ଜଗତସିଂହପୁର, ୨୨/୦୬: ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ରୋହିଆ ପଞ୍ଚାୟତର ଚକୁଳି ଗ୍ରାମ ଇଟା ଫ୍ୟାକ୍ଟ୍ରି ନିକଟରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ଜଣେ ବିବାହିତ ମହିଳାଙ୍କ ସନ୍ଦେହ ଜନକ ଭାବରେ ବେକରେ ପିନ୍ଧା ଲୁଗା ବାନ୍ଧି ଏକ ଗଛକୁ ଲାଗି ଛିଡା ହେବା ଭଳି ମୁତ୍ୟୁ ବରଣ କରିଛନ୍ତି ।
ସୂଚନା ମୁତାବକ, ନାଉଗାଁ ଥାନା ଅନ୍ତର୍ଗତ ଛତିଆନା ଗ୍ରାମର ଜଟାଧାରୀ ସାହୁଙ୍କ ଝିଅ ବବିତା ସାହୁ ୨୦୨୦ ମସିହାରେ କଟକ ଜିଲ୍ଲା ନିମାପଡାର ଚାଉଳିଆବସ୍ତ ଗାଁର ନବ ସାହୁଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ବବିତାଙ୍କର ୪ ବର୍ଷର ପୁଅ ରହିଛି । ବିବାହ ପରେ ଉଭୟ ପରିବାର ଠିକ ଠାକ ଚାଲିଥିଲା । ଗତ ଦୁଇ ବର୍ଷ ହେବ ସ୍ୱାମୀ ନବ ତାର ପକୃତ ରୂପ ଆରମ୍ଭ କଲା । ଅଧିକ ଯୌତୁକ ତୋ ଘରୁ ଆଣିବା ପାଇଁ କହି ପତ୍ନୀଙ୍କୁ ମାଡ ମାରିଥିଲା । ମଦ ପିଇ ପ୍ରତି ଦିନ ରାତିରେ ମାରପିଟ କରେ ବୋଲି ବବିତା ଘରକୁ ଜଣାନ୍ତି ।
ତେବେ ୩ ମାସ ତଳେ ବବିତାର ବାପା ଜଟାଧାରୀ ମୁତ୍ୟୁ ବରଣ କରିଥିଲେ । ସେଥିପାଇଁ ଦୁଇମାସ ହେବ ବବିତା ବାପଘରେ ରହିଥିଲେ । ଦେଢ଼ ମାସ ହେବ ଶାଶୂଘରକୁ ଯାଇଥିଲେ ବବିତା । ବାରମ୍ବାର ବବିତା ଉପରେ ନିର୍ଯାତନା ହେଉଥିବାରୁ ଦୁଇଦିନ ହେବ ବବିତା ଘରକୁ ଫୋନ କରିନଥିଲେ । ଫୋନ୍ ନକରିବାରୁ ଦାଦା ରବୀନ୍ଦ୍ର ସାହୁ ସ୍ୱାମୀ ନବ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ । ଶେଷରେ ଦାଦା ରବୀନ୍ଦ୍ରକୁ ବବିତାର ଶାଶୁ ଆଶା ସାହୁ ଫୋନ ମାଧ୍ୟମରେ ଜଣାଇ ଥିଲେ ଯେ, ବବିତା ଶୁକ୍ରବାର ରାତିରୁ ଘରକୁ ଆସିନି । ତୁମ ଘର ଆଡକୁ ଯାଇଛି କି ? ଏଥିରେ ଦାଦା ରାଗିଯାଇ କହିଲେ, କାଲି ରାତିରୁ ଗଲାଣି ମୋତେ ଏବେ ଜଣାଉଛ । ଦାଦା ରବୀନ୍ଦ୍ର ଏନେଇ ନିମାପଡା ଥାନାରେ ଏକ ଲିଖତ ଅଭିଯୋଗ କରିଥିଲେ । ଶେଷରେ ରବିବାର ସକାଳୁ ସକାଳୁ ବବିତାଙ୍କ ମୃତଦେହ ନାଉଗାଁ ଥାନା ରୋହିଆ ପଞ୍ଚାୟତ ଚକୁଳି ଇଟା ଫ୍ୟାକ୍ଟ୍ରି ନିକଟରେ ଏକ ଗଛରେ ବେକରେ ଲୁଗା ଗୁଡ଼ାଇ ଝୁଲିବାର ସ୍ଥାନୀୟଲୋକେ ଦେଖିଥିଲେ । ଖବର ପାଇବା ପରେ ଘଟଣାସ୍ଥଳରେ ନାଉଗାଁ ପୁଲିସ ପହଞ୍ଚି ତଦନ୍ତ ଚଳାଇଛି ।