ନୂଆଦିଲ୍ଲୀ, ୧୫/୦୪ : ଜଣେ ବ୍ରେନ୍ ଡେଡ୍ ବ୍ୟକ୍ତି ପଞ୍ଜିକୃତ ଅଙ୍ଗଦାତା ଥିଲେ । ଲାଇଫ୍ ସପୋର୍ଟ ସିଷ୍ଟମ ହଟାଇବା ପୂର୍ବରୁ ତାଙ୍କୁ ଅପରେସନ ଥିଏଟରକୁ ନିଆଗଲା । ସେଠାରେ ତାଙ୍କ ଶରୀରର ଭିନ୍ନ ଭିନ୍ନ ଅଙ୍ଗ ବାହାର କରିବାର ପ୍ରସ୍ତୁତି ଚାଲିଥିଲା, ଯାହା ଦ୍ୱାରା ଅନ୍ୟମାନଙ୍କୁ ନୂଆ ଜୀବନ ମିଳିପାରିବ। ଅଙ୍ଗଦାନ ଇଚ୍ଛା ତାଙ୍କର ଓ ତାଙ୍କ ପରିବାର ଲୋକଙ୍କର ଥିଲା । କିନ୍ତୁ ଏହି ପ୍ରକ୍ରିୟା ଚାଲିଥିବାବେଳେ ଅପରେସନ୍ ଟେବୁଲରେ ହଠାତ୍ ତାଙ୍କର ଚେତା ଫେରିଆସିଲା । ଡାକ୍ତର ତାଙ୍କ ଶରୀରରୁ ଅଙ୍ଗ ବାହାର କରିବାକୁ ପ୍ରସ୍ତୁତି ଚଳାଇଥିବା ବେଳେ ଏହି ଚମତ୍କାର ହେଲା । ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସୋସିଆଲ୍ ମିଡିଆରେ ଖବରଟି ଘୂରି ବୁଲୁଛି।
ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଘଟଣାଟି ୨୦୨୧ ମସିହାର । ଅତ୍ୟଧିକ ଡ୍ରଗ୍ସ ସେବନ ଯୋଗୁ କେଣ୍ଟକିର ଆନ୍ଥୋନି ଥୋମାସଙ୍କୁ ହୃଦ୍ଘାତ ପରେ ବ୍ରେନ୍ ଡେଡ୍ ଘୋଷଣା କରାଯାଇଥିଲା। ସେ ଅଙ୍ଗଦାତା ଭାବେ ପଞ୍ଜିକୃତ ହୋଇଥିଲେ। ଦୀର୍ଘ ଦୀନ ଯଦି ଚେତା ନଫେରିବାରୁ ପରିବାରର ସହମତି କ୍ରମେ ତାଙ୍କର ଅଙ୍ଗ ଦାନ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏହା ପରେ ଆମେରିକାର କେଣ୍ଟକି ରାଜ୍ୟର ରିଚ୍ମଣ୍ଡ ସ୍ଥିତ ବାପଟିଷ୍ଟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ଶରୀରର ଭିନ୍ନ ଭିନ୍ନ ଅଙ୍ଗ ବାହାର କରିବାର ପ୍ରସ୍ତୁତି ଚାଲିଥିଲା। ଏହି ସମୟରେ ଅପରେସନ୍ ଟେବୁଲରେ ହଠାତ୍ ତାଙ୍କର ଚେତା ଫେରିଆସିଲା ।
ଘଟଣା ସମୟରେ ଅପରେସନ୍ ଥିଏଟରରେ ଉପସ୍ଥିତ ଥିବା କେଣ୍ଟକି ଅର୍ଗାନ ଡୋନର ଆଫିଲିଏଟ୍ସ (କୋଡା) ର ପୂର୍ବତନ କର୍ମଚାରୀ କହିଛନ୍ତି, ଥୋମାସ ଅପରେସନ୍ ଟେବଲ ଉପରେ ଛଟପଟ ହେଉଥିଲେ । ମୁଁ ପାଖକୁ ଯାଇ ଦେଖିଲି ତାଙ୍କ ଆଖିରୁ ଲୁହ ବାହାରୁଛି । ତାଙ୍କ ସ୍ଥିତି ଅପରେସନ୍ ଥିଏଟରରେ ଉପସ୍ଥିତ ସମସ୍ତଙ୍କ ପାଇଁ ବିପଦର ଘଣ୍ଟି ଭଳି ଥିଲା। ଅଙ୍ଗ ପ୍ରତିରୋପଣ ପ୍ରକ୍ରିୟାକୁ ତୁରନ୍ତ ବନ୍ଦ କରାଗଲା । ଥୋମାସ ଏବେ ସୁସ୍ଥ ଅଛନ୍ତି । ନିକଟରେ ଏକ ସାକ୍ଷାତକାରରେ ନିଜ ଜୀବନରେ ଘଟିଥିବା ସେହି ଚମତ୍କାର ବିଷୟରେ ସେ ବର୍ଣ୍ଣନା କରିଛନ୍ତି । ଏ ସବୁ ତାଙ୍କ ପାଇଁ ସ୍ୱପ୍ନ ଭଳି ଥିଲା ବୋଲି କହିଛନ୍ତି।
ଏହି ଖବରଟିକୁ ପଢନ୍ତୁ- Good News : ଶିକ୍ଷା କ୍ଷେତ୍ରରେ ଅନନ୍ୟ ରେକର୍ଡ, ୫୫ ବର୍ଷ ବୟସରେ ୧୩୮ ଡିଗ୍ରୀ, ୧୧ ବିଶ୍ୱ ରେକର୍ଡର ଅଧିକାରୀ ଦଶରଥ