ଉଭୟ ମେଣ୍ଟ ଏଥିପାଇଁ ବିକାଶର ଲମ୍ବା ତାଲିକା ପ୍ରତିଶ୍ରୁତି ଫର୍ଦ୍ଦରେ ସୂଚାଇଛନ୍ତି । ବିଶେଷକରି ଶିକ୍ଷିତ ଓ କର୍ମସଂସ୍ଥାନ ପାଇଁ ଆଶାୟୀ ବିହାରର ଯୁବଗୋଷ୍ଠୀଙ୍କ ପାଇଁ ଏନଡିଏ ୧୦ ନିୟୁତ ଚାକିରିର ପ୍ରତିଶ୍ରୁତି ଦେଇଥିବାବେଳେ, ଆରଜେଡି ପ୍ରତି ପରିବାରକୁ ଗୋଟିଏ ସରକାରୀ ଚାକିରି ପ୍ରଦାନର ସଂକଳ୍ପ ଘୋଷଣା କରିଛି ।

କେତେକ ସ୍ଥାନରେ ହିଂସା ଘଟଣା ସହିତ ବିହାର ବିଧାନସଭା ନିମନ୍ତେ ପ୍ରଥମ ପର୍ଯ୍ୟାୟରେ ୧୨୧ଟି ଆସନ ପାଇଁ ଅନୁଷ୍ଠିତ ମତଦାନ ଶାନ୍ତିପୂର୍ଣ୍ଣ ଭାବରେ ଶେଷ ହୋଇଛି । ଏହାଫଳରେ ରାଜ୍ୟର ଏହିସବୁ ନିର୍ବାଚନମଣ୍ଡଳୀର ପ୍ରାୟ ୩କୋଟି ୭୫ଲକ୍ଷରୁ ଅଧିକ ମତଦାତା ୧୩୧୪ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି । ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ରାଜନୈତିକ ଦଳ ତଥା ସ୍ୱାଧୀନ ପ୍ରାର୍ଥୀମାନଙ୍କ ଭାଗ୍ୟ ଇଭିଏମ ମଧ୍ୟରେ ସିଲ୍‌ ହୋଇଯାଇଛି । ନଭେମ୍ବର ୧୧ ତାରିଖ ଦିନ ଦ୍ୱିତୀୟ ତଥା ଅନ୍ତିମ ଚରଣରେ ଆଉ ୧୨୨ଟି ଆସନରେ ମତଦାନ ସରିବା ପରେ ୧୪ ତାରିଖ ଦିନ ଗଣତି ପରେ ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇବ । ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ସମୟ ଯେତିକି ପାଖେଇ ଆସୁଛି, ବିହାରରେ ନିର୍ବାଚନ ପ୍ରଚାର ସେତିକି ତୀବ୍ର ହେବାରେ ଲାଗିଛି । ଦୁଇ ପ୍ରମୁଖ ଗଠବନ୍ଧନ- ଏନଡିଏ ଏବଂ ଇଣ୍ଡିଆ ବ୍ଲକର ଘଟକ ଦଳର ତୁଙ୍ଗ ନେତାମାନେ ପ୍ରଥମ ପର୍ଯ୍ୟାୟର ନିର୍ବାଚନ କ୍ଷେତ୍ରମାନଙ୍କରେ ଯେତିକି ଉତ୍କଣ୍ଠା ଓ ଉଦ୍ଦୀପନାର ସହିତ ନିର୍ବାଚନ ପ୍ରଚାର କରି ନିଜ ନିଜ ଦଳ ଓ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟଭିକ୍ଷା କରିଥିଲେ, ଦ୍ୱିତୀୟ ଚରଣ ପାଇଁ ତାହା ଆହୁରି ଅନେକ ଗୁଣ ବଢ଼ିଯାଇଥିବା ପରି ପ୍ରତୀୟମାନ ହୁଏ ।

