ସମ୍ଭଲ: ଉତ୍ତରପ୍ରଦେଶରେ ବୁଲଡୋଜର ଆକ୍ସନ। ସମ୍ଭଲ ଜିଲ୍ଲାରେ ଥିବା ମସଜିଦ, ସରକାରୀ ଜମିରେ ତିଆରି କରିଥିବା ବିବାହ ମଣ୍ଡପକୁ ଭାଙ୍ଗିଛି ୟୁପି ପ୍ରଶାସନ। ସେହିଭଳି ପରିଚାଳନା କମିଟିର ଅନୁରୋଧ ଅନୁଯାୟୀ ଅନ୍ୟ ଏକ ସରକାରୀ ସ୍ଥାନରେ ନିର୍ମାଣ କରାଯାଇଥିବା ମସଜିଦ ଉପରେ ମଧ୍ୟ ବହୁ ଜଲଦି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ମିଳିଛି।  

ଜିଲ୍ଲା ପ୍ରଶାସନ ମସଜିଦର ପରିଚାଳନା କମିଟିକୁ ଆନୁଷ୍ଠାନିକ ଭାବରେ ସ୍ଥଗିତାଦେଶ ପାଇଁ ଅନୁରୋଧ କରିବା ପରେ ମସଜିଦକୁ ହଟାଇବା ପାଇଁ ଚାରି ଦିନ ସମୟ ଦେଇଥିଲା। ଅଧିକାରୀମାନେ ନିଶ୍ଚିତ କରିଛନ୍ତି ଯେ କମିଟି ନିର୍ଦ୍ଧାରିତ ସମୟ ମଧ୍ୟରେ ମସଜିଦକୁ ଭାଙ୍ଗିବାକୁ ନିଷ୍ପତ୍ତି ନେଇଛି। ଆସମୋଲି ଅଞ୍ଚଳରେ ବୁଲଡୋଜର ଅଭିଯାନ ପୂର୍ବରୁ, ପୋଲିସ ଦ୍ୱାରା ଏକ ଫ୍ଲାଗ ମାର୍ଚ୍ଚ କରାଯାଇଥିଲା।

ଆପଣଙ୍କୁ ଜଣାଇରଖୁ ଯେ, ସମ୍ଭଲରେ ଗତ ୨୦୨୪ ମସିହାରେ ଏକ ବଡ ଧରଣର ସାମ୍ପ୍ରଦାୟିକ ହିଂସା ସଂଗଠିତ ହୋଇଥିଲା। ଯେଉଁଠାରେ ଏକ ମାମଲାର ଶୁଣାଣି କରି ଉତ୍ତର ପ୍ରଦେଶର ନିମ୍ନ ଅଦାଲତ ଜାମା ମସଜିଡ ଉପରେ ସର୍ଭେ କରିବାକୁ ଆଦେଶ ଦେଇଥିଲେ। ତେବେ ସ୍ଥାନିୟ ଲୋକମାନେ ସର୍ଭେ ପାଇଁ ଯାଇଥିବା ସରକାରୀ ଅଧିକାରୀଙ୍କୁ ସେମାନଙ୍କ କାମରେ ବାଧା ଦେବା ସହ ତାଙ୍କ ଉପରେ ଆକ୍ରମଣ କରିଥିଲେ। ଯାହାକୁ ନେଇ ଏହି ସାମ୍ପ୍ରଦାୟିକ ଦଙ୍ଗା ସଂଗଠିତ ହୋଇଥିଲା।

