନଶୈଳୀର ପ୍ରମୁଖ ଅଙ୍ଗ ପାଲଟି ଯାଇଛି । ବିମାନ ନିର୍ମାଣଠାରୁ ପରିବା ବ୍ୟାଗ ପର୍ଯ୍ୟନ୍ତ ସବୁଆଡ଼େ ଏହାର ଚାହିଦା ରହିଛି । ବହୁମୁଖୀତା, ସ୍ଥାୟିତ୍ୱ ଏବଂ କମ୍‌ ଖର୍ଚ୍ଚ କାରଣରୁ ପ୍ଲାଷ୍ଟିକର ବ୍ୟବହାର ବ୍ୟାପକ ହୋଇଯାଇଛି । ପ୍ୟାକେଜିଂ, ନିର୍ମାଣ, ପରିବହନ, ସ୍ୱାସ୍ଥ୍ୟସେବା, ଇଲେକ୍‌ଟ୍ରୋନିକ୍ସ ଆଦି କ୍ଷେତ୍ରରେ ଏହା ପ୍ରମୁଖ ଉପାଦାନ ଅଟେ ଏବଂ ପ୍ରତିବର୍ଷ ଏହି ସମସ୍ତ କ୍ଷେତ୍ରରେ ଚାହିଦା ବଢ଼ିବାରେ ଲାଗିଛି । ୧୯୫୦ ମସିହାରେ ପ୍ଲାଷ୍ଟିକର ସାମଗ୍ରିକ ଉତ୍ପାଦନ ଥିଲା ୨ ମିଲିୟନ ମେଟ୍ରିକ ଟନ୍‌ ଏବଂ ୨୦୨୪ ମସିହାରେ ଏହାର ପରିମାଣ ହେଉଛି ୪୬୦ ମିଲିୟନ ମେଟ୍ରିକ ଟନ୍‌ । ସାମଗ୍ରିକ ଭାବେ ପ୍ଲାଷ୍ଟିକ ଏବଂ ବିଶେଷକରି ଥରେ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକର ବହୁଳ ବ୍ୟବହାର ପରିବେଶ ପାଇଁ ପ୍ରଦୂଷଣଜନିତ ସମସ୍ୟା ସୃଷ୍ଟି କରିଥାଏ । ବ୍ୟବହାର ହେଉଥିବା ସମସ୍ତ ପ୍ଲାଷ୍ଟିକ ସାମଗ୍ରୀର ମାତ୍ର ୯% ପୁନଃବ୍ୟବହାର କରାଯାଉଛି ଏବଂ ଅବଶିଷ୍ଟ ୯୧% ବର୍ଜ୍ୟବସ୍ତୁ ଭାବେ ପରିବେଶକୁ ପ୍ରବେଶ କରୁଛି । ଯଦି ତୁରନ୍ତ ଏହାର ସମାଧାନର ପନ୍ଥା ନିରୂପଣ କରାନଯାଏ, ୨୦୬୦ ସୁଦ୍ଧା ପ୍ଲାଷ୍ଟିକ ବର୍ଜ୍ୟର ପରିମାଣ ତିନିଗୁଣ ବୃଦ୍ଧି ପାଇବାର ସମ୍ଭାବନା ରହିଛି ।

ପ୍ରଦୂଷଣ-ରାକ୍ଷସ ପ୍ଲାଷ୍ଟିକ: ମାନବ ସମାଜ, ପଶୁଜଗତ ଏବଂ ପରିବେଶ ପାଇଁ ପ୍ଲାଷ୍ଟିକ ଅତୀବ କ୍ଷତିକାରକ । ଏକ ରକ୍ଷଣଶୀଳ ଆକଳନ ଅନୁଯାୟୀ, ୨୦୫୦ ମସିହା ସୁଦ୍ଧା ସମୁଦ୍ରରେ ଥିବା ବର୍ଜ୍ୟ-ପ୍ଲାଷ୍ଟିକର ଓଜନ, ମାଛର ଓଜନ ଠାରୁ ଅଧିକ ହେବ । ପ୍ରତି ମୁହୂର୍ତ୍ତରେ ସମୁଦ୍ରରେ ପ୍ରବେଶ କରୁଥିବା ପ୍ଲାଷ୍ଟିକ ବର୍ଜ୍ୟର ବର୍ଦ୍ଧିତ ହାର ଆଧାରରେ ଏହା ଆକଳନ କରାଯାଇଛି । ସାମୁଦ୍ରିକ ଜୀବଜଗତ ଏବଂ ବ୍ୟାପକ ଇକୋସିଷ୍ଟମ ପାଇଁ ଏହା ଅତୀବ କ୍ଷତିକାରକ । ଯେତେବେଳେ ସମୁଦ୍ରର ଜୀବ କ୍ରମାଗତ ଭାବେ ପ୍ରାକୃତିକ ଖାଦ୍ୟ ସହିତ ପ୍ଲାଷ୍ଟିକକୁ ଗିଳି ଦେଇଥାଏ, ତାହା କେତେ ହାନିକାରକ ହୋଇପାରେ ଆମେ ଆକଳନ କରିପାରିବା । ପ୍ଲାଷ୍ଟିକ ଦୀର୍ଘସ୍ଥାୟୀ, ତେଣୁ ପ୍ରାକୃତିକ ଉପାୟରେ ଧ୍ୱଂସ ପାଇନଥାଏ । ଏହା ମୁଖ୍ୟତଃ ଅଜୈବ, ଅର୍ଥାତ ଅଣୁଜୀବ ଦ୍ୱାରା ଏହାକୁ ଭାଙ୍ଗି କ୍ଷତିହୀନ ପଦାର୍ଥରେ ପରିଣତ କରାଯାଇ ପାରେନାହିଁ । ଫଳରେ ଏହା ସଂପୂର୍ଣ୍ଣ ଧ୍ୱଂ ପାଏନାହିଁ, କ୍ଷୁଦ୍ରାତିକ୍ଷୁଦ୍ର ଖଣ୍ଡରେ ପରିଣତ ହୋଇ ପରିବେଶରେ ସାମିଲ ହୋଇଯାଏ, ଯାହା ସୂକ୍ଷ୍ମ ପ୍ଲାଷ୍ଟିକ (ମାଇକ୍ରୋ, ନାନୋ) ନାମରେ ଅଭିହିତ । ବିଭିନ୍ନ ପ୍ରକାର ପ୍ଲାଷ୍ଟିକର ବିଘଟନ ହାର ଭିନ୍ନ ଭିନ୍ନ । ଏକକ ବ୍ୟବହାର ପ୍ଲାଷ୍ଟିକ ବ୍ୟାଗ ୨୦- ୨୫ ବର୍ଷ ମଧ୍ୟରେ ଖଣ୍ଡ ଖଣ୍ଡ ହୋଇଯାଏ, ଅଥଚ ପ୍ଲାଷ୍ଟିକ ବୋତଲ ପାଇଁ ୫୦୦ରୁ ୧୦୦୦ ବର୍ଷ ଲାଗିପାରେ । ସୂକ୍ଷ୍ମ ପ୍ଲାଷ୍ଟିକ ଉଚ୍ଚତମ ପର୍ବତ ଠାରୁ ଗଭୀରତମ ସମୁଦ୍ର ପର୍ଯ୍ୟନ୍ତ ସବୁଆଡ଼େ ବିଦ୍ୟମାନ । ଖାଦ୍ୟରେ ଏବଂ ପ୍ରଶ୍ୱାସରେ ମଣିଷ ଅହରହ ଏହାକୁ ଗ୍ରହଣ କରୁଛି, ଏଥିରୁ ନିସ୍ତାର ନାହିଁ । ଫଳରେ ହୃଦରୋଗ ସହିତ ସ୍ନାୟୁ ଏବଂ ଶ୍ୱାସଜନିତ ନୂଆ ନୂଆ ରୋଗର ଶିକାର ହେଉଛି । ନିଆଁରେ ଜଳାଇବା ଦ୍ୱାରା ପ୍ଲାଷ୍ଟିକ ସାମଗ୍ରୀ ଧ୍ୱଂସ ପାଇଯାଏ, କିନ୍ତୁ ଯେଉଁ ବିଷାକ୍ତ ଧୂଆଁ ନିର୍ଗତ ହୁଏ ତାହା ସମଗ୍ର ପରିବେଶକୁ ଦୂଷିତ କରିଥାଏ । ପୋଡ଼ା ପ୍ଲାଷ୍ଟିକରୁ ନିର୍ଗତ ପାଉଁଶ, ମାଟି ଓ ଜଳକୁ ଦୂଷିତ କରି ପରିବେଶ ଓ ଜୀବଜଗତ ପାଇଁ ହାନିକାରକ ପାଲଟିଯାଏ । ମିଳିତ ଜାତିସଂଘ ପରିବେଶ କାର୍ଯ୍ୟକ୍ରମର ତଥ୍ୟ ଅନୁଯାୟୀ, ୨୦୨୫ ମସିହାରେ ସାମଗ୍ରିକ ପରିବେଶ ଏବଂ ମାନବ ସ୍ୱାସ୍ଥ୍ୟ ଉପରେ ପ୍ଲାଷ୍ଟିକ ପ୍ରଦୂଷଣର ବାର୍ଷିକ ବୈଶ୍ୱିକ ମୂଲ୍ୟ ୩୦୦-୬୦୦ ବିଲିୟନ ଡଲାର ଆକଳନ କରାଯାଇଛି ।

ପ୍ଲାଷ୍ଟିକ ଚୁକ୍ତିନାମା କ'ଣ ଓ କାହିଁକି: ବହୁ ବିଳମ୍ବରେ, ୨୦୨୨ ମସିହାରେ "ମିଳିତ ଜାତିସଂଘ ପରିବେଶ କାର୍ଯ୍ୟକ୍ରମ' ସମସ୍ତ ସଦସ୍ୟ ରାଷ୍ଟ୍ରଙ୍କୁ ଏକଜୁଟ କରି ଆଇନଗତ ଚୁକ୍ତିନାମା ଆଧାରରେ ପ୍ଲାଷ୍ଟିକ ପ୍ରଦୂଷଣ ରୋକିବା ନିମନ୍ତେ ସ୍ୱତନ୍ତ୍ର ଯୋଜନା ଆରମ୍ଭ କଲେ । ଏହା ପୂର୍ବରୁ ବିଭିନ୍ନ ବାର୍ଷିକ ଯୋଜନା ଆୟୋଜନ କରାଯାଇଥିଲା, ଯଥା- ୨୦୧୭ ମସିହାରେ "ସ୍ୱଚ୍ଛ ସମୁଦ୍ର ଅଭିଯାନ', ୨୦୧୮ ମସିହାରେ ବିଶ୍ୱ ପରିବେଶ ଦିବସର ସ୍ଳୋଗାନ ରହିଥିଲା "ପ୍ଲାଷ୍ଟିକ ପ୍ରଦୂଷଣକୁ ପ୍ରହାର', ୨୦୧୯ ମସିହାରେ "ନୂତନ ପ୍ଲାଷ୍ଟିକ ଅର୍ଥନୀତି ନିମନ୍ତେ ବିଶ୍ୱ ପ୍ରତିବଦ୍ଧତା', ୨୦୨୦ ମସିହାରେ "ବିଶ୍ୱ ପର୍ଯ୍ୟଟନ ପ୍ଲାଷ୍ଟିକ ଅଭିଯାନ' ଆଦି ପ୍ରମୁଖ । ୨୦୨୧ ମସିହା ସେପ୍ଟେମ୍ବର ୧-୨ରେ ଜର୍ମାନ, ଘାନା, ଭିଏତନାମ, ଇକୁଏଡର- ଏହି ଚାରୋଟି ରାଷ୍ଟ୍ର ମିଳିତ ଭାବେ ସୁଇଜରଲାଣ୍ଡ, ଜେନେଭାଠାରେ "ସାମୁଦ୍ରିକ ଆବର୍ଜନା ଓ ପ୍ଲାଷ୍ଟିକ ପ୍ରଦୂଷଣ' ଉପରେ ବିଶ୍ୱ ସମ୍ମିଳନୀ ଆୟୋଜନ କରି ବୈଶ୍ୱିକ ରାଜିନାମା ଓ ସହମତି ପାଇଁ ମନ୍ତ୍ରୀସ୍ତରୀୟ ବିବୃତି ଜାରି କରିଥିଲେ । କିନ୍ତୁ ବାସ୍ତବରେ ୨୦୨୨ ମସିହା ମାର୍ଚ୍ଚ ମାସରେ କେନ୍ୟାର ନାଇରୋବିରେ ଅନୁଷ୍ଠିତ "ମିଳିତ ଜାତିସଂଘ ପରିବେଶ ପରିଷଦ'ର ପଞ୍ଚମ ଅଧିବେଶନରେ ସାମୁଦ୍ରିକ ପରିବେଶ ଏବଂ ପ୍ଲାଷ୍ଟିକ ପ୍ରଦୂଷଣ ଉପରେ "ଏକ ବାଧ୍ୟତାମୂଳକ ଅନ୍ତର୍ଜାତୀୟ ଆଇନଗତ ଚୁକ୍ତିନାମା' ପ୍ରସ୍ତୁତ କରିବା ପାଇଁ ଐତିହାସିକ ପ୍ରସ୍ତାବ ଗୃହୀତ ହେବା ପରେ ପ୍ଲାଷ୍ଟିକ ପ୍ରଦୂଷଣ ବିରୋଧରେ ମହାସଂଗ୍ରାମ ଜାରିହେଲା । ମିଳିତ ଜାତିସଂଘ ପରିବେଶ ପରିଷଦର ସୁବର୍ଣ୍ଣ ଜୟନ୍ତୀ ଅବସରରେ ଆୟୋଜିତ ଏହି ସ୍ୱତନ୍ତ୍ର ଅଧିବେଶନରେ ସମସ୍ତ ୧୯୩ ସଦସ୍ୟ ରାଷ୍ଟ୍ରଙ୍କ ପ୍ରତିନିଧି ଉପସ୍ଥିତ ଥିଲେ । ଏହି ପ୍ରସ୍ତାବରେ ମିଳିତ ଜାତିସଂଘ ପରିବେଶ କାର୍ଯ୍ୟକ୍ରମର ନିର୍ଦ୍ଦେଶକଙ୍କୁ "ଆନ୍ତଃ ସରକାରୀ ଆଲୋଚନା କମିଟି' (ଇଣ୍ଟର-ଗଭର୍ଣ୍ଣମେଣ୍ଟାଲ ନିଗୋସିଏଟିଂ କମିଟି) ମାଧ୍ୟମରେ ପ୍ଲାଷ୍ଟିକ ଉତ୍ପାଦନ ଠାରୁ ବିନାଶ ପର୍ଯ୍ୟନ୍ତ ପୂର୍ଣ୍ଣ ଜୀବନଚକ୍ର ଆଧାରିତ ବ୍ୟାପକ ଯୋଜନା ପ୍ରସ୍ତୁତ କରିବା ପାଇଁ ଅନୁରୋଧ କରାଗଲା । ଏଥିରେ ଯେଉଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା ତାହାର ଶୀର୍ଷକ ଥିଲା "ପ୍ଲାଷ୍ଟିକ ପ୍ରଦୂଷଣର ଅନ୍ତ: ଅନ୍ତର୍ଜାତୀୟସ୍ତରରେ ଆଇନଗତ ବାଧ୍ୟତାମୂଳକ ସାଧନ ସନ୍ଧାନରେ' ଏବଂ ୨୦୨୪ ସୁଦ୍ଧା ସର୍ବ ସହମତିରେ ଏ ଚୁକ୍ତିନାମା ସ୍ୱାକ୍ଷରିତ ହେବ ବୋଲି ଆଶା ପ୍ରକଟ କରାଗଲା । ଏହା ହିଁ ହେଉଛି ପ୍ଲାଷ୍ଟିକ ପ୍ରଦୂଷଣ ରୋକିବା ଦିଗରେ ମିଳିତ ଜାତିସଂଘ ତରଫରୁ ପ୍ରଥମ ଯୋଜନାବଦ୍ଧ ପଦକ୍ଷେପ ।