ଉଲ୍ଲେଖ ନିଷ୍ପ୍ରୟୋଜନ ଯେ, ଚଳିତ ବିହାର ବିଧାନସଭା ନିର୍ବାଚନ ଏକାଧିକ ରାଜନୈତିକ ଦଳଙ୍କ ପାଇଁ ମର୍ଯ୍ୟାଦାର ପ୍ରଶ୍ନ ହୋଇ ଉଭା ହୋଇଛି । ତେଣୁ ବିହାରରେ ପରବର୍ତ୍ତୀ ସରକାର ଗଢ଼ିବା ସକାଶେ ସଭିଏଁ ଆଶାବାଦୀ ଓ ତତ୍ପର । ବିହାରରେ ମୁଖ୍ୟତଃ ଜାତୀୟ ଗଣତାନ୍ତ୍ରିକ ସାମ୍ମୁଖ୍ୟ (ଏନଡିଏ) ଏବଂ ଇଣ୍ଡିମେଣ୍ଟ (ମହାଗଠବନ୍ଧନ) ପରସ୍ପରର ସମ୍ମୁଖୀନ ହୋଇଛନ୍ତି । ବିଜେପି, ସଂଯୁକ୍ତ ଜନତା ଦଳ ଏବଂ ଲୋକଜନଶକ୍ତି ପାର୍ଟିଙ୍କ ଭଳି ଛାମୁଆ ଦଳମାନେ ଗୋଟିଏପଟେ ଏକଜୁଟ ହୋଇ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ଇଣ୍ଡିମେଣ୍ଟର ରାଷ୍ଟ୍ରୀୟ ଜନତା ଦଳ, କଂଗ୍ରେସ ଏବଂ ବାମଦଳମାନେ ପରସ୍ପର ସହ ହାତମିଳାଇ ନିର୍ବାଚନ ଲଢ଼ୁଛନ୍ତି । ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ୱରେ ବିଜେପି ବିହାରରେ ନିର୍ବାଚନ ଲଢୁଛି ବୋଲି ଘୋଷଣା କରି ମୈଦାନକୁ ଓହ୍ଲାଇଛି ଏବଂ ଇଣ୍ଡିମେଣ୍ଟର ଛାମୁଆ ମଙ୍ଗ ଆରଜେଡି ହାତରେ ରହିଛି । ନୀତିଶ କୁମାର ଅବା ଆରଜେଡିର ତେଜସ୍ୱୀ ଯାଦବଙ୍କ ମଧ୍ୟରୁ କାହାର ଲୋକପ୍ରିୟତା ଏବଂ ଭୋଟରଙ୍କୁ ଆକର୍ଷିତ କରିବାର କ୍ଷମତା ଅଧିକ ତାହା ଏହି ନିର୍ବାଚନରୁ ପ୍ରମାଣିତ ହେବ । ଯଦି ନୀତିଶ କୁମାରଙ୍କ ଦଳ ବିଜୟୀ ହୋଇ ସରକାର ଗଢ଼େ, ତେବେ ନୀତିଶଙ୍କ ସୁଶାସନ ଏବଂ ବିଜେଡି ପ୍ରତି ବିହାରବାସୀଙ୍କ ଅତୁଟ ବିଶ୍ୱାସ ରହିଛି ବୋଲି ପ୍ରମାଣିତ ହେବ । ନୀତିଶ ଅଦ୍ୟାବଧି ରାଜ୍ୟର ଅତି ପଛୁଆବର୍ଗଙ୍କ ନିକଟରେ ପ୍ରିୟ ଏବଂ ତାଙ୍କ ଶାସନରେ ରାଜ୍ୟରେ ବିକାଶ ଓ ପରିବର୍ତ୍ତନ ଆସିଛି ବୋଲି ଯାହା ସେ ଦାବି କରନ୍ତି ତାହା ମଧ୍ୟ ସତ ବୋଲି ବୁଝାପଡ଼ିବ । ଅପରପକ୍ଷେ ଆରଜେଡିର ଯୁବନେତା ତେଜସ୍ୱୀ ଯାଦବ ରାଜ୍ୟର ଦୁଇ ଦୁଇଥର ଉପମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି । ତାଙ୍କ ଲୋକପ୍ରିୟତା ରାଜ୍ୟର ଯୁବବର୍ଗଙ୍କ ମଧ୍ୟରେ ସର୍ବାଧିକ ବୋଲି ସେ ଦାବି କରନ୍ତି । ତେଣୁ ତାଙ୍କୁ ଇଣ୍ଡିମେଣ୍ଟ ଅନେକ ଟଣାଓଟରା ପରେ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଉପସ୍ଥାପନ କରି ନିର୍ବାଚନ ଲଢ଼ୁଛି । ଯଦି ଇଣ୍ଡିମେଣ୍ଟ ଏଥର ଜିତାପଟ ମାରେ, ତେବେ ତେଜସ୍ୱୀଙ୍କ ଲୋକପ୍ରିୟତା କେବଳ ପ୍ରମାଣିତ ହେବନାହିଁ, ରାଜ୍ୟବାସୀ ପରିବର୍ତ୍ତନ ଚାହୁଁଥିଲେ ବୋଲି ମଧ୍ୟ ଜଣାଯିବ । ଉଭୟ ମେଣ୍ଟ ଏଥିପାଇଁ ବିକାଶର ଲମ୍ବା ତାଲିକା ପ୍ରତିଶ୍ରୁତି ଫର୍ଦ୍ଦରେ ସୂଚାଇଛନ୍ତି । ବିଶେଷକରି ଶିକ୍ଷିତ ଓ କର୍ମସଂସ୍ଥାନ ପାଇଁ ଆଶାୟୀ ବିହାରର ଯୁବଗୋଷ୍ଠୀଙ୍କ ପାଇଁ ଏନଡିଏ ୧୦ ନିୟୁତ ଚାକିରିର ପ୍ରତିଶ୍ରୁତି ଦେଇଥିବାବେଳେ, ଆରଜେଡି ପ୍ରତି ପରିବାରକୁ ଗୋଟିଏ ସରକାରୀ ଚାକିରି ପ୍ରଦାନର ସଂକଳ୍ପ ଘୋଷଣା କରିଛି । ବିହାରର ପ୍ରାୟ ସାଢ଼େ ସାତକୋଟି ଜନତାଙ୍କ ରାୟ କ’ଣ ହେବ ତାହା ଉପରେ ସମସ୍ତଙ୍କ ଦୃଷ୍ଟି । ଏଭଳି ପୃଷ୍ଠଭୂମିରେ ଆଉ ଗୋଟିଏ ମୁଖ୍ୟ କାରଣ ମଧ୍ୟ ବିଚାର୍ଯ୍ୟ ।

ବିହାର ରାଜନୀତି ସଦାବେଳେ ଜାତିଭିତ୍ତିକ ଏବଂ ତାହା ଦଶନ୍ଧି ଦଶନ୍ଧି ଧରି ଊଣାଅଧିକେ ସବୁ ନିର୍ବାଚନରୁ ପ୍ରମାଣିତ ହୋଇଆସିଛି । ଚଳିତ ଥର ମଧ୍ୟ ପ୍ରତ୍ୟେକ ଦଳ କେବଳ ପ୍ରାର୍ଥୀ ଚୟନରେ ପ୍ରଚଳିତ ଧାରାକୁ କାଏମ ରଖିନାହାଁନ୍ତି, ସେହି ଭୋଟବ୍ୟାଙ୍କ ଉପରେ ମଧ୍ୟ ନିର୍ଭର କରୁଛନ୍ତି । ଯାଦବଙ୍କ ଠାରୁ ଆରମ୍ଭକରି ଭୂମିହାର ମୁସଲମାନ ଭୋଟ ଠାରୁ ନେଇ ଉଚ୍ଚବର୍ଗର ଭୋଟର, ମହାଦଳିତ ଓ ପଛୁଆବର୍ଗଙ୍କ ଠାରୁ ନେଇ କୁର୍ମୀ, ମାଁଝୀ, ବଣିଆ ଏବଂ ବ୍ରାହ୍ମଣ ଭୋଟର ପକେଟ ଉପରେ ସବୁ ପ୍ରାର୍ଥୀଙ୍କ ନଜର । ପୁନଶ୍ଚ, ପ୍ରତିଦ୍ୱନ୍ଦ୍ୱୀ ଦଳମାନେ ଏହାରି ଆଧାରରେ ପ୍ରାର୍ଥୀ ଚୟନ କରିବା ଫଳରେ ଏକା ବର୍ଗର ପ୍ରାର୍ଥୀଙ୍କ ମଧ୍ୟରେ ରାଜ୍ୟର ପ୍ରାୟ ପଚାଶରୁ ଅଧିକ ଆସନରେ ପ୍ରତିଦ୍ୱନ୍ଦ୍ୱିତା ହେଉଛି । ଏଥିରେ ରାଜ୍ୟର ସଚେତନ ଭୋଟର କାହାକୁ କ୍ଷମତାକୁ ଆଣୁଛନ୍ତି, ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ ।