ନୂଆଦିଲ୍ଲୀ, ୨୧/୧୦ : ପଡୋଶୀଙ୍କ ସହ ପଙ୍ଗା ନେଇ ଅକଳରେ ପାକିସ୍ତାନ। ଆଫଗାନିସ୍ତାନ ସହ ଲାଗିବା ଭାରି ପଡ଼ିଲା । ପାକିସ୍ତାନୀଙ୍କ କିଚେନ୍ରୁ ଏବେ ଟମାଟୋ ଗାଏବ । ଚିକେନ୍ ଠାରୁ ବି ମହଙ୍ଗା ହେଲା ବିଲାତି । ଦାମ୍ ଶୁଣିଲେ ଖାଇବା ତ ଦୂରର କଥା ଉଡ଼ିଯିବ ହୋସ୍। ଲାହୋର-କରାଚି ସମେତ ବଡ଼ ବଡ଼ ସହରରେ କିଲୋ ପିଛା ଦର ୭୦୦ ଟଙ୍କା । ଦହି ନହେଲେ ଟମାଟୋ ପ୍ୟୁରି ପାଲଟିଛି ବିକଳ୍ପ । ଇରାନର ଆସୁନି ଟମାଟୋ ଟ୍ରକ୍, ବାଟ ବନ୍ଦ କରିଛି ଆଫଗାନିସ୍ତାନ । ମୁହଁ ଫୁଟାଣି ମାରୁଛନ୍ତି ଶାହବାଜ, ମୁନିର, ଖାଦ୍ୟ ବିକଳରେ ସନ୍ତୁଳି ହେଉଛନ୍ତି ସାଧାରଣ ଲୋକେ ।
ନିକଟରେ ପାକିସ୍ତାନରେ ବନ୍ୟା ସ୍ଥିତି ଉପୁଜିଥିଲା। ଫଳରେ ଚାଷବାସ ସମ୍ପୂର୍ଣ୍ଣ ଉଜୁଡି ଯାଇଥିଲା । ଏବେ ପଡୋଶୀ ଆଫଗାନିସ୍ତାନ ସହ ପଙ୍ଗା ନେଇ ପାକିସ୍ତାନ ଅକଳରେ ପଡ଼ିଛି । ଡୁରାଣ୍ଡ ଲାଇନରେ ଦୁଇ ଦେଶ ମଧ୍ୟରେ ତିକ୍ତତା ବଢିଛି । ବ୍ୟବସାୟ ପ୍ରଭାବିତ ହୋଇଛି । ଏହାର ସିଧାସଳଖ ପ୍ରଭାବ ସାଧାରଣ ଖାଉଟିଙ୍କ ଉପରେ ପଡ଼ିଛି । କିଛି ସପ୍ତାହ ପୂର୍ବରୁ ୧୦୦ ଟଙ୍କାରେ ବିକ୍ରି ହେଉଥିବା ଟମାଟୋ ଦର ଅଚାନକ ହାଇଜମ୍ପ ମାରିଛି । ଦର ଆକାଶ ଛୁଆଁ ହୋଇ ଟମାଟୋ କିଲୋ ଏବେ ୭୦୦ ଟଙ୍କାରେ ପହଞ୍ଚିଛି ।
ଟମାଟୋ ପାଇଁ ପାକିସ୍ତାନ ଇରାନ ଉପରେ ନିର୍ଭରଶୀଳ । ହେଲେ ସୀମାରେ ବଢ଼ୁଥିବା ଉତ୍ତେଜନା ଏବଂ ସାମରିକ ସଂଘର୍ଷ ପରେ ଆଫଗାନିସ୍ତାନ ନିଜ ରାସ୍ତାରେ ରପ୍ତାନି ବନ୍ଦ କରିଦେଇଛି । ଫଳରେ ପାକିସ୍ତାନରେ ଟମାଟୋ ସମେତ ଅନେକ ପନିପରିବାର ମୂଲ୍ୟରେ ତୀବ୍ର ବୃଦ୍ଧି ଘଟିଛି । ପାକିସ୍ତାନ ପଞ୍ଜାବ ପ୍ରାନ୍ତ ସବୁଠୁ ଅଧିକ ପ୍ରଭାବିତ ହୋଇଛି । ଝେଲମରେ ଟମାଟୋ କିଲୋ ୭୦୦ ଟଙ୍କା ରହିଥିବା ବେଳେ ଗୁଜରାୱାଲାରେ ୫୭୫ ଟଙ୍କା, ଫୈସଲାବାଦରେ ୫୦୦ ଟଙ୍କା, ସୁଲତାନାରେ ୪୫୦ ଟଙ୍କା, ଲାହୋରରେ ୪୦୦ ଟଙ୍କାରେ ବିକ୍ରି ହେଉଛି ।
ଏତେ ସରି ହେବା ପରେ ବି ମୁହଁ ଫୁଟାଣି ଛାଡ଼ୁନି ପାକିସ୍ତାନ । ବନ୍ୟା କ୍ଷୟକ୍ଷତି ପାଇଁ ଟମାଟୋ ଦର ବଢିଥିବା କହିଲେ ପାକ୍ ସରକାର । ହେଲେ ଯେତେ ଲୁଚାଇଲେ ବି ସତ ଲୁଚୁଛି କେଉଁଠି... ଆଫଗାନିସ୍ତାନ ସହ ସମ୍ପର୍କ ବିଗିଡ଼ିବା ଯୋଗୁଁ ବ୍ୟବସାୟିକ ରୁଟ୍ ବନ୍ଦ ହୋଇଯାଇଥିବା କହୁଛନ୍ତି କିଛି ବ୍ୟବସାୟୀ। ସମୟ ଥାଉ ଥାଉ ଯଦି ସରକାର ନଚେତନ୍ତି ତାହେଲେ ଦରଦାମ୍ ଆହୁରି ବଢିବ ବୋଲି ଆଶଙ୍କା କରାଯାଉଛି।