ଖପ୍ରାଖୋଲ,୨୯/୧୦; ଦଇବ ଦେଇଛି ଦାରୁଣ ଦୁଃଖ । ପ୍ରଥମେ ମାଆ ଅଜଣା ରୋଗରେ ଆରପାରିକୁ ଚାଲିଗଲେ । ପରେ ମାଆ ଛେଉଣ୍ଡ ପିଲାଙ୍କ ଠାରୁ ବାପାଙ୍କୁ ଛଡ଼େଇ ନେଲା ଦଇବ । ଦୁଇ ଦିନ ଜ୍ବର ହେବା ପରେ ବାପାଙ୍କର ବି ଅକାଳ ବିୟୋଗ ଘଟିଲା । ଏବେ ଦୁଇ ନାବାଳକ ପିଲା ଅସହାୟ । ମୁଣ୍ଡ ଗୁଞ୍ଜିବାକୁ ଘର ନାହିଁ ନଥିବାରୁ ସମ୍ପର୍କୀୟଙ୍କ ଘରେ ଆଶ୍ରା ରହୁଛନ୍ତି । ଏଭଳି ହୃହୟ ବିଦାରକ ଖବର ଆସିଛି ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ଧଣ୍ଡାମୁଣ୍ଡା ପଞ୍ଚାୟତ ବାଞ୍ଜିପାଲି ଗାଁରୁ ।
ସୂଚନା ଅନୁଯାୟୀ, ବାଞ୍ଜିପାଲି ଗାଁର ଥଣ୍ଡା ମାଝୀ (୫୫), ସ୍ତ୍ରୀ ସୂର୍ଯ୍ୟ ମାଝୀ(୪୫), ପୁଅ ଦିନେଶ ମାଝୀ ଏବଂ ଦିନେଶ୍ବରୀ ମାଝୀଙ୍କୁ ନେଇ ଖୁସିରେ ସଂସାର ଚଳାଉଥିଲେ । ଦୁଇ ପିଲାଙ୍କର ମଧ୍ୟ ପାଠ ଚାଲିଥିଲା । ମାତ୍ର ଦୁଇବ ଏହି ଖୁସି ପରିବାର ସୁଖ ଦେଖି ପାରିଲା ନାହିଁ । ୨୦୨୪ରେ ହଠାତ୍ ସ୍ତ୍ରୀ ସୂର୍ଯ୍ୟ ମାଝୀ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଆରପାରିକୁ ଚାଲିଗଲେ । ଏହା ପରେ ସ୍ବାମୀ ଥଣ୍ଡା ମାଝୀ ପୁଅ ଓ ଝିଅଙ୍କ ଭବିଷ୍ୟତ ଚିନ୍ତାରେ ଭାଙ୍ଗି ପଡ଼ିଥିଲେ । କିଛି ଦିନ ଭିତରେ ସେ ବି ଭୀଷଣ ଜ୍ବରରେ ପୀଡ଼ିତ ହୋଇଥିଲେ । ମାତ୍ର ଅର୍ଥ ଅଭାବରୁ ଚିକିତ୍ସିତ ହୋଇ ପାରିନଥିଲେ । ଫଳରେ ଜ୍ବରରେ ପଡ଼ି ତାଙ୍କର ମଧ୍ୟ ଅକାଳ ବିୟୋଗ ହୋଇଥିଲା । ବାପା ଚାଲିଗଲା ପରେ ପୁଅ ଦିନେଶ ଏବଂ ଝିଅ ଦିନେଶ୍ବର ଅସହାୟ ହୋଇଯାଇଥିଲେ । ରହିବାକୁ ଝର ନଥିବାର ଜଣେ ସହୃଦୟ ବ୍ୟକ୍ତିଙ୍କ ଘରେ ରହୁଥିଲେ । ଏବେ ଦୁଇ ନାବାଳକ ପିଲାଙ୍କ ଏକ ମାତ୍ର ଆଶ୍ରା ସମ୍ପର୍କୀୟ କାକା । ଦୁଇ ପିଲାଙ୍କ ଅଭିଷ୍ୟତ ଅନ୍ଧାର ହୋଇଥିବା ବେଳେ ଏନେଇ ସ୍ଥାନୀୟ ବିଡିଓ ବିବେକାନନ୍ଦ ଷଡ଼ଙ୍ଗୀଙ୍କୁ ପଚାରିବାରୁ ଆବଶ୍ୟକ ସହାୟତା ପାଇଁ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ।