ଭୁବନେଶ୍ୱର,୧୧/୦୯: ଯାତ୍ରୀବାହୀ ବସ ହେଉ ଅବା ମାଲବାହୀ ଟ୍ରକ । ଏମିତି କି ଚାରିଚକିଆ ଯାନ ଓ ବାଇକ । କମ୍ପାନୀ ଆଗୁଆ ଫାଷ୍ଟଏଡ୍ ବକ୍ସ ଦେଉଛି । ଏଥିସହ ସମସ୍ତ ସରକାରୀ, ବେସରକାରୀ ଅନୁଷ୍ଠାନ, ସ୍କୁଲ କଲେଜ ରହିବ ଫାଷ୍ଟଏଡ୍ ବକ୍ସ । ହଠାତ୍ କିଛି ଅଘଟଣ ଘଟିଲେ ସଙ୍ଗେସଙ୍ଗେ ପ୍ରାଥମିକ ଚିକିତ୍ସା ମିଳିବ । ହେଲେ ଏବେ ଖୋଜିଲେ ବି ଫାଷ୍ଟଏଡ୍ ବକ୍ସ ମିଳୁନି । ବସ୍, ଟ୍ରକରେ ଥିବା ବକ୍ସ ମଧ୍ୟରେ ଗୁଡ଼ାଖୁ, ଦାନ୍ତକାଠି ନଚେତ୍ ଚାବି, ରେଞ୍ଚି ରହୁଛି । ସ୍କୁଲ, କଲେଜ କଥା ନକହିବା ଭଲ । ବକ୍ସ ମିଳିବା କଷ୍ଟ । ତେଣୁ ପ୍ରାଥମିକ ଚିକିତ୍ସା କହିଲେ, ‘ଗାଡି ଡାକ, ଡାକ୍ତରଖାନା ଯାଅ’ । ଆଜି ବିଶ୍ୱ ଫାଷ୍ଟ ଏଡ୍ ଦିବସ । ତେଣୁ ଫାଷ୍ଟଏଡ୍ ବକ୍ସ ସମ୍ପର୍କରେ ସଚେତନତା ଜରୁରୀ ହୋଇପଡ଼ିଛି ।
ଫାଷ୍ଟ୍ଏଡ୍ ବକ୍ସରେ ସାଧାରଣତଃ ଏକ ବ୍ୟାଣ୍ଡେଜ୍, ଡେଟଲ, ପେନ୍ କିଲର, ଇନହେଲର, ଗଜ୍ କନା, ଥର୍ମୋମିଟର, ଗ୍ଲୋବ୍ସ, କଇଁଚି, ଆଣ୍ଟିସେପ୍ଟିକ୍ କ୍ରିମ୍, ଜ୍ୱର, ବାନ୍ତି ବଟିକା ଆଦି ରହିଥାଏ । ତେଣୁ ଏହି ବକ୍ସ ପାଖରେ ରହିବା ଜରୁରୀ । କିଛିବର୍ଷ ପୂର୍ବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଗାଇଡ୍ଲାଇନ୍ ଆସିଥିଲା । ସ୍କୁଲ,କଲେଜରେ ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା ରହିବ ବୋଲି କୁହାଯାଇଥିଲା । ପ୍ରଥମ କିଛି ଦିନ ଠିକ୍ଠାକ୍ ଚାଲିଲା, ହେଲେ ପରେ ନିୟମକୁ ଭୁଲିଗଲେ । ଏବେ ରାଜଧାନୀରେ ଥିବା ୯୦ ପ୍ରତିଶତ ସ୍କୁଲରେ ଫାଷ୍ଟଏଡ୍ ବକ୍ସ ନାହିଁ । ସରକାରୀ ଅଫିସ୍ରେ ବି ସମାନ ସ୍ଥିତି । କାହାରି ଦେହ ଅସୁସ୍ଥ କିମ୍ବା ଖଣ୍ଡିଆ ହେଲା ସଙ୍ଗେସଙ୍ଗେ ସହକର୍ମୀଙ୍କୁ ଧରି ପାଖ ମେଡିକାଲକୁ ଯିବାକୁ ପଡ଼ୁଛି ।
ଚଳିତବର୍ଷ ପ୍ରବଳ ଖରା ଯୋଗୁ ଭୁବନେଶ୍ୱରରେ ଗଡ଼ୁଥିବା ବସ୍ମାନଙ୍କରେ ଫାଷ୍ଟଏଡ୍ ବକ୍ସ ଓ ଓଆରଏସ୍ ଜଳ ରଖିବାକୁ ପରିବହନ ବିଭାଗ ନିର୍ଦ୍ଦେଶ ଦେଇଥିଲା । ସେ ମଧ୍ୟ ଅଧା କାର୍ଯ୍ୟକାରୀ ହେଲା। ଏବେ କୌଣସି ବସ୍ରେ ଫାଷ୍ଟଏଡ୍ ବକ୍ସ ନାହିଁ । କିଛି ବସ୍ରେ ବକ୍ସ ଅଛି, ସେଥିରେ ମେଡିକାଲ ଉପକରଣ ନଥିବା ଅଭିଯୋଗ ହେଉଛି । ବାଇକ ଓ ସ୍କୁଟର ଡିକିରେ ଫାଷ୍ଟଏଡ୍ ଉପକରଣ ବଦଳରେ ଗଞ୍ଜେଇ, ସିଗାରେଟ୍ ଓ ଗୁଟ୍ଖା ଗଡ଼ୁଛି । ବଡ଼କଥା, ଏଦିଗରେ ସଚେତନ ନାହିଁ । କେହି ଏସବୁକୁ ଯାଞ୍ଚ ବି କରୁନାହାନ୍ତି । ଯାଞ୍ଚ ହେଉନଥିବାରୁ ଫାଷ୍ଟଏଡ୍ ବକ୍ସ ଏବେ ଅଲୋଡ଼ା ହୋଇଗଲାଣି । ସରକାର ଏଦିଗରେ କଡ଼ା ପଦକ୍ଷେପ ନେବା ଜରୁରୀ ବୋଲି ସଚେତନ ମହଲରେ ଦାବି ହେଉଛି ।
ବିଶିଷ୍ଟ ଚିକିତ୍ସକ(ପଦ୍ମଶ୍ରୀ) ଡା. ଅଶୋକ ମହାପାତ୍ର କହିଛନ୍ତି, ସବୁ ଅନୁଷ୍ଠାନରେ ଫାଷ୍ଟଏଡ୍ ରୁମ୍ ରହିବା କଥା । ଡାକ୍ତରଖାନା ଯିବା ପୂର୍ବରୁ ପ୍ରଥମେ ଆଗୁଆ ଚିକିତ୍ସା ହେବେ । ହେଲେ କେହି ଏଥିପ୍ରତି ସଚେତନ ନୁହଁନ୍ତି । ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀ ସୋନାମିକା ରାୟ କହିଛନ୍ତି, ଆମେ ପ୍ରାୟ ସମୟରେ ବିଦ୍ୟାଳୟ ବୁଲୁଛୁ । ଫାଷ୍ଟଏଡ୍ ବକ୍ସ ରଖିବା ପାଇଁ ପ୍ରଧାନଶିକ୍ଷକଙ୍କୁ ପରାମର୍ଶ ଦେଉଛୁ । ଶିକ୍ଷକମାନେ ମଧ୍ୟ ଚିକିତ୍ସା କେମିତି କରିବେ ସେଥିପାଇଁ ତାଲିମ୍ ନେଉଛନ୍ତି।