ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଚୀନର ରାଷ୍ଟ୍ରପତି ଶି ଜିନପିଙ୍ଗ ଦୀର୍ଘ ୩ ମାସ ପରେ ପ୍ରଥମ ଥର ପାଇଁ ଫୋନ୍ କଲ ଯୋଗେ କଥା ହୋଇଛନ୍ତି। ଉଭୟଙ୍କ ମଧ୍ୟରେ ହୋଇଥିବା ଆଲୋଚନାରେ ବାଣିଜ୍ୟ ସଂକଟ ଓ ଟିକ୍ଟକ୍ ଆପକୁ ଆମେରିକାରେ ଚାଲୁ ରଖିବା ପାଇଁ ଏକ ସମ୍ଭାବ୍ୟ ଡିଲ୍ ଉପରେ କଥାବର୍ତ୍ତା ହୋଇଥିବା ନେଇ ସୂଚନା ମିଳିଛି।
ଶୁକ୍ରବାର, ଉଭୟ ଦେଶର ରାଷ୍ଟ୍ର ମୁଖ୍ୟ ଫୋନ କଲ୍ ଯୋଗେ ଉଭୟଙ୍କ ସହ ଅଧ ଘଣ୍ଟାଏରୁ ଅଧିକ ସମୟ କଥାବର୍ତ୍ତା ହୋଇଥିଲେ। ଏହି କଲ୍ ଆସନ୍ତା ଅକ୍ଟୋବର ୩୦ ତାରିଖରୁ ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ କୋରିଆରେ ହେବାକୁ ଥିବା APEC ସମ୍ମିଳନିରେ ଉଭୟ ନେତାଙ୍କ ମଧ୍ୟରେ ଅଧିକ ଆଲୋଚନାର ପ୍ରସ୍ତୁତି ଭାବେ ଦେଖାଯାଉଛି। ତେବେ ଟ୍ରମ୍ପ ସାମାଜିକ ଗଣମାଧ୍ୟମ ଟ୍ରୁଥ ସୋଶିଆଲରେ ଜିନପିଙ୍ଗଙ୍କ ସହ କଥା ହୋଇ ଖୁସି ଥିବା ଜାହିର କରିଛନ୍ତି।
ଏହି ଆଲୋଚନାରେ ବାଣିଜ୍ୟ ସମସ୍ୟା ଯଥା ଟାରିଫ୍, ବଜାର ପ୍ରବେଶ, ଟିକ୍ଟକ୍ ଡିଲ୍, ଚୀନରୁ ଆମେରିକାର କୃଷି ଉତ୍ପାଦ କ୍ରୟ, ସେମିକଣ୍ଡକ୍ଟର ଯଥା ଉଚ୍ଚ-ପ୍ରଯୁକ୍ତି ନିର୍ଯ୍ୟାତ ସୀମାବଦ୍ଧତା ଓ ଚୀନରୁ ଆମେରିକାକୁ ଫେଣ୍ଟାନିଲ୍ ରସାୟନର ପ୍ରଦାନ ବିଷୟରେ ଚର୍ଚ୍ଚା ହୋଇଛି। ଆମେରିକା ବାଇଟ୍ଡାନ୍ସ୍କୁ ଟିକ୍ଟକ୍କୁ ଆମେରିକାରେ ବିକ୍ରି କରିବାକୁ ବା ଡାଟା ସ୍ଥାନୀୟକରଣ ଓ ନିରୀକ୍ଷଣ ଅନୁପାଳନ କରିବାକୁ ଚାପ ପକାଉଥିବା ନେଇ ଖବର ପ୍ରକାଶ ପାଇଛି।
ଟ୍ରମ୍ପ୍ ବୁଧବାର କହିଥିଲେ ଯେ, "ଚାଇନା ସହ ସମସ୍ତ ବିଷୟରେ ଡିଲ୍ ଖୁବ୍ ନିକଟରେ ପହଞ୍ଚିଛି," ଯେଉଁଥିରେ ଟିକ୍ଟକ୍ ଓ ବାଣିଜ୍ୟ ସମ୍ବନ୍ଧୀୟ ବିଷୟ ମଧ୍ୟ ଅନ୍ତର୍ଭୁକ୍ତ ରହିଛି। ସେ ଟିକ୍ଟକ୍କୁ ସମର୍ଥନ କରି କହିଛନ୍ତି ଯେ ଏହା ଯୁବ ଭୋଟରଙ୍କୁ ଉତ୍ସାହିତ କରୁଛି। ତେବେ ଚୀନର ଅଧିକାରୀମାନେ ଏନେଇ କୌଣସି ସ୍ପଷ୍ଟ ସୂଚନା ପ୍ରଦାନ କରିନାହାନ୍ତି।
ଚଳିତ ବର୍ଷ ଜାନୁଆରୀ ମାସରୁ ନିଜ କାର୍ଯ୍ୟଭାର ଗ୍ରହଣ କରିବା ପରେ ଟ୍ରମ୍ପ ଚୀନ ଉପରେ କୋଟି କୋଟି ଡଲାରର ଆମଦାନି ଟାରିଫ୍ ବୃଦ୍ଧି କରିଛନ୍ତି। ଯେଉଁଥିପାଇଁ ଏହା ବିଗତ ଏକ ଶତାବ୍ଦୀର ସର୍ବୋଚ୍ଚ ସ୍ତରରେ ପହଞ୍ଚିଯାଇଛି। ବେଜିଙ୍ଗ ମଧ୍ୟ ପ୍ରତିକ୍ରିୟାସ୍ୱରୂପ ନିଜ ପକ୍ଷରୁ ଆମେରିକାକୁ ନିଜର ବିରୋଧ ଜଣାଇଛି। ତେବେ ବିଶେଷଜ୍ଞମାନେ ଅର୍ଥନୀତିକୁ ନେଇ କଡା ଚେତାବନି ଜାରି କରିବା ପରେ ଗତ ଅଗଷ୍ଟ ମାସରେ ଟ୍ରମ୍ପ ଚୀନ ଉପରେ କେତେକ ଟାରିଫକୁ କୋହଳ କରିଥିଲେ।