ନୂଆଦିଲ୍ଲୀ: ମେକ୍ସିକୋରେ ପ୍ରବଳ ବର୍ଷା ତାଣ୍ଡବ ସୃଷ୍ଟି କରିଛି। ଏହି ପ୍ରାକୃତିକ ବିପର୍ଯ୍ୟୟ ବ୍ୟାପକ କ୍ଷୟକ୍ଷତି ସୃଷ୍ଟି କରିଛି। ମଧ୍ୟ ଏବଂ ଦକ୍ଷିଣ-ପୂର୍ବ ମେକ୍ସିକୋରେ ପ୍ରବଳ ବର୍ଷା ଯୋଗୁଁ ଏକାଧିକ ସ୍ଥାନରେ ଭୂସ୍ଖଳନ ହେବା ସହ ଘର ଏବଂ ରାସ୍ତାଘାଟ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ନିରନ୍ତର ପ୍ରବଳ ବର୍ଷା ଯୋଗୁଁ ସମଗ୍ର ଦେଶରେ ଅତି କମରେ ୨୮ ଜଣଙ୍କର ଜୀବନ ଯାଇଛି ବୋଲି ଅନୁମାନ କରାଯାଉଛି।

ପ୍ରଭାବିତ ଅଞ୍ଚଳର ବିଭିନ୍ନ ସ୍ଥାନରୁ ଜାରି ହୋଇଥିବା ଭିଡିଓରେ ପ୍ରକୃତିର ତାଣ୍ଡବ ପରିଲକ୍ଷିତ ହେଉଛି। କେଉଁଠି ରାସ୍ତା ଉପରେ ବଢି ପାଣି ମାଡିଗଲାଣି ତ ଆଉ କେଉଁଠି ଯାନବାହନ ଏବଂ ଘରଗୁଡ଼ିକ ପାଣିରେ ବୁଡ଼ି ରହିଛି। ତେବେ ଲୋକମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ରିପୋର୍ଟ ଅନୁଯାୟୀ, ମେକ୍ସିକୋ ସରକାର ଲୋକମାନଙ୍କୁ ସହାୟତା କରିବା ପାଇଁ ପ୍ରାୟ ୮,୭୦୦ ସାମରିକ କର୍ମଚାରୀଙ୍କୁ ନିୟୋଜିତ କରିଛନ୍ତି

ଏନେଇ ରାଜ୍ୟର ଆନ୍ତରିକ ସଚିବ, ଗିଲିର୍ମୋ ଓଲିବରେଶ ରେୟନା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଏହି ଭାରି ବୃଷ୍ଟିପାତ କାରଣରୁ ଦେଶର ମଧ୍ୟ ରାଜ୍ୟ ହିଡାଲ୍ଗୋ ସବୁଠୁ ଅଧିକ ପ୍ରଭାବିତ ହୋଇଛି। ଯେଉଁଠି ପ୍ରାୟ ୧୬ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ଭୂସ୍ଖଳନ ଓ ନଦୀରେ ସୃଷ୍ଟି ହୋଇଥିବା ବନ୍ୟା ଯୋଗୁଁ କମସେ କମ ୧୦୦୦ ଘର, ୫୯ରୁ ଅଧିକ ଡାକ୍ତରଖାନା ଓ ୩୦୮ରୁ ଅଧିକ ସ୍କୁଲ କ୍ଷତିଗ୍ରସ୍ତ ହୋଇଛନ୍ତି। ଏହାଛଡା ରାଜ୍ୟର ନଗରପାଳିକା ଅଧିନରେ ଥିବା ପାଖାପାଖି ୧୭ରୁ ଅଧିକ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ପ୍ରଭାବି ହୋଇଛି।

ପଡୋଶି ରାଜ୍ୟ ପୁଏବ୍ଲାର ରାଜ୍ୟପାଳ ଏଲେଜାଣ୍ଡ୍ରେ ଉର୍ମିଟା ଦେଇଥିବା ସୂଚନା ମୁତାବକ, ଏହି ପ୍ରାକୃତିକ ଦୁର୍ବିପାକରେ ଜଣ ଲୋକଙ୍କ ମୃତ୍ୟୁ ହେବା ସହ ୧୩ ଜଣ ଲୋକ ନିଖୋଜ ହୋଇଯାଇଛନ୍ତି। ଏହାଛଡା ଏହି ବନ୍ୟା ଘେରରେ ଫସିରହିଥିବା ୧୫ରୁ ଅଧିକ ଲୋକଙ୍କ ଉଦ୍ଧାର କାର୍ଯ୍ୟ ପାଇଁ ସେ ସଂଘିୟ ସରକାରଠୁ ସହାୟତା ମାଗିଛନ୍ତି। ଏହି ବନ୍ୟାରେ ପାଖାପାଖି ୮୦ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ସହ ଭୂସ୍ଖଳନ ଯୋଗୁଁ ଏକ ଗ୍ୟାସ ପାଇବ ଲାଇନ ଫାଟିଯାଇଥିବା ନେଇ ସେ ସୂଚନା ପ୍ରଦାନ କରିଛନ୍ତି।

ସମୁଦ୍ର ଉପକୁଳବର୍ତ୍ତୀ ରାଜ୍ୟ ବେରାକ୍ରୁଜର ରାଜ୍ୟପାଳ ସୂଚନା ଦେଇ କହିଛନ୍ତି ଯେ, ଏହି ବନ୍ୟାରେ ଜଣେ ପୋଲିସ ଅଧିକାରୀଙ୍କ ସହ ଅନୟ ଦୁଇଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏହାଛଡା ଏହି ବନ୍ୟା ଯୋଗୁଁ ପ୍ରାୟ ହଜାର ଲୋକ ପ୍ରଭାବିତ ହୋଇଥିବା ବେଳେ ନୌସେନା ପାଖାପାଖି ୯୦୦ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ପହଞ୍ଚାଇଥିବା ଜଣାପଡିଛି।

ଏହାପୂର୍ବରୁ ମଧ୍ୟ ରାଜ୍ୟ କ୍ୟୁରେଟାରୋର ଅଧିକାରୀମାନେ ସୂଚନା ପ୍ରଦାନ କରି କହିଛନ୍ତି ଯେ, ରାଜ୍ୟରେ ଭୂସ୍ଖଳନରେ ଫଶିବା ଯୋଗୁଁ ଜଣେ ଶିଶୁର ମୃତ୍ୟୁ ହେିଛି। ଏହାଛଡା ଭାରି ବୃଷ୍ଟିପାତ କାରଣରୁ ପାଖାପାଖି ଲକ୍ଷ ୨୦ ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ଏହାସହ ପାଖାପାଖି ହଜାର କିଲୋମିଟରରୁ ଅଧିକ ଲମ୍ୱା ସଡକ ଧୋଇହୋଇଯାଇଥିବା ସୂଚନା ମିଳିଛି।