କେସିଙ୍ଗା,୩/୦୯ : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକର ଅଧିକାଂଶ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ସମସ୍ୟା । ଛାତ୍ରଛାତ୍ରୀଙ୍କ ଅନୁପାତରେ ଆବଶ୍ୟକ ଶିକ୍ଷକ ନିଯୁକ୍ତି ହୋଇନାହାନ୍ତି । ଏନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଶିକ୍ଷକ ସମସ୍ୟାର ସମାଧାନ ନିମନ୍ତେ ସ୍କୁଲ ପରିଚାଳନା କମିଟି ପକ୍ଷରୁ ଅନେକ ଥର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କଠାରେ ଅଭିଯୋଗ ହୋଇଆସୁଛି । ତଥାପି କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହେଉଛି । ବିଭାଗୀୟ ଅଧିକାରୀ ଏଦିଗରେ ଯେଉଁ ଭଳି ପଦକ୍ଷେପ ଗ୍ରହଣ କରିବା କଥା ତାହା ହେଉନାହିଁ । କେସିଙ୍ଗା ବ୍ଲକ ଅନ୍ତର୍ଗତ କାଣ୍ଡେଲ ପଞ୍ଚାୟତ ସ୍ଥିତ ବ୍ରାହ୍ମଣୀ ଗାଁ ବିଦ୍ୟାଳୟରେ ଏଭଳି ସମସ୍ୟା ସାମ୍ନାକୁ ଆସିଛି ।

ବ୍ରାହ୍ମଣୀ ଗ୍ରାମର ସର୍ବପୁରାତନ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ସମସ୍ୟା ଦେଖାଦେଇଛି । ଯାହା ଫଳରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦାନ କରିବାରେ ଅସୁବିଧା ହେଉଛି ।  ଚଳିତ ଶିକ୍ଷାବର୍ଷରେ ଶିଶୁ ବାଟିକାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୧୩ ଜଣ ଛାତ୍ରଛାତ୍ରୀ ନାମ ଲେଖାଇ ଅଧ୍ୟୟନ କରୁଥିବା ବେଳେ ଶିକ୍ଷାଦାନ ପାଇଁ ମାତ୍ର ୪ ଜଣ ଶିକ୍ଷକ ନିଯୁକ୍ତ ହୋଇଛନ୍ତି । ନିଯୁକ୍ତି ପାଇଥିବା ଅନ୍ୟ ଜଣେ ଶିକ୍ଷକଙ୍କୁ ଅନ୍ୟତ୍ର ଡେପୁଟେସନ କରାଯାଇଛି । ଡେପୁଟେସନରେ ଯାଇଥିବା ଶିକ୍ଷକଙ୍କୁ ଫେରାଇ ଆଣିବା ପାଇଁ ସ୍କୁଲ ପରିଚାଳନା କମିଟି ଓ ଗ୍ରାମବାସୀ ବିଇଓଙ୍କ ଠାରେ ଅନେକ ଥର ଲିଖିତ ଭାବରେ ଜଣାଇଥିଲେ । ହେଲେ ଶିକ୍ଷକ ସମସ୍ୟାର ସମାଧାନ ହୋଇପାରି ନଥିବା ଯୋଗୁଁ ଶିକ୍ଷା ବିଭାଗର ଅଧିକାରୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କରି ବିଦ୍ୟାଳୟର ମୁଖ୍ୟ ଗେଟ୍‌ରେ ତାଲା ପକାଇ ଦେଇଥିଲେ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟମାନେ । ଯାହା ଫଳରେ ଛାତ୍ରଛାତ୍ରୀ ଓ ଶିକ୍ଷକ ବାହାରେ ରହିଥିଲେ । ଶିକ୍ଷା ବିଭାଗ ପକ୍ଷରୁ ସ୍ଥାନୀୟ ସିଆରସିସି ଆଶୁତୋଷ ଭୋଇ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଇଥିଲେ ଏବଂ ବିଇଓ ନିର୍ଦ୍ଦେଶ ଅନୁସାରେ ଜଣେ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ ବୋଲି ପ୍ରତିଶ୍ରୁତି ଦେବାରୁ ତାଲା ବନ୍ଦ ପ୍ରତ୍ୟାହୃତ ହୋଇଥିଲା । ଯଦି ଆସନ୍ତା ଶୁକ୍ରବାର ଦିନ ସୁଦ୍ଧା ସିଆରସିସିଙ୍କ ପ୍ରତିଶ୍ରୁତି ପୂରଣ ନହେଲେ ପୁଣି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବିଦ୍ୟାଳୟରେ ତାଲା ପଡିବ ଓ ସେଥିପାଇଁ ଶିକ୍ଷା ବିଭାଗ ଦାୟୀ ରହିବେ ବୋଲି ଆନ୍ଦୋଳନକାରୀ ପ୍ରକାଶ କରିଛନ୍ତି ।