ଭୁବନେଶ୍ୱର, ୧।୧ ଦିନକୁ ଦିନ ବଢ଼ୁଛି ପ୍ରଦୂଷଣର ମାତ୍ରା । କଳକାରଖାନା ଯେତିକି ବଢ଼ୁଛି, ପ୍ରଦୂଷଣ ମାତ୍ରାର ଗ୍ରାଫ୍‌ ସେତିକି ଉପରକୁ ଉଠୁଛି । କେମିତି ଏହାର ମାତ୍ରାକୁ କାବୁ କରିହେବ । ବାଟ ପାଉନାହାନ୍ତି ସରକାର । ଏ ଦିଗରେ ରାଜ୍ୟ ଓ ଜିଲ୍ଲାସ୍ତରରେ ଯେଉଁ ପଦକ୍ଷେପ ନିଆଯାଉଛି ତାକୁ ପ୍ରଭାବୀ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ତଦାରଖ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ । ଆସନ୍ତା ୫ ବର୍ଷରେ ଏ ବାବଦକୁ ସରକାର ୧୫୦ କୋଟି ଟଙ୍କା ବରାଦ କରିବାକୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପ୍ରସ୍ତାବ ରଖିଛି ।

         ରାଜ୍ୟରେ ପ୍ରଦୂଷଣ ନିୟନ୍ତ୍ରଣ ସଂପର୍କିତ ୬ଷ୍ଠ ପରିଚାଳନା କମିଟି ବୈଠକ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ବସିଥିଲା । ରାଜ୍ୟରେ ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ(ଏନସିଏପି)ର କାର୍ଯ୍ୟକାରିତା ସଂପର୍କରେ ସମୀକ୍ଷା ହୋଇଥିଲା । ରାଉରକେଲା, ଅନୁଗୁଳ, ତାଳଚେର, ବାଲେଶ୍ୱର, ରାଇରଙ୍ଗପୁର, କଟକ ଓ ଭୁବନେଶ୍ୱର ଆଦି ଶିଳ୍ପାଞ୍ଚଳ ସହରଗୁଡ଼ିକ ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମର ଅନ୍ତର୍ଭୁକ୍ତ ଅଟନ୍ତି । ଏ ସହରଗୁଡ଼ିକରେ ଏନସିଏପି ଅଧୀନରେ ବାୟୁ ଗୁଣବତ୍ତାରେ ପିଏମ୧୦ ଓ ପିଏମ୨.୫ର ମାତ୍ରାକୁ ନିରନ୍ତରତା ଭିତ୍ତିରେ କମାଇବାକୁ ଗୁରୁତ୍ୱ ଦିଆଯାଉଛି । ସହରାଞ୍ଚଳ ବା  ଗ୍ରାମାଞ୍ଚଳରେ ରାସ୍ତା ଧୂଳି, ନିର୍ମାଣ କାମ, ଶିଳ୍ପ କାରଖାନା, ଡିଜେଲ ଯାନ ଚାଳିତ ଧୂଆଁ ଆଦିରୁ ନିର୍ଗତ  ମୋଟ ଧୂଳି କଣିକା  ପିଏମ୧୦ (୧୦ ମାଇକ୍ରୋମିଟର କିମ୍ବା ତାଠାରୁ ଛୋଟ ) ପରିବେଶ ଏବଂ ବାୟୁ ଗୁଣବତ୍ତାରେ କ୍ଷତି ପହଞ୍ଚାଇ ଥାଏ । ପିଏମ୨.୫ ଅର୍ଥାତ୍‌ ୨.୫ ମାଇକ୍ରୋମିଟର ଠାରୁ କମ୍‌ ବ୍ୟାସ ବିଶିଷ୍ଟ ଧୂଆଁ ବା କଣିକା ଫୁସଫୁସ ମଧ୍ୟରେ ପହଞ୍ଚି ସ୍ୱାସ୍ଥ୍ୟ ହାନି ଘଟାଇଥାଏ । ତେଣୁ ଏନସିଏପି କାର୍ଯ୍ୟକ୍ରମ ଜରିଆରେ ଯାନବାହନ ଏବଂ ଶିଳ୍ପ କାରଖାନା ଆଦିରୁ ନିର୍ଗତ ଧୂଆଁ, ରାସ୍ତା ଧୂଳି ଓ ଆବର୍ଜନା ରୋକିବାକୁ ଦୀର୍ଘମିଆଦି ପଦକ୍ଷେପ ଗ୍ରହଣ କରାଯାଉଛି । ଆଗାମୀ ୫ ବର୍ଷରେ ପିଏମ୧୦ ଓ                   ପିଏମ୨.୫ର ମାତ୍ରା ୪୦ ପ୍ରତିଶତ କମାଇବାକୁ ଲକ୍ଷ୍ୟ ରଖାଯାଇଛି ।

  ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମରେ ମଧ୍ୟ କୋଇଲା, ଡିଜେଲ ଇତ୍ୟାଦି ଧୂଆଁ ଉତ୍ସଗୁଡିକୁ କମାଇ ସୌର ଶକ୍ତି, ପବନ, ଜଳ ଉତ୍ସ, ବିଦ୍ୟୁତ୍‌ ଚାଳିତ ଯାନ ଇତ୍ୟାଦିରୁ ସ୍ୱଚ୍ଛ ଉର୍ଜା ବ୍ୟବହାର ଉପରେ ଜୋର ଦିଆଯାଉଛି । ରାଜ୍ୟରେ ଏବେ ପ୍ରଦୂଷଣ ମାତ୍ରା ଅଧିକ ରହୁଥିବା ଅନ୍ୟ ୧୨ଟି ସହରକୁ ରାଜ୍ୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ (ଏସସିଏପି)ରେ ଅନ୍ତର୍ଭୁକ୍ତ କରାଯାଇଛି । ବାୟୁର ପ୍ରଦୁଷଣ ମାତ୍ରା  ଆଧାରରେ ରାଜ୍ୟର ବଡ଼ବିଲ, ବ୍ରହ୍ମପୁର, ବେଲପାହାଡ଼, ବଣାଇ, ବ୍ରଜରାଜନଗର, ଝାରସୁଗୁଡ଼ା, ଯୋଡ଼ା, କେନ୍ଦୁଝର, ପାରାଦୀପ, ପୁରୀ, ରାଜଗାଙ୍ଗପୁର, ସମ୍ବଲପୁର ଆଦି ସହରଗୁଡ଼ିକୁ ଏହି ପର୍ଯ୍ୟାୟଭୁକ୍ତ ଭାବେ ଚିହ୍ନିତ କରାଯାଇଛି ।

  ସୂଚନାଯୋଗ୍ୟ, ଏସ୍‌ସିଏପି କାର୍ଯ୍ୟକ୍ରମକୁ ୨୦୨୫ ଜୁନ୍‌ ୫ରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଥିଲେ ।  ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ  ପରିଚାଳନାରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତରଫରୁ ଏହାର କାର୍ଯ୍ୟ ଯୋଜନା ଓ ପ୍ରସ୍ତୁତି ସଂପର୍କରେ ଆଲୋଚନା କରାଯାଇଥିଲା । ବୈଠକରେ ଅଧ୍ୟକ୍ଷତା  କରି ମୁଖ୍ୟ ଶାସନ ସଚିବ ଉଭୟ ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ ଏବଂ ରାଜ୍ୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମକୁ ଅଧିକ ତଥ୍ୟ ଭିତ୍ତିକ ଏବଂ ଉପଯୁକ୍ତ ଭାବେ ପରିଚାଳନା କରିବାକୁ ପରାମର୍ଶ ଦେଇଛନ୍ତି  । ରାଜ୍ୟ ଓ ଜିଲ୍ଲାସ୍ତରରେ କାର୍ଯ୍ୟକ୍ରମ ତଦାରଖ ବ୍ୟବସ୍ଥାକୁ ଅଧିକ ପ୍ରଭାବୀ କରୁବାକୁ ଗୁରୁତ୍ୱ ଦିଆଯାଇଛି । ସହରାଞ୍ଚଳରେ ପାରିପାଶ୍ୱିର୍କ ସବୁଜିମା ସୃଷ୍ଟି ଓ ବ୍ୟାପକ ବୃକ୍ଷରୋପଣ ଉପରେ ସରକାର ଫୋକସ୍‌ କରୁଛନ୍ତି ।