ନୂଆଦିଲ୍ଲୀ,୩୦/୦୯: ଥମିବ ବନ୍ଧୁକ । ବର୍ଷିବନି ବୋମା । ଗାଜା ଉପରେ ଆଉ ଧ୍ୱଂସଲୀଳା ରଚିବନି ଇସ୍ରାଏଲ । ଦୁଇବର୍ଷ ହେଲା ଗାଜାରେ ଯେଉଁ ଯୁଦ୍ଧ ଲାଗି ରହିଛି, ତାହା ବନ୍ଦ ହେବା ନେଇ ଆଶା ବଢ଼ିଛି । ଏ ଦିଗରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଯେଉଁ ୨୦-ସୂତ୍ରୀ ଯୋଜନା ବନାଇଛନ୍ତି, ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ତାହାକୁ ଗ୍ରହଣ କରିଛନ୍ତି । ସୋମବାର ଟ୍ରମ୍ପ୍ ଓ ନେତନ୍ୟାହୁ ହ୍ୱାଇଟ୍ହାଉସ୍ରେ ପରସ୍ପରକୁ ଭେଟି ଯୁଦ୍ଧ ପ୍ରସଙ୍ଗରେ ଆଲୋଚନା କରିଥିଲେ । ବୈଠକ ପରେ ଟ୍ରମ୍ପ୍ ଏହାକୁ ଐତିହାସିକ ଦିନ ବିବେଚନା କରିଛନ୍ତି ।
ସାମ୍ବାଦିକଙ୍କୁ ସୂଚନା ଦେଇ ଟ୍ରମ୍ପ୍ କହିଛନ୍ତି, ଆମ ପ୍ରସ୍ତାବରେ ନେତନ୍ୟାହୁ ସହମତି ପ୍ରକାଶ କରିଛନ୍ତି । ଯୁଦ୍ଧ ବନ୍ଦ ହେବା ସମ୍ଭାବନା ରହିଛି । କିନ୍ତୁ ହମାସ୍ ଯଦି ଏହାକୁ ଖାରଜ କରେ, ତେବେ ଇସ୍ରାଏଲ୍ ନିଜ କାମ ତମାମ କରିଦେବ । ଯୁଦ୍ଧ ସହଜରେ ବନ୍ଦ ହେବା ନେଇ ଆମେ ଚାହୁଁଛୁ । ହମାସ୍ ରାଜି ନ ହେଲେ ମଧ୍ୟ ଯୁଦ୍ଧ ବନ୍ଦ ହେବ । ଏଥିପାଇଁ କଠୋର ରାସ୍ତା ବାଛିବାକୁ ପଡ଼ିବ । ଆମେରିକାର ୨୦-ସୂତ୍ରୀ ଯୋଜନା ଅନୁସାରେଏକ ‘ବୋର୍ଡ ଅଫ୍ ପିସ୍’ ଗଠନ ହେବ । ଟ୍ରମ୍ପ୍ ଏହାର ନେତୃତ୍ୱ ନେବେ ଏବଂ ଏଥିରେ ଉଚ୍ଚ ଯୋଗ୍ୟତାସମ୍ପନ୍ନ ବିଶେଷଜ୍ଞମାନେ ସଦସ୍ୟ ରହିବେ । ଏମାନଙ୍କ ମଧ୍ୟରେ ପାଲେଷ୍ଟିନୀୟ ପ୍ରତିନିଧି ଓ ପୂର୍ବତନ ବ୍ରିଟିଶ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର ରହିବେ । କିନ୍ତୁ ବୋର୍ଡରେ ହମାସ୍ କିମ୍ବା ଅନ୍ୟ ଆତଙ୍କବାଦୀଙ୍କର କୌଣସି ଭୂମିକା ରହିବ ନାହିଁ । ପରୋକ୍ଷ କିମ୍ବା ପ୍ରତ୍ୟକ୍ଷରେ ଗାଜା ଗଭର୍ଣ୍ଣାନ୍ସରେ ସେମାନେ କୌଣସି ଭୂମିକା ନିର୍ବାହ କରିବେ ନାହିଁ ।
