ନୂଆଦିଲ୍ଲୀ, ୧୬/୧୦ : ଋଷ ଓ ଚୀନକୁ ଚେକ୍ ଦେବ ଆମେରିକା। ୱାଶିଂଟନର ନୂଆ ରଣନୀତି। ପୁରୁଣା ମେସିନ୍‌ରେ ନୂଆ ଟେକନିକ୍। ବିନା ପାଇଲଟ୍‌ରେ ଉଡ଼ିବ ଲଢୁଆ ହେଲିକପ୍ଟର। ରଣଭୂମିକୁ ପହଞ୍ଚାଇବ ଗୋଳା ବାରୁଦ। ଏଥିରେ କକପିଟ୍ ନାହିଁ,  ସମ୍ପୂର୍ଣ୍ଣ ରୂପେ ଅନକ୍ରୁଡ୍। ମଡ୍ୟୁଲାର୍ ଡିଜାଇନ୍ ସହ ଏଥିରେ ରହିଛି ତୃତୀୟ ପିଢିର ଶସ୍ତା କଣ୍ଟ୍ରୋଲ ସିଷ୍ଟମ। କମ୍ପ୍ୟୁଟର କଣ୍ଟ୍ରୋଲରେ ଭରିବ ଉଡ଼ାଣ। କାର୍ଗୋ ଲ୍ୟାଣ୍ଡିଂ କ୍ଷମତା ସମ୍ପନ୍ନ, ଆଗ ଗେଟ୍‌ରେ ହୋଇପାରିବ ଡ୍ରାଇଭ୍ ଅନ୍-ଡ୍ରାଇଭ୍ ଅଫ୍। ବିନା ପାଇଲଟ୍‌ରେ କରିବ ଜିନିଷ ନେବା ଆଣିବା। ଡ୍ରୋନ୍ ଲଞ୍ଚ୍ ହେଉକି ଗ୍ରାଉଣ୍ଡ୍ ଭେହିକିଲ୍ ମୁତୟନ, ହାଇରିସ୍କ ଏରିଆରେ କରିବ କାମ। ଏହାର ସ୍ପିଡ୍ ଘଣ୍ଟାପ୍ରତି ୩୪୦ କିଲୋମିଟର। ଏହାର ରେଞ୍ଜ୍ ୨ ହଜାର ୯୬୦ କିଲୋମିଟର। ବିନା ରିଫୁଏଲିଂରେ ୧୪ ଘଣ୍ଟା ପର୍ଯ୍ୟନ୍ତ କରିବ ଅପରେସନ। ଏହା UH-60L ବ୍ଲାକ ହ୍ୟାକ୍‌ର ସ୍ଵୟଂଚାଳିତ ମଡେଲ୍। ନାମ S-70UAS U-Hawk। 

ୱାଶିଂଟନରେ ଚାଲିଥିବା AUSA 2025 ସମ୍ମିଳନୀରେ S-70UAS U-Hawk ହେଲିକପ୍ଟର ପ୍ରଦର୍ଶନ କଲା ଆମେରିକୀୟ କମ୍ପାନୀ ସିକୋରସ୍କି। ଏହା ଏକ ବଡ଼ ଡ୍ରୋନ୍ ହେଲିକପ୍ଟର। ଯାହାକି ସୈନିକଙ୍କ ଜୀବନ ବଞ୍ଚାଇବା ପାଇଁ ଲମ୍ଵା ମିଶନ କରିପାରିବ। ଏହି ବିନା ପାଇଲଟ୍‌ ବିମାନ ଯୁଦ୍ଧ ଭୂଇଁକୁ ଜିନିଷ ନେବା ଆଣିବା କରିବ ଓ ନଜର ରଖିପାରିବ। ଏହା MATRIX ନାମକ ସ୍ଵୟଂଚାଳିତ ସିଷ୍ଟମ ଦ୍ଵାରା ପରିଚାଳିତ। ଏହି ସିଷ୍ଟମ ନିଜ ରାସ୍ତା ନିଜେ ତିଆରି କରେ। ରିଅଲ୍ ଟାଇମ୍‌ରେ ଠିକ୍ ନିଷ୍ପତ୍ତି ନେଇ ସବୁ ବାଧାବିଘ୍ନକୁ ସାମ୍ନା କରେ। ଏକ ଅପରେଟର ଟାବଲେଟ୍ ଦ୍ଵାରା ଇଞ୍ଜିନ୍ ଷ୍ଟାର୍ଟ ଠାରୁ ମିଶନ ଶେଷ ହେବା ପର୍ଯ୍ୟନ୍ତ ସବୁ କିଛି କଣ୍ଟ୍ରୋଲ୍ ହୋଇପାରିବ। ଏଥିପାଇଁ ପାଇଲଟ୍‌ଙ୍କର କିଛି ଆବଶ୍ୟକତା ନାହିଁ।  

