ଫର୍ରୁଖାବାଦ : ଉତ୍ତର ପ୍ରଦେଶରେ ବିଜେପିର ଶକ୍ତିଶାଳୀ ନେତା ଥିବା ବ୍ରହ୍ମଦତ୍ତ ଦ୍ୱିବେଦୀଙ୍କ ହତ୍ୟାକାଣ୍ଡରେ, ବାରଣାସୀ ଜିଲ୍ଲାରେ ଆଜୀବନ ସଜା କାଟୁ ଥିବା ପୂର୍ବତନ ବିଧାୟକ ବିଜୟ ସିଂହଙ୍କ ଫର୍ରୁଖାବାଦ ସ୍ଥିତ ଘରେ, ମଙ୍ଗଳବାର ସନ୍ଧ୍ୟା ୭ଟା ୩୦ରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ବେସମେଣ୍ଟର ଛାତ ଉଡ଼ି ଯାଇଥିଲା। ଚାରି ମହଲା ଭବନର ସବୁ ଝରକା ଭାଙ୍ଗି ଯାଇଥିଲା। ବିଜୟ ସିଂହଙ୍କ ଦୁଇ ପୁଅଙ୍କ ସମେତ ପାଞ୍ଚ ଜଣ ଆହତ ହୋଇଛନ୍ତି। ଏଥିରୁ ଜଣଙ୍କୁ ହାୟର ସେଣ୍ଟର ପାଇଁ ରେଫର କରାଯାଇଛି। ଖୁବ୍ ଜୋରରେ ବିସ୍ଫୋରଣରେ ଆଖପାଖ ଅଞ୍ଚଳରେ ଧାଁ ଦୌଡ଼ ଆରମ୍ଭ ହୋଇ ଯାଇଥିଲା।

ନାଲା ମଛରଟ୍ଟା ସ୍ଥିତ ବିଜୟ ସିଂହଙ୍କ ଘରେ ଡ୍ରଇଂ ରୁମରେ ମଙ୍ଗଳବାର ପାରିବାରିକ ସଦସ୍ୟ ଓ ସମର୍ଥକମାନେ ଉପସ୍ଥିତ ଥିଲେ। ସେତେବେଳେ ହଠାତ୍ ଏକ ଜୋରରେ ଧମାକା ହେଲା। ବିସ୍ଫୋରଣରେ ପୂର୍ବତନ ବିଧାୟକଙ୍କ ପୁଅ ଅବିନାଶ ଓରଫ ଭିକ୍କି , ଅଭିଷେକ ଓରଫ ସିକ୍କି, ସମର୍ଥକ ନୁରପୁରର ପୂର୍ବତନ ପ୍ରଧାନ ଭଇୟାଲାଲ ଚୌହାନ, ମିତ୍ତୁକୁଞ୍ଚା ନିବାସୀ ରାସୁ ଓ ନାଲା ମଛରଟ୍ଟା ନିବାସୀ ଇଶୁ ଆହତ ହୋଇଛନ୍ତି। ଆହତଙ୍କୁ ତୁରନ୍ତ ହସ୍ପିଟାଲ ପଠାଇ ଦିଆଯାଇଛି।

ଏଥିରେ ଗୁରୁତର ଭଇୟାଲାଲଙ୍କୁ ହାୟର ସେଣ୍ଟର ପାଇଁ ରେଫର କରି ଯାଇଛି। ବିସ୍ଫୋରଣର ଶବ୍ଦ ଅନେକ ଦୂର ଯାଏ ଶୁଣାଯାଇଛି। ଏଥିରେ ଆଖପାଖର ଲୋକେ ଭୟଭୀତ ହୋଇ ଘରୁ ବାହାରି ଆସିଥିଲେ। ବିସ୍ଫୋରଣରେ ଘରର ବେସମେଣ୍ଟର ଛାତ ଉଡ଼ି ଯାଇଛି ଏବଂ ବୈଠକର ଫାଇସ ସବୁ ସିଲିଂ ତଳେ ରହି ଯାଇଛି। ଝରକା ସବୁ କ୍ଷତିଗ୍ରସ୍ତ ହୋଇଛି। ବହୁତଳ କୋଠାର ଝରକାର କାଚ ସବୁ ଭାଙ୍ଗି ବିଛେଇ ହୋଇ ପଡ଼ିଥଥିଲା।