ଭୁବନେଶ୍ୱର, ୧୦/୯ : ଚକ୍ରକ୍ଷେତ୍ର ଏକାମ୍ରର ପ୍ରତ୍ୟେକ ଦେବଦେବୀଙ୍କ ପୀଠରେ ପୂଜାନୀତି ପାଇଁ ସ୍ୱତନ୍ତ୍ର ତୀର୍ଥ ପୁଷ୍କରିଣୀ ରହିଛି । ଯାହାର ଜଳକୁ ପୂଜା କାର୍ଯ୍ୟ ବ୍ୟତୀତ ଶ୍ରଦ୍ଧାଳୁମାନେ ଭକ୍ତିରେ ବିଭିନ୍ନ ଭାବେ ବ୍ୟବହାର କରନ୍ତି । ଚର୍ମ ରୋଗରୁ ଉପଶମ ପାଇବା, ବନ୍ଧ୍ୟା ଦୋଷ ଦୂର କରିବା, ପେଟ ରୋଗ, ପାରିବାରିକ ଶାନ୍ତି ଆଦି ସକଳ ମନସ୍କାମନା ଉଦ୍ଦେଶ୍ୟରେ ଗଭୀର ବିଶ୍ୱାସର ସହ ଏହି ତୀର୍ଥ ପୁଷ୍କରିଣୀ ଜଳକୁ ବ୍ୟବହାର କରାଯାଏ । କେହି କେହି ଏହି ଜଳରେ ସ୍ନାନ କରନ୍ତି ତ ଆଉ କିଏ ପାଦୁକ ଭାବେ ପାଇଥାନ୍ତି । କିନ୍ତୁ ଏବେ ପ୍ରାୟ ସମସ୍ତ ପୁଷ୍କରିଣୀ ଜଳ ଦୂଷିତ ହୋଇପଡ଼ିଛି । ଫଳରେ ଶ୍ରଦ୍ଧାଳୁମାନେ ଏହି ଜଳ ତୁଣ୍ଡରେ ମାରିବା ତ ଦୂର କଥା ମୁଣ୍ଡରେ ମାରିବାକୁ ମଧ୍ୟ ପଛଘୁଞ୍ଚା ଦେଉଛନ୍ତି । ଏ ସବୁ ପୁଷ୍କରିଣୀ ମଧ୍ୟରୁ ସର୍ବାଧିକ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାନ(ଏଏସ୍ଆଇ) ଅଧୀନରେ ରହିଛି । କିନ୍ତୁ ଏଏସ୍ଆଇ ରକ୍ଷଣା ବେକ୍ଷଣ ନ କରିବା ସମସ୍ତଙ୍କୁ ବ୍ୟଥିତ କରିଛି ।
ବିନ୍ଦୁସାଗର
ଏକାମ୍ର କ୍ଷେତ୍ରର ସର୍ବ ବୃହତ୍ ଓ ସର୍ବାଧିକ ଦେବ ପରମ୍ପରା ଜଡ଼ିତ ପୁଷ୍କରିଣୀ ହେଉଛି ବିନ୍ଦୁ ସାଗର । ଏକାମ୍ରର ଆରାଧ୍ୟ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ୨୨ ଦିନିଆ ଚନ୍ଦନ ଯାତ୍ରା ସହ ଅନେକ ପୂଜା ପାଇଁ ଏହି ତୀର୍ଥ ପୁଷ୍କରିଣୀ ପାଣି ବ୍ୟବହାର କରାଯାଏ । ସେହିପର ଲୋକେ ପିତୃପକ୍ଷରେ ପିଣ୍ଡ ଅର୍ପଣ, କାଉଡିଆଙ୍କ ପାଣି ଉତ୍ତୋଳନ ଆଦି ଉଦ୍ଦେଶ୍ୟରେ ଏହି ପାଣି ବ୍ୟବହାର କରୁଛନ୍ତି । ଏତେ ଗୁରୁତ୍ୱ ବହନ କରୁଥିବା ଏହି ପୁଷ୍କରିଣୀ ପାଣି ଏବେ ବ୍ୟବହାର ଉପଯୋଗୀ ନାହିଁ । ପୁଷ୍କରିଣୀର ରକ୍ଷଣାବେକ୍ଷଣ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ, ବିଏମ୍ସି, କିଛି ବେସରକାରୀ ଅନୁଷ୍ଠାନ ନିୟୋଜିତ ଥାଇ ବି ଆଖି ଦୃଶିଆ କାର୍ଯ୍ୟ ହୋଇପାରୁନି । ବର୍ଷ ସାରା ପୁଷ୍କରିଣୀ ଦଳ ଭର୍ତ୍ତି ହୋଇ ରହୁଛି । ଫଳରେ ଏହା ଆକର୍ଷଣ ହରାଉଛି ।
ଦେବୀ ପାଦହରା
