ନୂଆଦିଲ୍ଲୀ,୨୭/୧୦: ଆମେରିକା ନୌସେନାର ଏକ ହେଲିକପ୍ଟର ଏବଂ ଯୁଦ୍ଧ ବିମାନ ରହସ୍ୟମୟ ଭାବେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଚୀନ ସାଗରରେ କ୍ରାସ ହୋଇଛି ଦୁଇଟି ଆମେରିକୀୟ ନୌସେନା ବିମାନ, ଏକ F/A-18F ସୁପର ହର୍ନେଟ୍ ଲଢ଼ୁଆ ଜେଟ୍ ଏବଂ ଏକ MH-60R ସି ହକ୍ ହେଲିକପ୍ଟର ପୃଥକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । MH-60R ବେଟଲ୍ କ୍ଯାଟ୍ସ ନାମରେ ଜଣାଶୁଣା । ୩୦ ମିନିଟ୍ ସମୟ ବ୍ୟବଧାନରେ ଦୁର୍ଘଟଣା ଘଟିଛି ।
ସୋସିଆଲ ମିଡିଆରେ ଜାରି ବୟାନ ଅନୁସାରେ, ଅକ୍ଟୋବର ୨୬ରେ ସ୍ଥାନୀୟ ସମୟର ୨ଟି ୪୫ ମିନିଟ୍ରେ ହକ୍ ହେଲିକପ୍ଟର ଦକ୍ଷିଣ ଚୀନ ସାଗରରେ କ୍ରାସ ହୋଇଥିଲା । ଏହା ଏୟାରକ୍ରାଫ୍ଟ ୟୁଏସଏସ ନିମିଜ୍ରୁ ଉଡାଣ ଭରିଥିଲା । ଏଥିରେ ଥିବା ସମସ୍ତ ୩ ଜଣ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା । ଏହି ଦୁର୍ଘଟଣାର ପ୍ରାୟ ଅଧଘଣ୍ଟା ପରେ ଏକ ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବୋଇଂ F/A-18F ସୁପର ହର୍ନେଟ୍ ଲଢ଼ୁଆ ଜେଟ୍ ଉଡାଣ ଆରମ୍ଭ କରିବାର କିଛି ସମୟ ମଧ୍ୟରେ ସମୁଦ୍ରରେ ଖସି ପଡିଥିଲା । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଥମ ଥର ଏସିଆ ଗସ୍ତ କରିଥିବା ସମୟରେ ଏହି ଦୁର୍ଘଟଣା ଘଟିଛି ।
ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ ମଧ୍ୟ ଅନ୍ୟ ଏସୀୟ ଦେଶ ଗସ୍ତରେ ଅଛନ୍ତି । ଏହା ପ୍ରଥମ ଘଟଣା ନୁହେଁ । ବର୍ଷ ଆରମ୍ଭରେ ଏକ ଆମେରିକା ବିମାନ କ୍ରାସ୍ ହୋଇଥିଲା । ଏହା ମଧ୍ୟଏସିଆ ଅପରେସନ୍ରେ ଭାଗ ନେଇଥିଲା ।