ନୂଆଦିଲ୍ଲୀ: ଉତ୍ତର ବଙ୍ଗରେ ବିଜେପି ସାଂସଦ ଖଗେନ ମୁର୍ମୁ ଏବଂ ବିଧାୟକ ଶଙ୍କର ଘୋଷଙ୍କ ଉପରେ ଆକ୍ରମଣ ଘଟଣାରେ ପଶ୍ଚିମବଙ୍ଗ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି। ଏହା ବିଜେପି ନେତାଙ୍କ ଉପରେ କରାଯାଇଥିବା ଆକ୍ରମଣ ମାମଲାରେ ସ୍ଥାନୀୟ ପୋଲିସ ଦ୍ୱାରା କରାଯାଇଥିବା ପ୍ରଥମ ଗିରଫଦାରୀ। ସ୍ଥାନିୟ ଅଧିକାରୀ ଦେଇଥିବା ସୂଚନା ଅନୁସାରେ, ଜଣେ ବ୍ୟକ୍ତିଙ୍କୁ ନାଗରାକଟା ଏବଂ ଅନ୍ୟ ଜଣଙ୍କୁ ଜୟଗାଓଁରୁ ଗିରଫ କରାଯାଇଛି।
ସୂଚନା ମୁତାବକ, ସୋମବାର ଦିନ ଜଲପାଇଗୁଡ଼ିର ନାଗରାକଟା ଅଞ୍ଚଳରେ ବିଜେପି ସାଂସଦ ଖଗେନ ମୁର୍ମୁ ଏବଂ ସିଲିଗୁଡ଼ି ବିଧାୟକ ଶଙ୍କର ଘୋଷଙ୍କ ଉପରେ ପଥରମାଡ଼ ଆକ୍ରମଣ ପରେ ଏହି ଗିରଫଦାରୀ ହୋଇଛି। ଉଭୟ ନେତା ବନ୍ୟା ପ୍ରଭାବିତ ଅଞ୍ଚଳରେ ସହାୟତା କରୁଥିବା ସମୟରେ ସେମାନଙ୍କୁ ଟାର୍ଗେଟ କରାଯାଇଥିଲା। ବିଜେପି ନେତାମାନେ ଅଭିଯୋଗ କରିଛନ୍ତି ଯେ ଏହି ଆକ୍ରମଣ ଟିଏମସି ସଦସ୍ୟଙ୍କ ଦ୍ୱାରା କରାଯାଇଥିଲା।
ଏନେଇ ପଶ୍ଚିମବଙ୍ଗର ବିଜେପି ମୁଖପାତ୍ର ଅମିତ ମାଲବ୍ୟ ସାମାଜିକ ଗଣାମାଧ୍ୟମ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ " ପଶ୍ଚିମବଙ୍ଗରେ ଟିଏମସିର ଜଙ୍ଗଲରାଜ! ବିଜେପି ସାଂସଦ ଖଗେନ ମୁର୍ମୁ, ଜଣେ ସମ୍ମାନିତ ଆଦିବାସୀ ନେତା ତଥା ଉତ୍ତର ମାଲଦାର ଦୁଇ ଥର ସାଂସଦ, ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରିବାକୁ ଯାଉଥିବା ସମୟରେ ଟିଏମସି ଗୁଣ୍ଡାମାନଙ୍କ ଦ୍ୱାରା ଆକ୍ରମଣର ଶିକାର ହୋଇଛନ୍ତି,"।
ସେହିପରି ଅନ୍ୟପଟେ ଖଗେନ ମୁର୍ମୁଙ୍କ ଉପରେ ଆକ୍ରମଣ ହେବାର ଗୋଟିଏ ଦିନ ପରେ, ପଶ୍ଚିମବଙ୍ଗର କୁମାରଗ୍ରାମରେ ବିଜେପି ବିଧାୟକ ମନୋଜ କୁମାର ଓରାଓଁଙ୍କ ଉପରେ ମଧ୍ୟ ଆକ୍ରମଣ ହୋଇଥିବା ଜଣାପଡ଼ିଛି। ଏନେଇ ବିଜେପି ଦାବି କରିଛି ଯେ ମଙ୍ଗଳବାର ଦିନ ବନ୍ୟା ରିଲିଫ୍ ସାମଗ୍ରୀ ବଣ୍ଟନ କରୁଥିବା ସମୟରେ ତୃଣମୂଳ କଂଗ୍ରେସ (TMC) କର୍ମୀମାନେ ଓରାଓଁଙ୍କ ଉପରେ ଆକ୍ରମଣ କରିଥିଲେ।
ଏହି ଘଟଣାରେ ଓରାଓଁ ଆହତ ହୋଇଥିଲେ ଏବଂ ତାଙ୍କୁ ଚିକିତ୍ସା ପାଇଁ ଏକ ହସ୍ପିଟାଲକୁ ମଧ୍ୟ ନିଆଯାଇଥିଲା। ହସ୍ପିଟାଲରୁ ସେ ଏନେଇ ସୂଚନା ପ୍ରଦାନ କରି କହିଛନ୍ତି ଯେ, "ବନ୍ୟା ପୀଡିତ ଲୋକଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରୁଥିବା ସମୟରେ, କେତେକ ଲୋକ ମତେ ହଠାତ୍ ଘେରିଯାଇ ଆକ୍ରମଣ ଆରମ୍ଭ କରିଦେଇଥିଲେ। ଏହା ହେଉଛି ଟିଏମସି ଅଧୀନରେ ଗଣତନ୍ତ୍ରର ଅବସ୍ଥା।"
ତେବେ, ଟିଏମସି ଏହି ଅଭିଯୋଗଗୁଡ଼ିକୁ ଅସ୍ୱୀକାର କରି ଏହାକୁ "ଭିତ୍ତିହୀନ" ବୋଲି କହିଛି। ଏହାକୁ ନେଇ ଜଣେ ସ୍ଥାନୀୟ ଦଳର ନେତା ଅଭିଯୋଗ କରି କହିଛନ୍ତି ଯେ, "ମନୋଜ ଓରାଓଁ ପ୍ରଥମେ ତାଙ୍କ ଅଞ୍ଚଳର ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ ଆକ୍ରମଣ କରିଥିଲେ। ଯାହାପରେ ସ୍ଥାନିୟ ଲୋକମାନେ ତାଙ୍କ ଉପରେ ପ୍ରତିଆକ୍ରମଣ କରିଥିଲେ।"
ପଶ୍ଚିମବଙ୍ଗ ବିଜେପି ଏହି ଘଟଣାର କଡା ନିନ୍ଦା କରି ଶାସକ ଦଳ ଆତଙ୍କୀ ରାଜନୀତି କରୁଛି ବୋଲି ଅଭିଯୋଗ କରିଛି। ଏନେଇ ଦଳ ସାମାଜିକ ଗଣମାଧ୍ୟମ ଏକ୍ସରେ ପୋଷ୍ଟ କରି କହିଛି ଯେ, "ଯେତେବେଳେ ଆମେ ଉତ୍ତର ବଙ୍ଗରେ ବନ୍ୟା ପୀଡିତ ଲୋକଙ୍କ ପାଖରେ ଛିଡା ହେଉ, ଟିଏମସି ତା'ର ଉତ୍ପାତ ଆରମ୍ଭ କରେ। ମମତା ବାନାର୍ଜୀଙ୍କ ଶାସନରେ, ସଙ୍କଟରେ ଥିବା ଲୋକଙ୍କ ସହିତ ଏକତା ପ୍ରଦର୍ଶନ କରିବା ମଧ୍ୟ ଏକ ଅପରାଧ ପାଲଟିଛି। ବିଜେପି ବିଧାୟକ ମନୋଜ କୁମାର ଓରାଓଁ, ଦଳୀୟ କର୍ମୀ ଏବଂ କେନ୍ଦ୍ରୀୟ ବାହିନୀ ଉପରେ ଆକ୍ରମଣ କରାଯାଇଥିଲା।"
ଏହି ପୋଷ୍ଟରେ ଆହତ ବିଧାୟକଙ୍କୁ ହସ୍ପିଟାଲକୁ ନିଆଯାଉଥିବା ଏବଂ ଅଞ୍ଚଳରେ ଅନେକ କ୍ଷତିଗ୍ରସ୍ତ ଗାଡ଼ି ଥିବାର ଦୃଶ୍ୟ ମଧ୍ୟ ରହିଥିଲା।