ଏହି ହିଂସା ପଛର କାରଣ ଜାଣିବାକୁ ଏକ ନ୍ୟାୟିକ କମିଶନର ଗଠନ କରାଯାଇଥିଲା। ଯାଞ୍ଚ କରିବା ପରେ କମିଶନ ନିଜ ରିପୋର୍ଟ ପ୍ରସ୍ତୁତ କରିଥିଲେ। ଯେଉଁଥିରେ ଉକ୍ତ ଅଞ୍ଚଳରେ ମୁସଲିମ ଜନସଂଖ୍ୟାରେ ବହୁଳତାକୁ ଏହି ହିଂସା ନିମନ୍ତେ ଦାୟୀ କରାଯାଇଥିଲା। କାରଣ ବିଗତ କିଛି ଦଶନ୍ଧି ମଧ୍ୟରେ ସମ୍ଭଲ ଅଞ୍ଚଳରେ ପ୍ରାୟ 85 ପ୍ରତିଶତ ମୁସଲିମ ଜନସଂଖ୍ୟା ବଢିଥିବା ନେଇ ଏହି ରିପୋର୍ଟରେ ଉଲ୍ଲେଖ ରହିଥିଲା।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଦାନ କରାଯାଇଥିବା ୪୫୦ ପୃଷ୍ଠାର କମିଶନ ରିପୋର୍ଟରେ ସ୍ୱାଧୀନତା ପରଠାରୁ ସମ୍ଭଲରେ ଏକ ଗୁରୁତ୍ୱପୂର୍ଣ୍ଣ ଜନସଂଖ୍ୟାଗତ ପରିବର୍ତ୍ତନ ଉପରେ ଆଲୋକପାତ କରାଯାଇଥିଲା। ସୂଚନା ମୁତାବକ, ୧୯୪୭ ମସିହାରେ ସମ୍ଭଲରେ ହିନ୍ଦୁ ଜନସଂଖ୍ୟା ପ୍ରାୟ ୪୫ ପ୍ରତିଶତ ଥିବା ବେଳେ ଆଜି ପ୍ରାୟ ଏହି ସଂଖ୍ୟା ୧୫ ରୁ ୨୦ ପ୍ରତିଶତକୁ ହ୍ରାସ ପାଇଥିବା ନେଇ ଉଲ୍ଲେଖ କରାଯାଇଥିଲା

ଗତ ମାସରେ, ସମ୍ଭଲର ମୁସଲିମ ଧର୍ମଗୁରୁମାନେ ୨୦୨୪ ସାମ୍ପ୍ରଦାୟିକ ହିଂସା ସମ୍ପର୍କିତ ଏହି ନ୍ୟାୟିକ କମିଶନଙ୍କ ରିପୋର୍ଟକୁ ପ୍ରତ୍ୟାଖ୍ୟାନ କରିଥିଲେ ଏହା ବଦଳରେ ଜିଲ୍ଲାରେ ଥିବା ପ୍ୟାନେଲର ଜନସଂଖ୍ୟାଗତ ଏବଂ ସୁରକ୍ଷା ମୂଲ୍ୟାଙ୍କନ ଭ୍ରମାତ୍ମକ ଥିଲା ବୋଲି ସେମାନେ ଅଭିଯୋଗ ଆଣିଥିଲେ।

ଏହି ରିପୋର୍ଟ ସମସ୍ତଙ୍କ ସାମ୍ନାକୁ ଆସିବା ପରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏନେଇ ଏକ ଉଚ୍ଚସ୍ତରୀୟ ବୈଠକ ଆୟୋଜିତ କରିଥିଲେ। ଯେଉଁଠାରେ ଅତିକ୍ରମଣ ଗୁଡିକୁ ହଟାଇବା ପାଇଁ ଯୋଜନା ତିଆରି କରାଯାଇଥିଲା। ତେବେ ରାଜ୍ୟର ଗୃହ ବିଭାଗ ଏହି ରିପୋର୍ଟକୁ ନେଇ ତଦନ୍ତ ଜାରି ରଖିଛି। ସୁରକ୍ଷା ଓ ସାସ୍କୃତିକ ପୁନଃସ୍ଥାପନାକୁ ନଜରରେ ରଖାଯାଇ ଏହି ରିପୋର୍ଟକୁ କ୍ୟବିନେଟ ଓ ବିଧାନସଭାରେ ପ୍ରସ୍ତୁତ କରାଯିବ ବୋଲି ସେ ସୂଚନା ପ୍ରକାଶ କରିଛନ୍ତି।