ନୂଆଦିଲ୍ଲୀ: ଚୀନ୍‌ରେ ବିଶ୍ବ ନେତାଙ୍କ ମେଳିକୁ ନେଇ ଚିହିଁକି ଉଠିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ କହିଛନ୍ତି ଯେ, ସି ଜିନପିଙ୍ଗ , ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଉତ୍ତର କୋରିଆ ନେତା କିମ ଜୋଙ୍ଗ ଉନ ଆମେରିକା ବିରୋଧରେ ଷଡଯନ୍ତ୍ର କରୁଛନ୍ତି । ଏହା ଉପରେ ରୁଷ ମଧ୍ୟ ପ୍ରତିକ୍ରିୟା ଦେଇଛି । କ୍ରେମଲିନ କହିଛି ଯେ, ଆମେ ଭାବୁଛୁ ଡୋନାଲ୍ଡ ଟ୍ରମ୍ପ ମଜା କରୁଛନ୍ତି ରୁଷର ସରକାରୀ ଟେଲିଭିଜନରେ କ୍ରେମଲିନ୍ ବୈଦେଶିକ ନୀତି ପରାମର୍ଶଦାତା ୟୁରି ଉଷାକୋଭ୍ କହିଛନ୍ତି, ଭ୍ଲାଦିମିର ପୁଟିନ୍ , ସି ଜିନପିଙ୍ଗ ଏବଂ କିମ୍ ଜୋଙ୍ଗ ଉନ୍ ଆମେରିକା ବିରୋଧରେ ଷଡ଼ଯନ୍ତ୍ର କରୁନାହାନ୍ତି। ଏହି ତିନି ନେତାଙ୍କ ମଧ୍ୟରୁ କାହା ମନରେ ଏପରି ଚିନ୍ତା କେବେ ଆସିନାହିଁ ସେପଟେ ବେଜିଂରେ ଚୀନ୍ ସାମରିକ ପରେଡରେ ସି ଜିନପିଙ୍ଗ ଚେତାବନୀ ଦେଇ କହିଛନ୍ତି ଯେ, ବିଶ୍ୱକୁ ଶାନ୍ତି ଏବଂ ଯୁଦ୍ଧ ମଧ୍ୟରୁ ଗୋଟିଏ ବାଛିବାକୁ ପଡିବ ।

ଚୀନ୍ ବେଜିଂର ତିଆନାନମେନ୍ ସ୍କୋୟାରରେ ନିଜର ସାମରିକ ଶକ୍ତି ପ୍ରଦର୍ଶନ କରିବା ପାଇଁ ଏକ ଭବ୍ୟ ସମାରୋହର ଆୟୋଜନ କରିଥିଲା ଏଥି ଲାଗି ରୁଷ ଏବଂ ଉତ୍ତର କୋରିଆର ନେତାମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଏହାକୁ ନେଇ ଟ୍ରମ୍ପ୍ କହିଛନ୍ତି, ‘ସି ଜିନପିଙ୍ଗଙ୍କୁ ମନେ ରଖିବା ଉଚିତ ଯେ, ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆମେରିକା ବିଦେଶୀ ଆକ୍ରମଣରୁ ମୁକ୍ତି ପାଇବାରେ ଚୀନକୁ ଯଥେଷ୍ଟ ସାହାଯ୍ୟ କରିଥିଲା। ଏହି ଯୁଦ୍ଧରେ ଅନେକ ଆମେରିକୀୟ ସୈନିକ ପ୍ରାଣ ହରାଇଛନ୍ତି ଏବଂ ଚୀନ୍ ସେମାନଙ୍କ ବଳିଦାନକୁ ସମ୍ମାନ ଦେବା ଉଚିତ ।

ଆମେରିକା ବିରୋଧରେ  ରୁଷ ଏବଂ ଚୀନ୍ ଏକାଠି ହୋଇଥିବା ଚର୍ଚ୍ଚାକୁ ନେଇ ଟ୍ରମ୍ପ୍ କହିଛନ୍ତି, ‘ମୁଁ ଆଦୌ ଚିନ୍ତିତ ନୁହେଁ। ଆମ ପାଖରେ ଏପର୍ଯ୍ୟନ୍ତ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ସେନା ଅଛି। ସେମାନେ କେବେବି ଆମ ବିରୋଧରେ ସେମାନଙ୍କର ସେନା ବ୍ୟବହାର କରିବେ ନାହିଁ।ବେଜିଂରେ ଅନୁଷ୍ଠିତ ଭିକ୍ଟ୍ରି ଡେ ପରେଡରେ ଆଧୁନିକ ଅସ୍ତ୍ରଶସ୍ତ୍ର, କ୍ଷେପଣାସ୍ତ୍ର ଏବଂ ସାମରିକ ସୈନ୍ୟ ପ୍ରଦର୍ଶିତ କରିଛି ଚୀନ । ରୁଷ ଏବଂ ଉତ୍ତର କୋରିଆର ଉପସ୍ଥିତି ଏହି କାର୍ଯ୍ୟକ୍ରମକୁ ବିଶ୍ବସ୍ତରରେ ଆହୁରି ଚର୍ଚ୍ଚିତ କରିଛି