ଦେବୀ ପାଦହରାକୁ ଏକାମ୍ର କ୍ଷେତ୍ରର ଦ୍ୱିତୀୟ ତୀର୍ଥ ପୁଷ୍କରିଣୀ କହିଲେ ଅତ୍ୟୁକ୍ତି ହେବ ନାହିଁ । ଶ୍ରୀଲିଙ୍ଗରାଜ ମନ୍ଦିର ସିଂହଦ୍ୱାର ସମ୍ମୁଖରେ ଏହି ପୁଷ୍କରିଣୀ ରହିଛି । ତେଣୁ ଅଧିକାଂଶ ଲୋକେ ଠାକୁରଙ୍କ ଦର୍ଶନ ସାରି ଦେବୀ ପାଦହରାକୁ ବୁଲି ଯାଇଥାନ୍ତି । କାରଣ ଏଠାକାର କୀର୍ତ୍ତେଶ୍ୱର ଠାକୁରଙ୍କ ଦର୍ଶନ ସାଙ୍ଗକୁ ୧୦୮ ମହାଦେବ ଆଉ ରମଣୀୟ ପୁଷ୍କରିଣୀର ସୁନୀଳ ଜଳରାଶୀ ଅନେକଙ୍କୁ ମୁଗ୍ଧ କରେ । ହେଲେ ଏବେ ଏହା ଦଳମୟ ହୋଇ ସୌନ୍ଦର୍ଯ୍ୟ ହରାଇଛି । ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଏକ ମହାନ ପର୍ବ ସହିତ ଏହି ପୁଷ୍କରିଣୀର ସମ୍ପର୍କ ରହିଛି । ପବିତ୍ର ଦେବୀ ପାଦହରା ଅଷ୍ଟମୀ ଅର୍ଥାତ୍ ଅଶୋକାଷ୍ଟମୀ ଅବ୍ୟବହିତ ପୂର୍ବରୁ ଠାକୁର ଏଠାକୁ ବାସୁଦେବ, ମା’ ପାର୍ବତୀ ଓ ଦୁର୍ଗାଙ୍କ ସହ ଆସି କୀର୍ତ୍ତେଶ୍ୱରଙ୍କ ପୂଜାର୍ଚ୍ଚନା କରିବାର ପରମ୍ପରା ରହିଛି । ୨ ବର୍ଷ ପୂର୍ବେ ପଙ୍କ ଉଦ୍ଧାର ପରଠୁ ଆଉ ଟଙ୍କାଟିଏ ବି ପୁଷ୍କରିଣୀ ପାଇଁ ଏଏସ୍ଆଇ ଖର୍ଚ୍ଚ କରିନି ।
ପାପନାସିନୀ
ପାପନାସିନୀ ମଧ୍ୟ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ତୀର୍ଥ ପୁଷ୍କରିଣୀ, ଯାହା ଶ୍ରୀଲିଙ୍ଗରାଜ ମନ୍ଦିର ଉତ୍ତର ପଶ୍ଚିମ ଦିଗରେ ରହିଛି । ଶ୍ରୀଲିଙ୍ଗରାଜ ପଢୁଆଁ ଅଷ୍ଟମୀରେ ମୈତ୍ରେଶ୍ୱରଙ୍କ ପୀଠକୁ ପଢୁଆଁ ହେବାକୁ ଆସିଲେ ଏହି ପୁଷ୍କରିଣୀରେ ସ୍ନାନ କରନ୍ତି । ଏହି କୁଣ୍ଡରେ ଠାକୁରଙ୍କ ପାଦୁକ ପାଣି ଆସି ପଡିଥାଏ । ତେଣୁ ଲୋକମତ ଅନୁଯାୟୀ ଏଠାରେ ସ୍ନାନ କଲେ ପାପ କ୍ଷୟ ହୁଏ । ଶ୍ରୀଲିଙ୍ଗରାଜ ମହାପ୍ରଭୁ ଏଠାକୁ ବର୍ଷରେ ଏକାଧିକବାର ଯାନି ଯାତ୍ରାରେ ବିଜେ କରିଥାନ୍ତି ବୋଲି ସେବାୟତମାନେ କହିଛନ୍ତି । ଏହି ପୁଷ୍କରିଣୀ ମଧ୍ୟ ଦଳ ଭର୍ତ୍ତି ହୋଇ ରହିଛି । ଏଏସ୍ଆଇ ଏଠାରୁ ଦଳ ସଫେଇ କରିବାକୁ ବିଭିନ୍ନ ବର୍ଗର ଲୋକେ ଦାବି କରିଛନ୍ତି । ଦଳ ସଫେଇ ବାବଦରେ ଏଏସ୍ଆଇ ଭୁବନେଶ୍ୱର ଚାପ୍ଟରର ଭାରପ୍ରାପ୍ତ ସୁପରିଣ୍ଟେଣ୍ଡେଣ୍ଟ ନନ୍ଦ କିଶୋର ସ୍ୱାଇଁ କହିଛନ୍ତି ଯେ ଆମେ ଅନୁଧ୍ୟାନ କରି ବିହୀତ ପଦକ୍ଷେପ ନେବୁ।
ଗୌରୀ କୁଣ୍ଡ
ଗୌରୀ କୁଣ୍ଡର ଗରିମା ଯେତେ ବଖାଣିଲେ କମ୍ ପଡ଼ିବ । ହେଲେ ବିଗତ ୧୦ ବର୍ଷ ମଧ୍ୟରେ ଏହାର ପାଣି ଏତେ ପ୍ରଦୂଷିତ ହୋଇଯାଇଛି ଯେ, ଆଖିରେ ନ ଦେଖିଲେ ବିଶ୍ୱାସ ହେବନି । ଏହାର ପୁନରୁଦ୍ଧାର ପାଇଁ ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ପକ୍ଷରୁ ବିପୁଳ ଅର୍ଥ ଖର୍ଚ୍ଚ କରାଯାଇଛି । କିନ୍ତୁ ପାଣି ବିଶୋଧନ କାମ କାଣିଚାଏ ମଧ୍ୟ ହୋଇପାରିନି ବୋଲି ବରିଷ୍ଠ ସେବାୟତ ମିହିର କୁମାର ମହାପାତ୍ର କହିଛନ୍ତି । ଏଥିପାଇଁ ସାଂସଦ ବି ପଦକ୍ଷେପ ନେବାକୁ ଚେଷ୍ଟା କରିଥିଲେ । କିନ୍ତୁ କୌଣସି ସୁଫଳ ମିଳିନାହିଁ ।