ନୂଆଦିଲ୍ଲୀ: ଆମେରିକୀୟ କାମ କରୁଥିବା ସୌନିକଙ୍କ ପାଇଁ ଜାରି କଲା ନୂଆ ଗ୍ରୁମିଂ ନିୟମ। ଏଣିକି ସେନାରେ କାମ କରୁଥିବା ସୌନିକମାନେ ଦାଢ଼ି ଏବଂ ଲମ୍ବା କେଶ ରଖିପାରିବେ ନାହିଁ। ଏହି ନୂତନ ଗ୍ରୁମିଂ ନିୟମ କାର୍ଯ୍ୟକାରୀ କରିବା ପରେ ସମଗ୍ର ଦୁନିଆରୁ ସରକାରଙ୍କୁ କଡ଼ା ସମାଲୋଚନାର ସାମ୍ନା କରିବାକୁ ପଡୁଛି। ଏହି ନୀତିରେ ଶିଖ, ମୁସଲମାନ ଏବଂ ଅର୍ଥୋଡକ୍ସ ୟିହୂଦୀମାନଙ୍କୁ ସେମାନଙ୍କର ବିଶ୍ୱାସ ବଜାୟ ରଖିବା ଏବଂ ସଶସ୍ତ୍ର ବାହିନୀରେ ସେବା କରିବା ମଧ୍ୟରୁ ଗୋଟିଏ ବାଛିବାକୁ ପଡ଼ିବ।

ଆମେରିକା ପ୍ରତିରକ୍ଷା ସଚିବ ପିଟ୍ ହେଗସେଥଙ୍କ ଦାୟିତ୍ତ୍ୱହୀନ ମନ୍ତବ୍ୟ ପରେ ଏହି ବିବାଦ ଆହୁରି ଘନୀଭୂତ ହେବାରେ ଲାଗିଛି। ଆପଣଙ୍କୁ ଜଣାଇରଖୁ ଯେ, ପିଟ୍ ଦାଢ଼ି ରଖିଥିବା ସେନା କର୍ମଚାରୀଙ୍କୁ "ଦାଢ଼ିଆ ଏବଂ ମୋଟା ଜେନେରାଲ" ବୋଲି କହିଥିଲେ।

ଶିଖ ଏବଂ ପଞ୍ଜାବୀ ସମ୍ପ୍ରଦାୟ ଉପରେ ଏହାର ପ୍ରଭାବ ପଡ଼ିଥିବା ଲକ୍ଷ୍ୟ କରି ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧକ କମିଟି (SGPC) ଏହି ନିଷ୍ପତ୍ତିକୁ କଡା ନିନ୍ଦା କରିଛି। SGPC ମୁଖପାତ୍ର ଗୁରୁଚରଣ ଗ୍ରେୱାଲ କହିଛନ୍ତି ଯେ ଏହା ପ୍ରଥମ ଥର ନୁହେଁ ଯେତେବେଳେ ଶିଖ କିମ୍ବା ପଞ୍ଜାବୀମାନଙ୍କୁ ଟାର୍ଗେଟ କରାଯାଇଛି। ସେ କହିଛନ୍ତି ଯେ କମିଟି ସୂଚନା ସଂଗ୍ରହ ଏବଂ ଧାର୍ମିକ ଅଭ୍ୟାସ ସମ୍ପର୍କିତ ଚିନ୍ତାଧାରାକୁ ଦୂର କରିବା ପାଇଁ ଆମେରିକାର ଗୁରୁଦ୍ୱାର ସହିତ କାମ କରିବ।

ଆପଣଙ୍କୁ ଜଣେଇ ରଖୁ ଯେ, ଜଣେ ଶିଖଙ୍କ ପାଇଁ ପାଞ୍ଚଟି କକ୍କର ପାଳନ କରିବା ନିହାତି ଆବଶ୍ୟକିୟ। ଯେଉଁଥିରେ କେଶ, କଚେରା, କଙ୍ଗା, କିରପାନ ଏବଂ କଢା ଆଦି ଅନ୍ତର୍ଭୁକ୍ତ ରହିଛି। ଏହି ଧାର୍ମିକ ଅଭ୍ୟାସ ଉପରେ ଯେକୌଣସି ଟିପ୍ପଣି କିମ୍ବା ନିର୍ଦ୍ଦେଶନାକୁ ଆପତ୍ତିଜନକ ଏବଂ ଧାର୍ମିକ ଭାବନା ବିରୁଦ୍ଧାତ୍ମକ ବୟାନ ଭାବେ ବିବେଚନା କରାଯାଏ।

ବଥିଣ୍ଡା ସାଂସଦ ହରସିମରତ କୌର ବାଦଲ ଏହି ନୀତିକୁ ନିନ୍ଦନୀୟ ଏବଂ ପକ୍ଷପାତପୂର୍ଣ୍ଣ ବୋଲି ବର୍ଣ୍ଣନା କରିଛନ୍ତି। ସେହିଭଳି ବିଜେପି ପଞ୍ଜାବର ଉପାଧ୍ୟକ୍ଷ ଫତେଜଙ୍ଗ ସିଂହ ବାଜୱା ଏହି ପଦକ୍ଷେପକୁ ଆମେରିକା ସରକାରର ପ୍ରତିକୂଳାତ୍ମକ ପଦକ୍ଷେପ ବୋଲି କହିବା ସହ ଧାର୍ମିକ ସ୍ୱାଧୀନତାର ମୂଳ ଉପରେ ଆକ୍ରମଣ ବୋଲି କହିଛନ୍ତି।

ଶ୍ରୀ ଆନନ୍ଦପୁର ସାହିବର ଆପର ସାଂସଦ ମାଲବିନ୍ଦର କାଙ୍ଗ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ଆମେରିକା ସରକାରଙ୍କ ଦ୍ୱାରା ଶିଖ ସୈନିକମାନଙ୍କୁ ସେମାନଙ୍କର ଦାଢ଼ି ଏବଂ କେଶ କାଟିବା ପାଇଁ ନିର୍ଦ୍ଦେଶ ଶିଖଙ୍କ ଐତିହାସିକ ମୂଲ୍ୟବୋଧ ଏବଂ ସେମାନଙ୍କ ଧାର୍ମିକ ପରିଚୟ ଉପରେ ଆକ୍ରମଣ କରିବା ସହ ସମାନ।

ପଞ୍ଜାବର ହଜାର ହଜାର ନେତା ଏବଂ ଶିଖ ନେତା ଆମେରିକାର ଏହି ନିଷ୍ପତ୍ତିକୁ ପକ୍ଷପାତପୂର୍ଣ୍ଣ ଏବଂ ଅଗଣତାନ୍ତ୍ରିକ ନୀତି ଭାବରେ ବର୍ଣ୍ଣନା କରୁଥିବା ବେଳେ ଏହି ଘଟଣା ଉପରେ ଆଉଥରେ ପୁନର୍ବିଚାର କରିବାକୁ ଅନୁରୋଧ କରିଛନ୍ତି।