ଦାରିଙ୍ଗବାଡ଼ି, ୮/୧୦ : ଅଭାବ ପିଛା ଛାଡ଼ୁନି। ପେଟକୁ ମୁଠାଏ ଦାନା ଯୋଗାଡ଼ କରିବା ଅସମ୍ଭବ ହୋଇପଡ଼ୁଛି । ୭ ଭାଇ ଭଉଣୀ ସମେତ ବାପା ମା’ଙ୍କୁ ମିଶାଇ ୯ ପ୍ରାଣୀ କୁଟୁମ୍ବ । ସମସ୍ତେ ଗରିବୀ ଭିତରେ ସଢ଼ୁଥିଲେ । ନିଅଣ୍ଟିଆ ରୋଜଗାର ଭିତରେ ପରିବାର ଯେନତେନ ଚଳି ଯାଉଥିଲା । ଏହାରି ଭିତରେ ଉଚ୍ଚଶିକ୍ଷା ଏବଂ ସ୍ୱପ୍ନ ଗଢ଼ିବା ଅସମ୍ଭବ ମନେ ହେଉଥିଲା । ହେଲେ ଦୃଢ଼ଇଚ୍ଛା ଶକ୍ତି ପାଇଁ ସ୍ୱପ୍ନ ସାକାର କରିବାକୁ ଆଦିବାସୀ ଭାଇ ଭଉଣୀ ସଂଘର୍ଷ ଜାରି ରଖିଛନ୍ତି । ସେମାନେ ହେଲେ ବିଭୀଷଣ ପ୍ରଧାନ ଓ ତାଙ୍କ ଭଉଣୀ ମୋନାଲିସା । ଘର ଦାରିଙ୍ଗବାଡ଼ି ବ୍ଲକ୍ ସିକବାଡ଼ି ଗାଁରେ । କୋରାପୁଟ ସ୍ଥିତ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ବିଭୀଷଣ ପ୍ରଧାନ ୪ର୍ଥ ବର୍ଷ ଏମ୍ବିବିଏସ୍ ପଢ଼ୁଥିବା ବେଳେ ଭଉଣୀ ମୋନାଲିସା ପ୍ରଥମ ବର୍ଷ ପଢ଼ୁଛନ୍ତି ।
ବିଭୀଷଣ କହିଛନ୍ତି, ମୋନାଲିସାଙ୍କୁ ମିଶାଇ ସେମାନେ ୭ ଭାଇ ଭଉଣୀ । ତାଙ୍କ ଉପରେ ଜଣେ ବଡ଼ ଭଉଣୀ ଯେ କି ବିବାହ କରିଛନ୍ତି । ତାଙ୍କ ତଳ ଭଉଣୀ ମୋନାଲିସା । ବାପା ବୁର୍ସି ପ୍ରଧାନ କେରଳରେ ଦାଦନ ଖଟିବାକୁ ଯାଉଥିଲେ । ମାଆ ଅନସୂୟା ମୂଲ ଲାଗନ୍ତି । ସିକବାଡ଼ି ଗାଁଟି ପାହାଡ଼ ପର୍ବତ ଘେରା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ବାପା କଷ୍ଟ କରି ଯାହା କିଛି ରୋଜଗାର କରୁଥିଲେ ଘର ଚଳିବାକୁ ଯଥେଷ୍ଟ ହେଉ ନ ଥିଲା । ପ୍ରଥମରୁ ପଞ୍ଚମ ଗାଁ ସ୍କୁଲରେ ପଢ଼ିବା ପରେ ଷଷ୍ଠ ଶ୍ରେଣୀ ପଢ଼ିବାକୁ ଘରଠାରୁ ୭ କିମି ଦୂର ଗଦାପୁର ସ୍କୁଲକୁ ଚାଲିଚାଲି ଯାଉଥିଲି । ତା’ପରେ ଦାରିଙ୍ଗବାଡ଼ିରେ ସପ୍ତମରୁ ଦଶମ ପର୍ଯ୍ୟନ୍ତ ପଢ଼ିଥିଲି । ବଡ଼କଷ୍ଟରେ ଗଞ୍ଜାମ ଜିଲ୍ଲା ଗୋଳନ୍ଥରାରେ ଥିବା ଏକ ରେସିଡେନ୍ସି କଲେଜରେ ଯୁକ୍ତ ଦୁଇ ପଢ଼ିଲି । ଯୁକ୍ତ ଦୁଇ ନାମ ଲେଖାଇବା ପରେ ଗାଁକୁ ବାହାରିଥିଲି । ଦାରିଙ୍ଗବାଡ଼ି ଅଞ୍ଚଳର ଜଣେ ଯୁବକ ଦେଖା ହୋଇଥିଲେ । ସେ ଏମ୍କେସିଜି ମେଡିକାଲ କଲେଜରେ ୪ର୍ଥ ବର୍ଷ ପଢ଼ୁଥିଲେ । ତାଙ୍କ ସହ କଥା ହେବା ସମୟରେ ମନରେ ଏମ୍ବିବିଏସ୍ ପଢ଼ିବାକୁ ଆଗ୍ରହ ସୃଷ୍ଟି ହୋଇଥିଲା । ଘରେ ମଧ୍ୟ ବାପା ଡାକ୍ତର ହେବାକୁ କହିଥିଲେ । ମାତ୍ର ଘରର ଅବସ୍ଥା ଦେଖି ଏହା ଦିବାସ୍ୱପ୍ନ କରି ଲାଗୁଥିଲା ।
ବିଭୀଷଣ ପୁଣି କହିଛନ୍ତି, ଏହି ସମୟରେ ମୋତେ ସାହାଯ୍ୟ ସହଯୋଗ କରିବାକୁ ଆଗେଇ ଆସିଲା ମୋ ସାନ ଭଉଣୀ ମୋନାଲିସା । ୨୦୨୦ରେ ସେ ବ୍ରହ୍ମପୁରସ୍ଥିତ ଶଶି ଭୂଷଣ ମହିଳା କଲେଜରେ ଯୁକ୍ତ ଦୁଇ ବିଜ୍ଞାନରେ ନାମ ଲେଖାଇଥିଲା । ମୁଁ ସେତେବେଳେ ନିଟ୍ ପାଇଁ ପ୍ରାକ୍ଟିସ୍ କରୁଥିଲି । ସେ ଏକ ଲୁଗା ଦୋକାନରେ ପାର୍ଟଟାଇମ୍ କାମ କରି ଯାହା କିଛି ରୋଜଗାର କରୁଥିଲା ସେଥିରେ ଉଭୟଙ୍କ ଖର୍ଚ୍ଚ ବାହାରୁ ଥିଲା । ବଡ଼ ଭାଇଙ୍କୁ ଡାକ୍ତର କରିବା ଆଉ ନିଜେ ଡାକ୍ତର ହେବା ମୋନାଲିସାର ସ୍ୱପ୍ନ ଥିଲା । ସେ ଲୁଗା ଦୋକାନରେ କାମ କରୁଥିବା ବେଳେ ମୁଁ ଦିନରେ ନିଟ୍ କୋଚିଂ ଓ ରାତିରେ କ୍ୟାଟରିଂ ବୟ କାମ କରିବା ସହ ତା’ଭିତରେ ପଢ଼ିବାକୁ ସମୟ ବାହାର କରୁଥିଲି । ୨୦୨୦-୨୧ରେ ତୃତୀୟ ଥର ପରୀକ୍ଷା ଦେଇ ନିଟ୍ ପାଇ ପାରିଛି । ଏହା ପରେ ସାନ ଭଉଣୀ ମୋନାଲିସା ମଧ୍ୟ ଚଳିତ ବର୍ଷ ନିଟ୍ ପାଇ ଡାକ୍ତରୀ ପଢ଼ିବାକୁ ସୁଯୋଗ ପାଇପାରିଥିବା ବିଭୀଷଣ କହିଛନ୍ତି । ବୟସାଧିକ୍ୟ ଯୋଗୁଁ ବାପା କାମ କରିବାକୁ ଯାଇପାରୁ ନାହାନ୍ତି । ଏବେ ମକା ଚାଷ କରୁଛନ୍ତି । ଏଭଳି ପରିସ୍ଥିତିରେ ଭାଇ, ଭଉଣୀ ବହୁ ଘାତ ପ୍ରତିଘାତକୁ ସାମ୍ନା କରି ସ୍ୱପ୍ନ ସାକାର କରିବାକୁ ଲାଗିପଡ଼ିଛନ୍ତି । ସରକାର ଆର୍ଥିକ ସାହାଯ୍ୟ କଲେ ସେମାନେ ଡାକ୍ତର ହୋଇ ଲୋକଙ୍କ ସେବା କରିବାର ସୁଯୋଗ ପାଇବେ ବୋଲି କହିଛନ୍ତି ।