ଓଡ଼ିଶାର ଦୁର୍ଗାପୂଜା ଭାଇଚାରା ଏବଂ ସଦ୍ଭାବର ପ୍ରତୀକ । ଯଦିଓ ଦୁର୍ଗାପୂଜା ମୁଖ୍ୟତଃ ସନାତନ ଓ ହିନ୍ଦୁ ସଂସ୍କୃତି ସହିତ ଜଡ଼ିତ, ସବୁଧର୍ମର ଲୋକେ ଏହାକୁ ଉତ୍ସାହର ସହିତ ପାଳନ କରିଥାଆନ୍ତି । ଆଜି ଦିନ ହେଉଛି ଉପାସନାର ଦିନ, ମା’ଙ୍କଠାରୁ ଆଶୀର୍ବାଦ ଭିକ୍ଷା କରିବାର ଦିନ । ଏହି ପବିତ୍ର ଉତ୍ସବରେ ମୁଁ ସମସ୍ତ ଦେଶବାସୀ, ବିଶେଷ ଭାବେ ଓଡ଼ିଶାବାସୀଙ୍କ କଲ୍ୟାଣ ଓ ଉତ୍ତରୋତ୍ତର ଉନ୍ନତି ପାଇଁ ମା’ ଜଗଜ୍ଜନନୀଙ୍କ ପାଖରେ ପ୍ରାର୍ଥନା କରୁଛି ।

mohan

ସୃଷ୍ଟି ସ୍ଥିତି ବିନାଶାନାଂ ଶକ୍ତିଭୂତେ ସନାତନୀ । ଗୁଣାଶ୍ରେୟ ଗୁଣମୟେ ନାରାୟଣୀ ନମୋସ୍ତୁତେ? ସୃଷ୍ଟି (ସୃଜନ), ସ୍ଥିତି (ପାଳନ) ଏବଂ ବିନାଶର (ସଂହାର) ଶାଶ୍ୱତ ଶକ୍ତି, ପରମ ଓ ମୌଳିକ ଶକ୍ତିର ଅଧିକାରିଣୀ, ସର୍ବବ୍ୟାପ୍ତ । ହେ ସନାତନୀ ଦେବୀ, ସର୍ବଗୁଣସମ୍ପନ୍ନୀ, ସର୍ବଗୁଣମୟୀ ନାରାୟଣୀଙ୍କୁ ଭକ୍ତିପୂତ ପ୍ରଣାମ । ଆଜି ସାରା ଦେଶ ବିଜୟା ଦଶମୀ ହର୍ଷ, ଉଲ୍ଲାସ ଓ ଆନନ୍ଦରେ ପାଳନ କରୁଛି । ଏହା ଏକ ଅପୂର୍ବ ସଂଯୋଗ ଯେ ଚଳିତ ବର୍ଷ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୬ତମ ଜୟନ୍ତୀ ମଧ୍ୟ ଦଶହରା ଦିନ ପାଳିତ ହେଉଛି । ଖଳ ବ୍ରିଟିଶ ଶାସକ ବିରୁଦ୍ଧରେ ହୋଇଥିବା ସ୍ୱାଧୀନତା ଆନ୍ଦୋଳନରେ ନେତୃତ୍ୱ ନେଇ ଦେଶକୁ ସ୍ୱାଧୀନ କରିବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ ।

 ଆଜିର ଦିନରେ ଭାରତମାତାଙ୍କ ଆଉ ଜଣେ ସୁଯୋଗ୍ୟ ସନ୍ତାନ, ଲାଲବାହାଦୁର ଶାସ୍ତ୍ରୀ ଜନ୍ମଗ୍ରହଣ କରି ‘ଜୟ ଯବାନ, ଜୟ କିଷାନ' ନାରାରେ ସାରା ଦେଶକୁ ଉଦ୍‌ବୁଦ୍ଧ କରିଥିଲେ । ଏହି ଉଭୟ ବରପୁତ୍ରଙ୍କ ଜୟନ୍ତୀ ଉପଲକ୍ଷେ ଆଜି ସାରାଦେଶ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ଗତ ମାସ ୨୨ ତାରିଖ ନବରାତ୍ରର ଶୁଭାରମ୍ଭରୁ ଆରମ୍ଭ ହୋଇଥିବା ଶାରଦୀୟ ଦୁର୍ଗାପୂଜାର ଆଜି ହେଉଛି ଅନ୍ତିମ ଦିବସ । ଦଶହରା ତଥା ବିଜୟା ଦଶମୀ ହେଉଛି ଦୁଷ୍ଟ ସଂହାରର ପ୍ରତୀକ । ଆଜିର ଦିନରେ ମା' ଦୁର୍ଗା ସଂପୂର୍ଣ୍ଣ ଦେବଶକ୍ତିରେ ସୁସଜ୍ଜିତ ହୋଇ ମହିଷାସୁରକୁ ବଧ କରିଥିଲେ ଏବଂ ଆଜିର ଦିନରେ ପ୍ରଭୁ ଶ୍ରୀରାମ ମା' ଦୁର୍ଗାଙ୍କ ଆଶୀର୍ବାଦରେ ଦାନବରାଜ ରାବଣର ବଧ କରିଥିଲେ । ଉଭୟ ମହିଷାସୁର ଏବଂ ରାବଣ ହେଉଛନ୍ତି "ଦୁଷ୍ଟ' ଚରିତ୍ର, ଅତ୍ୟାଚାରର ପ୍ରତୀକ । ତେଣୁ ସାରା ଭାରତବର୍ଷରେ ଦଶହରାକୁ "ମନ୍ଦ ଉପରେ ଭଲର ବିଜୟ'ର ପ୍ରତୀକ ଭାବେ ପାଳନ କରାଯାଏ । ଆଜି ହୁଏତ ମହିଷାସୁର କିମ୍ବା ରାବଣ ପରି ଅତ୍ୟାଚାରୀ ଦାନବ ସଶରୀରେ ନାହାନ୍ତି, କିନ୍ତୁ ଆଧୁନିକ ସମାଜରେ ମାନବରୂପୀ ଦାନବ ବିଚରଣ କରୁଛନ୍ତି ।

 ଏମିତି କିଛି ଅସାମାଜିକ ତତ୍ତ୍ୱ ସମାଜର ଶାନ୍ତି, ସୌହାର୍ଦ୍ଦ୍ୟ ଏବଂ ଏକତା ନଷ୍ଟ କରିବାକୁ ବିଭିନ୍ନ ଘୃଣ୍ୟ କାର୍ଯ୍ୟ କରିଥାଆନ୍ତି । ସଭ୍ୟ ସମାଜରେ ତାଙ୍କର କୌଣସି ସ୍ଥାନ ନାହିଁ । ଏପରି ଦାନବୀୟ କୃତ୍ୟକୁ ସମାଜରୁ ନିର୍ମୂଳ କରିବା ପାଇଁ ଆଜିର ଦିନରେ ପ୍ରେରଣା ମିଳିଥାଏ । ମାନବ ଭିତରେ ଥିବା ଆସୁରିକ ମାନସିକତାକୁ ନିପାତ କରିବା "ବିଜୟା ଦଶମୀ' ର ପ୍ରମୁଖ ବାର୍ତ୍ତା । ଅସମାଜିକ ତତ୍ତ୍ୱ ନିଜ ଭିତରେ ରହିଥିବା ଏଇ ଆସୁରିକ ପ୍ରବୃତ୍ତିକୁ ନିର୍ମୂଳ କରନ୍ତୁ, ନହେଲେ ସେଥିପାଇଁ ସରକାର ସଦାସର୍ବଦା ଜାଗ୍ରତ ଅଛନ୍ତି । ଏବର୍ଷର ନବରାତ୍ର ଏବଂ ଦୁର୍ଗାପୂଜାର ଉତ୍ସବକୁ ଦ୍ୱିଗୁଣିତ କରିଛି । ପ୍ରଥମେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ନବରାତ୍ରିର ପ୍ରଥମ ଦିନରୁ ଲାଗୁ ହୋଇଥିବା ଜିଏସଟି ନେକ୍ସଷ୍ଟ ଜେନେରେସନ ସଂସ୍କାର । ପୂର୍ବ ଭାରତ ବିଶେଷ ଭାବେ ପଶ୍ଚିମବଙ୍ଗ ଏବଂ ଓଡ଼ିଶାରେ ପାର୍ବଣ ଋତୁରେ ସାଧାରଣ ଜନତା ଘରକରଣା ଦ୍ରବ୍ୟଠାରୁ ଆରମ୍ଭ କରି ଖାଦ୍ୟପଦାର୍ଥ, ପୋଷାକ ଇତ୍ୟାଦି କ୍ରୟ କରିଥାଆନ୍ତି । ନୂତନ ଜିଏସଟି ସଂସ୍କାର ଫଳରେ ଦେଶ ତଥା ରାଜ୍ୟର ପ୍ରତ୍ୟେକ ପରିବାର କିଛି ନା କିଛି ସଞ୍ଚୟ କରିବେ ।

 ଅର୍ଥନୀତିର ଗୋଟିଏ ପ୍ରମୁଖ ନୀତି ହେଉଛି "ଗୋଟିଏ ଟଙ୍କା ସଞ୍ଚୟ, ଅର୍ଥାତ୍‌ ଗୋଟିଏ ଟଙ୍କାର ଉପାର୍ଜନ' । ତେଣୁ ଓଡ଼ିଶାର ଜନସାଧାରଣ ଏହି ସଞ୍ଚୟ ଉତ୍ସବରେ ଅଂଶଗ୍ରହଣ କରି ଖୁସିକୁ ଦ୍ୱିଗୁଣିତ କରିଛନ୍ତି । ଦୁର୍ଗାପୂଜାକୁ ଆହୁରି ଅଧିକ ଆନନ୍ଦମୟ କରି ତୋଳିଛି, ଦେବୀଙ୍କ ଆଗମନ ଦିନ ଏସିଆ କପ୍‌ କ୍ରିକେଟରେ ଭାରତର ପଡ଼ୋଶୀ ଦେଶ ଉପରେ ଐତିହାସିକ ବିଜୟ । ଏହି ବିଜୟ କେବଳ ଏକ ଖେଳରେ ବିଜୟ ନୁହେଁ, ଏହା ଏକ କୁତ୍ସିତ ମାନସିକତା, ରାବଣ ଓ ମହିଷାସୁର ପରି ଦାନବ ମଧ୍ୟରେ ଅନ୍ତର୍ନିହିତ ଆସୁରିକ ଶକ୍ତି ଉପରେ ବିଜୟର ପ୍ରତୀକ । ପହଲଗାମ ନରସଂହାର ପରେ ଯେଉଁସବୁ ଘଟଣାଚକ୍ର ଅତିବାହିତ ହୋଇଯାଇଛି ଦେଶବାସୀଙ୍କ ଏହି ବିଜୟକୁ ନେଇ ଉଦ୍ଦୀପନାଯୁକ୍ତ ପ୍ରତିକ୍ରିୟା ସ୍ୱାଭାବିକ । ଦେବୀପୂଜନ ଭାରତୀୟ ସଂସ୍କୃତିର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଆମ ଧର୍ମଶାସ୍ତ୍ରରେ ଲେଖା ଅଛି "ଯତ୍ର ନାର୍ଯ୍ୟସ୍ତୁ ପୂଜ୍ୟନ୍ତେ, ରମନ୍ତେ ତତ୍ର ଦେବତାଃ' । 

