ବିଶ୍ୱ ଆତ୍ମହତ୍ୟା ନିବାରଣ ଦିବସ ପ୍ରତିବର୍ଷ ସେପ୍ଟେମ୍ବର ୧୦ ତାରିଖରେ ପାଳନ କରାଯାଏ । ୨୦୦୩ ମସିହାରୁ ସାରା ବିଶ୍ୱରେ ଆତ୍ମହତ୍ୟା ପ୍ରତିରୋଧର ସଚେତନତା ସୃଷ୍ଟି କରିବା ପାଇଁ WHO ଏବଂ World Federation of mental health ଏହା ପାଳନ କରିଥାନ୍ତି । ବର୍ଷକୁ ପୃଥିବୀରେ ପ୍ରାୟ ୭ଲକ୍ଷ ଜୀବନ ନେଉଥିବା ଏହି ଆତ୍ମହତ୍ୟା ସମାଜରେ ସାମାଜିକ, ପାରିବାରିକ ଏବଂ ଅର୍ଥନୈତିକ ସମସ୍ୟା ସୃଷ୍ଟି କରିଥାଏ । କିନ୍ତୁ ଏହାକୁ ମଣିଷ ସମାଜରେ ଏକ ବ୍ୟାଧି ରୂପେ ଗ୍ରହଣ କରାଯାଇନଥାଏ । କିନ୍ତୁ ଏହି ଆତ୍ମହତ୍ୟା ମାନସିକତା ଓ ପ୍ରବଣତା ଉପରେ ସଚେତନତା ସୃଷ୍ଟି କରାଗଲେ ପ୍ରାୟ ୮୦% କ୍ଷେତ୍ରରେ ଆତ୍ମହତ୍ୟା ରୋକାଯାଇପାରିବ ବୋଲି ଅନେକ ଚିକିତ୍ସକ, ସମାଜ ସଂସ୍କାରକ ମତ ଦିଅନ୍ତି । ଚଳିତବର୍ଷ ୨୦୨୫ ଆତ୍ମହତ୍ୟାର ନିରାକରଣ ନିମନ୍ତେ ବିଷୟବସ୍ତୁ ହେଉଛି– Changing the Narrative on Suicide. ଏହାର ଉଦ୍ଦେଶ୍ୟ ହେଉଛି ଆତ୍ମହତ୍ୟା କରିବାକୁ ଯାଉଥିବା ପ୍ରତ୍ୟେକ ବ୍ୟକ୍ତି ସହ ବିଚାରମୁକ୍ତ ଆଲୋଚନା ମାଧ୍ୟମରେ ତା’ର ଏହି ଆତ୍ମହତ୍ୟା ମାନସିକତାକୁ ଦୂର କରିବା । 

ଆତ୍ମହତ୍ୟା ସମ୍ପର୍କୀୟ କିଛି ରୋଚକ ତଥ୍ୟ: ବର୍ଷକୁ ପ୍ରାୟ ୭ଲକ୍ଷ ଲୋକ ଆତ୍ମହତ୍ୟା କରିଥାନ୍ତି ଏବଂ ପ୍ରତ୍ୟେକ ବ୍ୟକ୍ତି ଆତ୍ମହତ୍ୟାରେ ସଫଳ ହେବା ପୂର୍ବରୁ ପ୍ରାୟ ୨୦ଥର ଚେଷ୍ଟା କରିଥାଏ । ଏହି ମହାମାରୀ ୪୦ ସେକେଣ୍ଡରେ ଗୋଟିଏ ଜୀବନ ନେଇଥାଏ, ଯାହାକି ପୃଥିବୀରେ ମାନବୀୟ ଧ୍ୱଂସଲୀଳାଠୁ ଯଥେଷ୍ଟ ଅଧିକ । ବ୍ୟକ୍ତିର ଆତ୍ମହତ୍ୟାପ୍ରବଣତାର କାରଣ ଖୋଜିଲେ ଏହା ବିଭିନ୍ନ କାରଣ ଯଥା- ମାନସିକ, ସାମାଜିକ, ସାଂସ୍କୃତିକ, ଜିନ୍‌ଗତ ଓ ପରିବେଶଜନିତ ପ୍ରଭାବ ହିଁ ଦାୟୀ । କେଉଁମାନେ ଆତ୍ମହତ୍ୟାର ଆଶଙ୍କାଗ୍ରସ୍ତ ହୋଇଥାନ୍ତି? ନିଶାସେବନ, ବନ୍ଧୁତ୍ୱ ବିବାଦ, ଅବନତି, ଦୁରାରୋଗ୍ୟ ରୋଗଜନିତ ଅସହ୍ୟ ଯନ୍ତ୍ରଣା ହେଉଛି ଆତ୍ମହତ୍ୟାର କେତେକ ପ୍ରମୁଖ କାରଣ ଯାହାକି ଆତ୍ମହତ୍ୟାପ୍ରବଣତା ବଢ଼ାଇଥାଏ । ଏହା ବ୍ୟତୀତ ବ୍ୟକ୍ତିଗତ କିମ୍ବା ସାମାଜିକ ସଂଘର୍ଷ, ହିଂସା, ଆକସ୍ମିକ ଦୁର୍ବିପାକ, ଅପମାନ, ମୂଲ୍ୟବାନ ବସ୍ତୁ କିମ୍ବା ଆତ୍ମୀୟସ୍ୱଜନଙ୍କୁ ହରାଇବାର ଦୁଃଖ ବ୍ୟକ୍ତିଠାରେ ଆତ୍ମହତ୍ୟା ପ୍ରବଣତା ବଢ଼ାଇଥାଏ । 

ଭାରତରେ ଆତ୍ମହତ୍ୟାର ସମସ୍ୟା: ଭାରତରେ ଆତ୍ମହତ୍ୟା ବୃଦ୍ଧି ୨୦୧୮ରୁ ୨୦୨୨ ମଧ୍ୟରେ ପ୍ରାୟ ୨୭% ବୃଦ୍ଧି ଘଟିଛି । କରୋନା ପରେ ଏହା ଏକ ଜନସ୍ୱାସ୍ଥ୍ୟରେ ମାରାତ୍ମକ ସମସ୍ୟା ସୃଷ୍ଟି କରିଛି । ବିଶେଷକରି ସ୍କୁଲ, କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପରିଲକ୍ଷିତ ହୋଇଛି । ଏପରିକି କୋମଳମତି ପିଲା ଯେଉଁମାନେ ଏଣ୍ଟ୍ରାନ୍ସ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ସେମାନେ କାଳେ ‘ନିଟ୍‌-ଜିଇଇ’ରେ କୃତକାର୍ଯ୍ୟ ହୋଇପାରିବେନାହିଁ ଭାବି କୋଟା ଇତ୍ୟାଦି ସ୍ଥାନରେ ଆତ୍ମହତ୍ୟା କରିବାର ଦୃଷ୍ଟାନ୍ତ ପରିଲକ୍ଷିତ ହେଉଛି । ଛାତ୍ରଛାତ୍ରୀମାନଙ୍କର ଆତ୍ମହତ୍ୟା ସମୁଦାୟ ଆତ୍ମହତ୍ୟାର ପ୍ରାୟ ୮% । ଭାବନ୍ତୁ ଏକମାତ୍ର ସନ୍ତାନ ଥିବା ପିତାମାତାଙ୍କର ପିଲାର ଅକାଳ ମୃତ୍ୟୁ ସେମାନଙ୍କର ମାନସିକ ଅବସ୍ଥାକୁ କିପରି ଭାବେ ଦୋହଲାଇ ଦେଉଥିବ । କିନ୍ତୁ ଏଥିରେ ଆମେ ସଚେତନ ହେଲେ ପ୍ରାୟ ୮୦% କ୍ଷେତ୍ରରେ ଆତ୍ମହତ୍ୟା କରିବାର ପୂର୍ବ ସଂକେତକୁ ଜାଣିପାରିଲେ ସେମାନଙ୍କୁ ଆତ୍ମହତ୍ୟାରୁ ରୋକାଯାଇପାରିବ । 