ପ୍ଲାଷ୍ଟିକ ଚୁକ୍ତିନାମା ବିଫଳ ହେଉଛି କାହିଁକି: ପରବର୍ତ୍ତୀ ପଦକ୍ଷେପ ସ୍ୱରୂପ, ୨୦୨୨ ମସିହା ନଭେମ୍ବର ୨୮ରୁ ଡିସେମ୍ବର ୨ ତାରିଖ ପର୍ଯ୍ୟନ୍ତ ଉରୁଗୁଏ ଠାରେ "ଆନ୍ତଃ ସରକାରୀ ଆଲୋଚନା କମିଟି'ର ପ୍ରଥମ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ସହମତି ନହେବାରୁ ଅନ୍ତିମ ପ୍ରସ୍ତାବ ଗୃହୀତ ହୋଇପାରିନଥିଲା । ଏହି କମିଟିର ଦ୍ୱିତୀୟ ଅଧିବେଶନ ଫ୍ରାନ୍‌ସ, ତୃତୀୟ ଅଧିବେଶନ କେନ୍ୟା, ଚତୁର୍ଥ ଅଧିବେଶନ କାନାଡ଼ା, ପଞ୍ଚମ ଅଧିବେଶନ(୧) କୋରିଆ ଏବଂ ୨୦୨୫ ମସିହାରେ ପଞ୍ଚମ ଅଧିବେଶନ(୨) ସୁଇଜରଲାଣ୍ଡର ଜେନେଭା ଠାରେ ଅନୁଷ୍ଠିତ ହୋଇଯାଇଛି । କ୍ରମାଗତ ଭାବେ ପାଞ୍ଚଟି ଅଧିବେଶନ ସତ୍ତ୍ଵେ ରାଜିନାମା ସହମତି କ୍ରମେ ପ୍ରସ୍ତୁତ ହୋଇପାରିନାହିଁ । କାରଣ ଚୁକ୍ତିନାମାରେ ସମସ୍ତଙ୍କର ସହମତି ଆବଶ୍ୟକ । ସିଦ୍ଧାନ୍ତ ହେଉଛି "ଯେପର୍ଯ୍ୟନ୍ତ ସବୁ କଥାରେ ସହମତି ନହୋଇଛି, ସେପର୍ଯ୍ୟନ୍ତ କୌଣସି କଥାରେ ସହମତି ନାହିଁ ।'

ସଦ୍ୟତମ ସମାପ୍ତ ଜେନେଭା ଅଧିବେଶନରେ ମିଳିତ ଜାତିସଂଘର ୧୮୪ଟି ସଦସ୍ୟ ରାଷ୍ଟ୍ରର ୧୪୦୦ ପ୍ରତିନିଧି, ସ୍ୱେଚ୍ଛାସେବୀ ସଂଗଠନ, ଶିଳ୍ପଜଗତ ଆଦି ୪୦୦ ସଂସ୍ଥାର ୧୦୦୦ ପର୍ଯ୍ୟବେକ୍ଷକ ଉପସ୍ଥିତ ଥିଲେ । ଆଲୋଚନା ସମୟରେ କମିଟିର ଅଧିବେଶନ ଦୁଇଟି ଭାଗରେ ବିଭକ୍ତ ହୋଇଯାଇଥିଲା । ପ୍ଲାଷ୍ଟିକ ପ୍ରଦୂଷଣ ଉପରେ କଠୋର ଆଭିମୁଖ୍ୟ ଗ୍ରହଣ କରିଥିବା ନରୱେ, ପାନାମା, ଇଉରୋପୀୟ ସଂଘ, ବ୍ରିଟେନ ଆଦି ୧୦୦ଟି ରାଷ୍ଟ୍ରସମୂହ ଏବଂ ଅପରପକ୍ଷେ ଚୀନ ଓ ଭାରତ ସମର୍ଥନରେ କୁଏତ, ସାଉଦି ଆରବ, ରୁଷିଆ ଆଦି ତୈଳ ଓ ପେଟ୍ରୋକେମିକାଲ ଉତ୍ପାଦନକାରୀ ରାଷ୍ଟ୍ରସମୂହ । ପ୍ରଥମ ଗୋଷ୍ଠୀ ପ୍ଲାଷ୍ଟିକ ଉତ୍ପାଦନ ହ୍ରାସ କରିବା, ପ୍ଲାଷ୍ଟିକ ଉତ୍ପାଦରେ ବ୍ୟବହୃତ ବିଷାକ୍ତ ରାସାୟନିକ ପଦାର୍ଥକୁ ରୋକିବା ଏବଂ ସ୍ୱାସ୍ଥ୍ୟ ଉପରେ ପ୍ଲାଷ୍ଟିକର ପ୍ରଭାବ ସଂପର୍କରେ ସ୍ପଷ୍ଟ ଉଲ୍ଲେଖ କରିବା ପାଇଁ ବୈଧାନିକ ବାଧ୍ୟତାମୂଳକ ପଦକ୍ଷେପ ଉପରେ ଗୁରୁତ୍ୱ ଦେଉଥିବାବେଳେ ଦ୍ୱିତୀୟ ଗୋଷ୍ଠୀର ଯୁକ୍ତି ଥିଲା ବିକାଶ ନିମନ୍ତେ ପ୍ଲାଷ୍ଟିକ ଅନିବାର୍ଯ୍ୟ, ତେଣୁ ପ୍ରାଥମିକ ପଲିମର ଉତ୍ପାଦନ ହ୍ରାସ ପାଇଲେ ବିଶ୍ୱ ବାଣିଜ୍ୟ ବାଧାପ୍ରାପ୍ତ ହେବ । ତେଣୁ ଏହି ଚୁକ୍ତିନାମା ପରିବେଶ ସୁରକ୍ଷା ଉପରେ ନୁହେଁ ବାଣିଜ୍ୟ ହ୍ରାସ ନିମନ୍ତେ ଉଦ୍ଦିଷ୍ଟ । ଏହାକୁ ସମର୍ଥନ କରି ଭାରତର ଯୁକ୍ତି ଥିଲା- ଏହି ଚୁକ୍ତି ଅନ୍ତର୍ଗତ ଆର୍ଥିକ ବ୍ୟବସ୍ଥା ଯାହା ଜାତୀୟ ପରିସ୍ଥିତି ଉପରେ ଆଧାରିତ ନୁହେଁ, ବିକାଶଶୀଳ ରାଷ୍ଟ୍ର ଉପରେ ଆର୍ଥିକ ବୋଝ ସୃଷ୍ଟି କରିବ, ଫଳରେ ପ୍ଲାଷ୍ଟିକ ପ୍ରଦୂଷଣ ବିରୋଧରେ ସଂଗ୍ରାମର ଆଭିମୁଖ୍ୟ ପରାସ୍ତ ହେବ । ପ୍ଲାଷ୍ଟିକ ପ୍ରଦୂଷଣ ବିରୋଧରେ ସଂଗ୍ରାମ ଦେଶ-ଦେଶ ମଧ୍ୟରେ ବିଭେଦ ସୃଷ୍ଟି ନକରୁ । ସମସ୍ତେ ଅନୁଭବ କରୁଛନ୍ତି, ଏହି ପ୍ରଦୂଷଣ ନିମନ୍ତେ ସମସ୍ତଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ିବ । ତେଣୁ ବିକଶିତ ରାଷ୍ଟ୍ରମାନେ ଏଥିନିମନ୍ତେ ସାମାନ୍ୟ ଅଧିକ ଆର୍ôଥକ ବୋଝ ଆପଣେଇ ନେଲେ, ଆପଣାଛାଏଁ ସମାଧାନର ସୂତ୍ର ବାହାରି ଆସିବ ।

abhay​​​​​​​