ଗାଜାରେ ଅସ୍ଥାୟୀ ସରକାର ଚାଲିବ ଏବଂ ଇସ୍ରାଏଲ୍ ଗାଜାକୁ ଦଖଲ କରିବ ନାହିଁ । କାହାକୁ ଗାଜା ଛାଡ଼ିବା ପାଇଁ ବାଧ୍ୟ କରାଯିବ ନାହିଁ । ଗାଜା ଷ୍ଟ୍ରିପ୍କୁ ପୁନର୍ବାର ନିର୍ମାଣ କରାଯିବ । ଉଭୟ ପକ୍ଷ ଏହି ପ୍ରସ୍ତାବକୁ ସ୍ୱୀକାର କଲେ ଯୁଦ୍ଧ ତତ୍କ୍ଷଣାତ ବନ୍ଦ ହୋଇଯିବ । ୭୨ ଘଣ୍ଟାରେ ପଣବନ୍ଦୀ ମୁକ୍ତ ହେବେ । ଇସ୍ରାଏଲ୍ ୨୫୦ ଆଜୀବନ କଏଦୀଙ୍କୁ ମୁକ୍ତ କରିବ । ଗାଜାରେ ବନ୍ଦୀ ଥିବା ୧,୭୦୦ ପାଲେଷ୍ଟିନୀୟ ବି ମୁକୁଳିବେ । ଏହି ପ୍ରକ୍ରିୟାରେ ସମସ୍ତ ସାମରିକ ଅଭିଯାନ ବନ୍ଦ ରହିବ । ଏହାପରେ ଇସ୍ରାଏଲୀ ସେନାର ସମ୍ପୂର୍ଣ୍ଣ ଅପସାରଣ ହେବ । ଯୋଜନା ଅନୁସାରେ, ଶାନ୍ତି ପ୍ରସ୍ତାବକୁ ସ୍ୱୀକାର କରିବାକୁ ଥିବା ହମାସ୍ ସଦସ୍ୟଙ୍କୁ ସର୍ବକ୍ଷମା ମିଳିବ । ଯେଉଁ ଦେଶ ସେମାନଙ୍କୁ ଗ୍ରହଣ କରିବାକୁ ଚାହିଁବେ, ସେଠାକୁ ସେମାନଙ୍କୁ ସହଜ ଉପାୟରେ ପଠାଇବାର ବ୍ୟବସ୍ଥା କରାଯିବ । ଏହାପରେ ଆଞ୍ଚଳିକ ଓ ଅନ୍ତର୍ଜାତୀୟ ବାହିନୀ ଗାଜାକୁ ସୁରକ୍ଷା ଯୋଗାଇବ ଏବଂ ପାଲେଷ୍ଟିନୀୟ ପୁଲିସକୁ ତାଲିମ ପ୍ରଦାନ କରିବ । ତତ୍ସହିତ ଗାଜାକୁ ସହାୟତାର ସୁଅ ଛୁଟିବ ।
ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ନେତନ୍ୟାହୁ କହିଛନ୍ତି, ହମାସ୍କୁ ସମ୍ପୂର୍ଣ୍ଣ ନିରସ୍ତ୍ର କରିବା ଲାଗି ଅନ୍ତର୍ଜାତୀୟ ସଂସ୍ଥା କାର୍ଯ୍ୟ କରିବ । ଯଦି ସଂସ୍ଥା ଏଥିରେ ସଫଳ ହୁଏ, ତେବେ ଯୁଦ୍ଧ ସବୁଦିନ ପାଇଁ ବନ୍ଦ ହେବ । ଏହାପରେ ଇସ୍ରାଏଲ୍ ମଧ୍ୟ ଏହାର ସେନାକୁ ଅପସାରଣ କରିନେବ । କିନ୍ତୁ ଭବିଷ୍ୟତର ସମ୍ଭାବ୍ୟ ଘଟଣାକୁ ଦୃଷ୍ଟିରେ ରଖି ସେନା ସତର୍କତା ଅବଲମ୍ବନ କରିବ । ତେବେ ସେ ଟ୍ରମ୍ପ୍ଙ୍କର ଯୋଜନାକୁ ସମର୍ଥନ କରିଥିବା ନେତନ୍ୟାହୁ କହିଛନ୍ତି । ସେପଟେ ଟ୍ରମ୍ପ୍ଙ୍କ ସହ ହ୍ୱାଇଟ୍ହାଉସ୍ରେ ଆଲୋଚନା ବେଳେ ନେତନ୍ୟାହୁ ଆଜି କତାର୍ ପ୍ରଧାନମନ୍ତ୍ରୀ ଶେଖ ମହମ୍ମଦ ବିନ୍ ଅବ୍ଦୁଲରହମାନ ଅଲ୍-ଥାନୀଙ୍କୁ ଫୋନ୍ କରି ଦୋହା ଆକ୍ରମଣ ଲାଗି କ୍ଷମା ପ୍ରାର୍ଥନା କରିଛନ୍ତି । ଟ୍ରମ୍ପ୍ଙ୍କ କହିବା ପରେ ହିଁ ନେତନ୍ୟାହୁ କ୍ଷମା ମାଗିଥିବା ରିପୋର୍ଟରୁ ଜଣାପଡ଼ିଛି । ୨୦ ଦିନ ପୂର୍ବେ ଅର୍ଥାତ୍ ଚଳିତମାସ ୯ ତାରିଖରେ ଇସ୍ରାଏଲୀ ସେନା ଦୋହାରେ ହମାସ୍ ମୁଖ୍ୟ ଖଲିଲ ଅଲ୍-ହୟାଙ୍କୁ ଟାର୍ଗେଟ୍ କରି ହମ୍ଲା କରିଥିଲା । ଏଥିରେ ଅଲ୍-ହୟା ବଞ୍ଚିଯାଇଥିଲେ । କିନ୍ତୁ ଅନ୍ୟ ୬ ଜଣ ପ୍ରାଣ ହରାଇଥିଲେ । ଏହାକୁ ନେଇ ଟ୍ରମ୍ପ୍ ଅସନ୍ତୋଷ ବ୍ୟକ୍ତ କରିଥିଲେ ।