ଆତ୍ମହତ୍ୟା କରିବାର ପୂର୍ବ ଲକ୍ଷଣ ଗୁଡ଼ିକ ହେଲା: ଅତ୍ୟନ୍ତ ଦୁଃଖ ଅନୁଭବ କରିବା, ଜୀବନଟା ହତାଶିଆ ବୋଧହେବା, ବଞ୍ଚିବାର ଇଚ୍ଛା ନହେବା, ଅସମ୍ମାନ ହେଲାଭଳି ଲାଗିବା, ଖାଦ୍ୟ ପାନୀୟଠାରୁ ଦୂରେଇ ରହିବା, କୌଣସି କାମରେ ମନ ନଲାଗିବା, ବନ୍ଧୁ ପରିଜନଙ୍କ ଠାରୁ ଦୂରେଇଯିବା, ନିଜକୁ ଅସହାୟ, ଶକ୍ତିହୀନ ଓ ମୂଲ୍ୟହୀନ ଭଳି ଲାଗିବା, ମନକୁ ବାରମ୍ବାର ଆତ୍ମହତ୍ୟାର ଚିନ୍ତା ଆସିବା ଏବଂ ଆତ୍ମହତ୍ୟା ନେଇ କଥା ହେବା । କୌଣସି ବନ୍ଧୁ ଓ ପରିଜନଙ୍କ ପାଖରେ ଏସବୁ ଲକ୍ଷଣ ଦେଖାଗଲେ ତାକୁ ଯଥାଶୀଘ୍ର ନେଇ ମାନସିକ ରୋଗ ବିଶେଷଜ୍ଞଙ୍କର ପରାମର୍ଶ କରିବା ଉଚିତ । ଏଥିପାଇଁ ‘ହୁ’ କେତୋଟି ବିଷୟରେ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛି- କୀଟନାଶକ ଏବଂ କେତେକ ଔଷଧର ବ୍ୟବହାରକୁ ସୀମିତ ରଖିବା, ଯୁବକ ଓ ଯୁବତୀମାନଙ୍କୁ ସାମାଜିକ ଭାବପ୍ରବଣତା ଜୀବନକୌଶଳ ସମ୍ପର୍କରେ ଶିକ୍ଷା ଦେବା । ଆତ୍ମହତ୍ୟାପ୍ରବଣ ବ୍ୟକ୍ତିକୁ ଚିହ୍ନଟ କରି ସେମାନଙ୍କୁ ଆବଶ୍ୟକ ସାହାଯ୍ୟ ଓ ପରାମର୍ଶ ଯୋଗାଇଦେବା । ଏଥିପାଇଁ ମଧ୍ୟ ବିଭିନ୍ନ ୟୁନିଭରସିଟି ଓ କଲେଜମାନଙ୍କରେ ପରାମର୍ଶ କକ୍ଷ ଖୋଲା ହେଇଛି । 

kookk​​​​​​​

ପ୍ରାୟ ୯୦% ଆତ୍ମହତ୍ୟା ପଛରେ ଏକ ମାନସିକ ରୋଗର କାରଣ ରହିଥାଏ ଏବଂ ୬୦% କ୍ଷେତ୍ରରେ ମାନସିକ ବିଷାଦତା ଏକ ପ୍ରମୁଖ କାରଣ ଥାଏ । ଏଣୁ ଆତ୍ମହତ୍ୟା ଘଟଣା ପୂର୍ବରୁ ଓ ଘଟଣା ସମୟରେ ବ୍ୟକ୍ତିର ମାନସିକ ଅବସ୍ଥାକୁ ବୁଝି ଆବଶ୍ୟକ ବ୍ୟବସ୍ଥା କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ । ମାନସିକ ସ୍ୱାସ୍ଥ୍ୟ ଓ ଆତ୍ମହତ୍ୟାର ନିରାକରଣ ବିଷୟରେ ବିଭିନ୍ନ ସରକାରୀ, ବେସରକାରୀ ସଂସ୍ଥା ଓ ଶିକ୍ଷାନୁଷ୍ଠାନରେ ବ୍ୟକ୍ତିବିଶେଷ ଓ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆଲୋଚନା କଲେ ଆତ୍ମହତ୍ୟା ସଂପର୍କରେ ସମାଜର ଦୃଷ୍ଟିଭଙ୍ଗୀ ବଦଳିବାରେ ସହାୟକ ହୋଇପାରିବ । ଏହା ମଧ୍ୟ ମନେରଖିବା ଉଚିତ, ଏହି ସୁନ୍ଦର ସଂସାରରେ ଆତ୍ମହତ୍ୟାର ଚିନ୍ତା ମଧ୍ୟ କ୍ଷଣସ୍ଥାୟୀ । ଏଣୁ ଏକ ସଚେତନ ନାଗରିକ ରୂପେ ଏହି କ୍ଷଣସ୍ଥାୟୀ ସମୟରୁ ବ୍ୟକ୍ତିକୁ ଦୂରେଇ ପାରିଲେ ପୁନଶ୍ଚ ବ୍ୟକ୍ତିର ବଞ୍ଚିବାର ଆଶା ସଂଚାର ହେବ ।

​​​​​​​