ନୂଆଦିଲ୍ଲୀ : ଭଗବାନ ରାମ ଭକ୍ତଙ୍କ ପାଇଁ ପାକିସ୍ତାନରୁ ଏକ ବଡ଼ ଖୁସି ଖବର ଆସିଛି। ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଥିବା ଲାହୋର ଦୁର୍ଗରେ ଥିବା ଐତିହାସିକ ଲୌହ ମନ୍ଦିରର ପୁନରୁଦ୍ଧାର କାର୍ଯ୍ୟ ସମାପ୍ତ ହୋଇ ସାରିଛି। ସବୁଠାରୁ ଗୁରୁତ୍ତ୍ୱପୂର୍ଣ କଥା ଏହା ଯେ, ଏବେ ଏହି ମନ୍ଦିର ସାଧାରଣ ଜନତାଙ୍କ ପାଇଁ ଖୋଲି ଦିଆ ଯାଇଛି। କହି ରଖୁଛୁ କି , ଏହି ମନ୍ଦିର ଭଗବାନ ରାମଙ୍କ ପୁତ୍ର ଲବଙ୍କୁ ସମର୍ପିତ। କିମ୍ବଦନ୍ତୀ ଅନୁସାରେ , ଲବଙ୍କ ନାମରେ ହିଁ ଏହି ସହରର ନାମ ଲାହୋର ହୋଇଛି।
ୱାଲ୍ଡ ସିଟି ଲାହୋର ଅଥୋରିଟି (WCLA) ମଙ୍ଗଳବାର ସୂଚନା ଦେଇଛନ୍ତି ଯେ, ସେ ଲୌହ ମନ୍ଦିର ସହ ଶିଖ ଯୁଗର ହମ୍ମାମ ଏବଂ ମହାରାଜା ରଣଜିତ ସିଂହଙ୍କ ଅଠଦାରା ପାଭିଲିୟନର ମଧ୍ୟ ସଂରକ୍ଷଣ ଏବଂ ପୁନରୁଦ୍ଧାର କରିଛି। WCLAର ମୁଖପାତ୍ର ତାନିଆ କୁରେଶୀ କହିଛନ୍ତି- ଏହି ପୁନରୁଦ୍ଧାର ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ଲାହୋର ଦୁର୍ଗର ସମୃଦ୍ଧ ଆନ୍ତଃସାଂସ୍କୃତିକ ଐତିହ୍ୟର ପାଳନ କରିବା। ଏହି ଐତିହ୍ୟ ଏଠାର ଶିଖ ଓ ହିନ୍ଦୁ ମନ୍ଦିର ମୋଗଲ ମସଜିଦ୍ ତଥା ବ୍ରିଟିଶ ସମୟର ଢାଞ୍ଚା ଗୁଡ଼ିକରେ ସ୍ପଷ୍ଟ ରୂପେ ନଜର ଆସିଥାଏ।
ସେ ଆହୁରି କହିଛନ୍ତି ଯେ, ସଂରକ୍ଷଣ କାର୍ଯ୍ୟରେ ଆଧୁନିକ ଏବଂ ବ୍ୟାପକ କୌଶଳର ବ୍ୟବହାର କରାଯାଇଛି। କହି ରଖୁଛୁ କି ୨୦୨୫ରେ ଜଣେ ଶିଖ୍ ଗବେଷକ ଲାହୋର ଦୁର୍ଗରେ ଶିଖ ଯୁଗ (୧୭୯୯-୧୮୪୯) ବେଳେ ଥିବା ପାଖାପାଖି ୧୦୦ଟି ସ୍ମାରକୀ ଗୁଡ଼ିକର ଚିହ୍ନଟ କରିଥିଲେ ଏବଂ ସେମାନଙ୍କର ଐତିହାସିକ ଗୁରୁତ୍ୱକୁ ବିସ୍ତୃତ ଭାବେ ବର୍ଣ୍ଣନା କରି ଥିଲେ। ଏଥିରୁ ପ୍ରାୟ ୩୦ଟି ସ୍ମାରକୀ ଆଜି ଆଉ ନାହିଁ। ଶିଖ୍ ସାମ୍ରାଜ୍ୟ ସମୟରେ ଲାହୋର ଦୁର୍ଗ ଏବଂ ଏହାର ଐତିହାସିକ ମହତ୍ତ୍ୱକୁ ଭଲ ଭାବ ବ୍ୟାଖ୍ୟା କରିବା ପାଇଁ, WCLA ଆମେରିକା ସ୍ଥିତ ଶିଖ୍ ଗବେଷକ ଡକ୍ଟର ତରୁଣଜିତ୍ ସିଂହ ବୁଟାଲିଆଙ୍କୁ ଏକ ଟୁର୍ ଗାଇଡ୍ ବୁକ୍ ଲେଖିବାକୁ ନିଯୁକ୍ତ କରିଥିଲା। ଏହି ବହିଟିର ଶୀର୍ଷକ- ଶିଖ୍ ସାମ୍ରାଜ୍ୟ ସମୟରେ ଲାହୋର ଦୁର୍ଗ ।