ଭାରତବର୍ଷରେ ତ ଦେବଦେବୀଙ୍କୁ ପୂଜା କରାଯାଇଥାଏ, କିନ୍ତୁ ମାନବରୂପୀ ମାତୃଶକ୍ତିର ବି ବନ୍ଦନା କରାଯାଇଥାଏ । ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ନବରାତ୍ର ସମୟରେ "କୁମାରୀପୂଜା' । ଯଦିଓ କୁମାରୀପୂଜାର ଅନେକ ବିଧି ଅଛି, ମହାନବମୀରେ ନଅଜଣ ଅଳ୍ପବୟସ୍କ କୁମାରୀ କନ୍ୟାଙ୍କୁ ପୂଜା କରାଯାଇଥାଏ, ଯାହା "ନବଦୁର୍ଗା'ଙ୍କ ନଅ ପ୍ରକାର ସ୍ୱରୂପକୁ ଚିତ୍ରଣ କରିଥାଏ । ମାତୃଶକ୍ତି ବନ୍ଦନାର ଏପରି ପରମ୍ପରା କେବଳ ଭାରତୀୟ ସଂସ୍କୃତିରେ ଦେଖିବାକୁ ମିଳିଥାଏ । ଏପରି ରୀତିନୀତି ଆମକୁ ସବୁବେଳେ ସ୍ମରଣ କରାଇଥାଏ ଯେ, ମାତୃବନ୍ଦନା କେବଳ ପରମ୍ପରା ନୁହେଁ, ମାତୃଶକ୍ତିକୁ ସମସ୍ତେ ସବୁ ସମୟରେ ସମ୍ମାନ କରିବା ଉଚିତ । ଆଜି ବୋଧହୁଏ ଭାରତୀୟ ସଭ୍ୟତା ପୃଥିବୀର ସର୍ବପୁରାତନ ବିଭିନ୍ନ ଝଡ଼ଝଞ୍ଜା ସତ୍ତେ୍ୱ ବଞ୍ଚିରହିଥିବା ସଭ୍ୟତା । ଏହାର ଗୁପ୍ତ ରହସ୍ୟ ହେଉଛି "ବିବିଧତା ଭିତରେ ଏକତା' । 

ଦେଶର ବିଭିନ୍ନ ଅଞ୍ଚଳରେ ଦଶହରା ଓ ବିଜୟା ଦଶମୀ ଉତ୍ସବ ବିଭିନ୍ନ ପ୍ରକାରେ ପାଳନ କରାଯାଏ । ମହୀଶୂରର ପ୍ରସିଦ୍ଧ ଚାମୁଣ୍ଡେଶ୍ୱରୀ ପୂଜାରୁ ଆରମ୍ଭ କରି କୁଲୁ ଦଶହରାରେ ପ୍ରଭୁ ରଘୁନାଥଙ୍କ ପୂଜା, ସାରାଦେଶରେ ବିଭିନ୍ନ ପ୍ରକାରେ ଆଜି ଦିନରେ ଜଗତଜନନୀଙ୍କ ଉପାସନା କରାଯାଏ । ଓଡ଼ିଶାରେ ପାରମ୍ପରିକ ରୀତିନୀତିରେ ମୁଖ୍ୟତଃ ମହିଷାମର୍ଦ୍ଦିନୀ ଦେବୀଦୁର୍ଗା ପୂଜା ପାଇଥାଆନ୍ତି । ଓଡ଼ିଶାରେ ଶାରଦୀୟ ଦୁର୍ଗାପୂଜା ଅନନ୍ୟ, ସମସ୍ତ ଓଡ଼ିଶାବାସୀଙ୍କୁ ଏହି ପୂଜା ଏକତାର ସୂତ୍ରରେ ବାନ୍ଧିଥାଏ । ଆଜି ଦିନରେ ଲୋକେ ଶୁଭକାମ ବ୍ୟକ୍ତିଗତ ତଥା ବ୍ୟାବସାୟିକ ସ୍ତରରେ ଅନୁକୂଳ ବି କରିଥାଆନ୍ତି । ଜଗନ୍ନାଥ ସଂସ୍କୃତିରେ ଶକ୍ତିଙ୍କ ସ୍ଥାନ ସ୍ୱତନ୍ତ୍ର । ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଲାଗିହେଉଥିବା ଭୋଗ ମା' ବିମଳାଙ୍କୁ ଅର୍ପଣ ହେଲାପରେ "ମହାପ୍ରସାଦ'ର ଆଖ୍ୟା ଲାଭ କରିଥାଏ । ଦୁର୍ଗା ଦଶମୀ ଦିନ ପ୍ରଭୁ ଶ୍ରୀରାମ ରାବଣକୁ ବଧ କରିଥିଲେ ଏବଂ ସଂସାରକୁ ଆସୁରିକ ଅତ୍ୟାଚାରରୁ ମୁକ୍ତ କରିଥିଲେ । ତେଣୁ ଦଶହରାକୁ "ବିଜୟା ଦଶମୀ' ଭାବେ ପାଳନ କରାଯାଏ । 

ପ୍ରଭୁ ଶ୍ରୀରାମଙ୍କ ଅବତାର ପ୍ରଭୁ ଶ୍ରୀଜଗନ୍ନାଥ ଏହି ଦିନ ସୁନାବେଶ ହୋଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦିଅନ୍ତି । ଆଜି ଆମେ ଏକ ନୂତନ ସମୟରେ ଉପନୀତ ହୋଇଛୁ । ଆଧ୍ୟାତ୍ମିକ ସୁଖପ୍ରାପ୍ତି ଅପେକ୍ଷା ଭୌତିକ ସୁଖ ପଛରେ ସମସ୍ତେ ଧାଉଁଛନ୍ତି । କିନ୍ତୁ ସୌଭାଗ୍ୟବଶତଃ ଭାରତରେ ଏପର୍ଯ୍ୟନ୍ତ ଆଧ୍ୟାତ୍ମିକତା ଭାବ କେବଳ ଜୀବନ୍ତ ଅଛି ତାହା ନୁହେଁ, ଏହା ଅଧିକ ପରିପୁଷ୍ଟ ହେଉଛି । ବିଶେଷ ଖୁସିର କଥା ଯେ ଦେଶର ଯୁବ ସମାଜ ଆଧ୍ୟାତ୍ମିକତା ପ୍ରତି ଅଧିକ ଅନୁରାଗ ଦେଖାଉଛନ୍ତି । କୁମ୍ଭମେଳାରେ ରେକର୍ଡ ସଂଖ୍ୟକ ଶ୍ରଦ୍ଧାଳୁ ସ୍ନାନ କରିବା, ଅଯୋଧ୍ୟା ରାମ ମନ୍ଦିର ନିର୍ମାଣରେ ଯୁବଗୋଷ୍ଠୀଙ୍କ ଅବଦାନ, ଚଳିତ ପୁରୀ ରଥଯାତ୍ରାରେ ରେକର୍ଡ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଆଗମନ ଏହି ଆଧ୍ୟାତ୍ମିକତାର ଭାବକୁ ସୂଚିତ କରିଥାଏ । ଦେଶର ଜନତାଙ୍କ ମଧ୍ୟରେ ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ପୁନର୍ଜାଗ୍ରତ କରିବା ଦିଗରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଭୂମିକା ରହିଛି । ସେ ଦେଶର ଶାସନଭାର ଗ୍ରହଣ କରିବା ପରେ ନାରା ଦେଇଥିଲେ "ବିକାଶ ଭି, ବୀରାସତ ଭି' । ସେ କାୟମନୋବାକ୍ୟରେ ଏହି ଭାବନାକୁ ବ୍ୟକ୍ତିଗତ ସ୍ତରରେ ପାଳନ କରିଆସୁଛନ୍ତି । 