ଆମେରିକୀୟ ସେନାର ପୁରୁଣା ସାଥୀ ହେଉଛି ବ୍ଲାକ୍ ହ୍ୟାକ୍ ହେଲିକପ୍ଟର। ୧୯୭୦ ଦଶକରୁ ଏହା ଯବାନଙ୍କୁ ନେବା ଆଣିବା କରିବା ଓ ଯୁଦ୍ଧ ଭୂଇଁକୁ ଜନିଷ ପତ୍ର ବୋହିବାରେ ବ୍ୟବହାର ହେଉଛି। ହେଲେ ଏବେ ଯୁଦ୍ଧଗ୍ରସ୍ତ ଅଞ୍ଚଳରେ ପାଦେ ପାଦେରେ ବିପଦ ବଢୁଛି। ଏଥିପାଇଁ ସିକୋରସ୍କି କମ୍ପାନୀ ଏହି ମାନବ ରହିତ ଡ୍ରୋନ୍ ହେଲିକପ୍ଟରର ଡିଜାଇନ୍ କରିଛି। ଏଥିରୁ କକପିଟ୍, ସିଟ୍ ଓ ସବୁ କ୍ରୁ ଷ୍ଟେସନ ହଟାଇ ଦିଆଯାଇଛି। ଏହାର ଆଗପଟେ କ୍ଲାମସେଲ୍ ଡୋର୍ ଓ ପଛରେ କାର୍ଗୋ ରାପ୍ ଲଗାଯାଇଛି। ଏହାଦ୍ଵାରା ହେଲିକପ୍ଟର ଭିତରେ ୨୫ ପ୍ରତିଶତ ଜାଗା ଆହୁରି ଖାଲି ହୋଇଯାଇଛି। ଏହି ମଡେଲର ଉନ୍ନତିକରଣ ପାଇଁ କମ୍ପାନୀକୁ ପ୍ରାୟ ୧୦ ମାସ ସମୟ ଲାଗିଛି। 

ଏହି ହେଲିକପ୍ଟରର ଓଜନ ୩ ହଜାର ୧୭୫ କିଲୋ। ଏହା ଯବାନଙ୍କ ପାଖରେ ଦ୍ରୁତ ଗତିରେ ଔଷଧ, ଅତ୍ୟାବଶ୍ୟକ ଜିନିଷ ଓ ଅସ୍ତ୍ର ପହଞ୍ଚାଇବ। ବହୁ ଡ୍ରୋନ୍‌ଙ୍କ ସହ ଟିମ୍ କରି କାମ କରିବ। ରକେଟ୍ ପ୍ୟାଡ୍ କିମ୍ଵା ମିସାଇଲ୍ ନେଇ ହମଲା କରିପାରିବ। ୨୦୨୬ରେ କମ୍ପାନୀ ଏହି ହେଲିକପ୍ଟରକୁ ଲଞ୍ଚ୍ କରିବ। ଆମେରିକା ଆର୍ମିର ୨୦୦୦ରୁ ଅଧିକ ବ୍ଲାକ ହ୍ୟାକ୍ ହେଲିକପ୍ଟର ଅପଗ୍ରେଡ୍ କରାଯିବ। ପୁରୁଣା ମେସିନ୍‌ରେ କିଭଳି ନୂଆ ଟେକନିକ୍ ଅମର ହୋଇପାରିବ ୟୁ-ହକ୍ ତାର ଉଦାହରଣ ସାଜିବ।