ଦେଶର ବିଭିନ୍ନ ମହତ୍ତ୍ୱପୂର୍ଣ୍ଣ ଧର୍ମୀୟସ୍ଥଳ ଯେପରିକି କାଶୀ ବିଶ୍ୱନାଥ କରିଡର, ମହାକାଳ କରିଡର, ଚାରିଧାମ ଯାତ୍ରା, ସେଙ୍ଗଲକୁ ଲୋକସଭାରେ ସ୍ଥାପିତ କରିବା ପରି କାର୍ଯ୍ୟକ୍ରମ ଦ୍ୱାରା ଦେଶର ସାଂସ୍କୃତିକ ଚେତନାକୁ ଏକ ନୂତନ ଦିଗନ୍ତ ମିଳିଛି । ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ଦୂରଦୃଷ୍ଟିରେ ପ୍ରେରିତ ହୋଇ ଓଡ଼ିଶା ସରକାର ବି ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ଶାସନ-ପ୍ରଶାସନର ଏକ ଅଭିନ୍ନ ଅଙ୍ଗଭାବେ ଅଭିହିତ କରି କାର୍ଯ୍ୟରତ । ବିଭିନ୍ନ ମଠ ମନ୍ଦିରର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କରିବା ସହିତ ମହତ୍ତ୍ୱପୂର୍ଣ୍ଣ ଉତ୍ସବ, ଯେପରିକି ବରଗଡ଼ ଧନୁଯାତ୍ରା, ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରାକୁ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି । ଗଣେଶ ପୂଜାଠାରୁ ଆରମ୍ଭ ହୋଇଥିବା ପାର୍ବଣ ଋତୁର ସବୁଠାରୁ ବଡ଼ ମହୋତ୍ସବ ହେଉଛି ଶାରଦୀୟ ଦୁର୍ଗାପୂଜା । ଓଡ଼ିଶାର ପୁରପଲ୍ଲୀରେ ଏହି ଉତ୍ସବ ପାଳିତ ହୋଇଥାଏ । ଜାତି, ଧର୍ମ, ବର୍ଣ୍ଣ, ନିର୍ବିଶେଷରେ ସମସ୍ତେ ମା'ଙ୍କ ଆରାଧନା କରିଥାଆନ୍ତି । ଉଚ୍ଚ-ନୀର ପ୍ରଭେଦ ନଥାଏ ଏହି ସମୟରେ । ମା' ପାଖରେ ସବୁ ଭକ୍ତ ସମାନ । ଏହି ଉତ୍ସବକୁ ସୁରକ୍ଷିତ, ମନୋରମ ଏବଂ ଆକର୍ଷଣୀୟ କରିବା ପାଇଁ ସରକାର ସବୁପ୍ରକାର ସହଯୋଗ ପ୍ରଦାନ କରୁଛନ୍ତି । ଆଜି ଓଡ଼ିଶାର ବିକାଶର ନୂତନ ଦିଗନ୍ତକୁ ଛୁଉଁଛି, ବିକାଶ ସହିତ ଓଡ଼ିଶାର ଭାଷା, ସାହିତ୍ୟ, ପରମ୍ପରାକୁ ସୁରକ୍ଷା କରିବା ସହିତ ପ୍ରଚାର ଓ ପ୍ରସାର କରିବା ପାଇଁ ସରକାର ଚେଷ୍ଟିତ ।

 ବିକାଶ ଓ ସଂସ୍କୃତି ସହିତ ୨୦୩୬ ସୁଦ୍ଧା ଗଠନ ହେବ ସମୃଦ୍ଧ ଓଡ଼ିଶା । ବିକଶିତ ଭାରତ ଓ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ସ୍ୱଦେଶୀ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଯାଉଛି । ତେଣୁ ପ୍ରଧାନମନ୍ତ୍ରୀଙ୍କ ଆହୂତ "ସ୍ୱଦେଶୀ' ମନ୍ତ୍ର ଅନୁଯାୟୀ ସମସ୍ତେ ଯେତେଦୂର ସମ୍ଭବ ସ୍ୱଦେଶୀ ବସ୍ତୁ କ୍ରୟ କରି ସ୍ୱଦେଶୀ ଅର୍ଥନୀତିକୁ ପ୍ରୋତ୍ସାହିତ କରନ୍ତୁ । ଓଡ଼ିଶାର ଦୁର୍ଗାପୂଜା ଭାଇଚାରା ଏବଂ ସଦ୍ଭାବର ପ୍ରତୀକ । ଯଦିଓ ଦୁର୍ଗାପୂଜା ମୁଖ୍ୟତଃ ସନାତନ ଓ ହିନ୍ଦୁ ସଂସ୍କୃତି ସହିତ ଜଡ଼ିତ, ସବୁଧର୍ମର ଲୋକେ ଏହାକୁ ଉତ୍ସାହର ସହିତ ପାଳନ କରିଥାଆନ୍ତି । ଏହାର ପ୍ରକୃଷ୍ଟ ଉଦାହରଣ ଦେଖିବାକୁ ମିଳେ ସର୍ବପୁରାତନ ଦୁର୍ଗାପୂଜା ଅନୁଷ୍ଠିତ ହେଉଥିବା କଟକ ସହରରେ । ସାଇଭାଇ, ଭାଇଚାରା ଓ ସାଂସ୍କୃତିକ ସମନ୍ୱୟର ଅପୂର୍ବ ସମାହାର କଟକର ବାଉନ ବଜାର ତେପନ ଗଳିରେ ଦେଖିବାକୁ ମିଳେ । କେବଳ କଟକ ନୁହେଁ, ଓଡ଼ିଶାର ପ୍ରତ୍ୟେକଟି ସ୍ଥାନରେ ଏହି ଭାବାବେଗରେ ଦଶହରାକୁ ପାଳନ କରାଯାଏ । ଏହି ସଂସ୍କୃତିକୁ ନେଇ ପ୍ରତ୍ୟେକ ଓଡ଼ିଶାବାସୀ ଗର୍ବ ଅନୁଭବ କରନ୍ତି । ଆଜି ଦିନ ହେଉଛି ଉପାସନାର ଦିନ, ମା'ଙ୍କଠାରୁ ଆଶୀର୍ବାଦ ଭିକ୍ଷା କରିବାର ଦିନ । ଏହି ପବିତ୍ର ଉତ୍ସବରେ ମୁଁ ସମସ୍ତ ଦେଶବାସୀ, ବିଶେଷ ଭାବେ ଓଡ଼ିଶାବାସୀଙ୍କ କଲ୍ୟାଣ ଓ ଉତ୍ତରୋତ୍ତର ଉନ୍ନତି ପାଇଁ ମା' ଜଗଜ୍ଜନନୀଙ୍କ ପାଖରେ ପ୍ରାର୍ଥନା କରୁଛି । ଦେହି ସୌଭାଗ୍ୟମାରୋଗ୍ୟଂ, ଦେହି ମେ ପରମଂ ସୁଖମ୍‌ । ରୂପଂ ଦେହି ଜୟଂ ଦେହି, ୟଶୋ ଦେହି ଦ୍ୱିଷୋ ଜହି । ହେ ଦେବୀ, ସଚରାଚର ସମସ୍ତଙ୍କୁ ସୁଖ ସମୃଦ୍ଧି, ରୂପ, ଗୁଣ, ସ୍ୱାସ୍ଥ୍ୟ, ଯଶ ଓ ସଫଳତା ପ୍ରଦାନ କରନ୍ତୁ ଏବଂ ମନୁଷ୍ୟ ମନରେ ଥିବା କାମ-କ୍ରୋଧ ପରି ଶତ୍ରୁଙ୍କୁ ବିନାଶ କରନ୍ତୁ । ଓଁ ଦୁର୍ଗେ ଦୁର୍ଗତିନାଶିନୀ ।