ନୂଆଦିଲ୍ଲୀ, ୧୫/୦୪ : ଅଧ୍ୟୟନର କୌଣସି ସମୟ-ସୀମା ନାହିଁ। ରାଜସ୍ଥାନ ଝୁନଝୁନ ଜିଲ୍ଲାର ଖିରୋଦ ଗାଁର ବାସିନ୍ଦା ଦଶରଥ ସିଂହ ଏହା ପ୍ରମାଣ କରିଛନ୍ତି । ୫୫ ବର୍ଷ ବୟସରେ ୧୩୮ଟି ଡିଗ୍ରୀ ହାସଲ କରିଥିବା ଦାବି କରିଛନ୍ତି । ଏହା ଜରିଆରେ ଶିକ୍ଷା କ୍ଷେତ୍ରରେ ସେ ଅନେକ ରେକର୍ଡ କରିଛନ୍ତି । ଏକ ଅନୁଶାସିତ ସୈନ୍ୟ କ୍ୟାରିଅର ସହିତ ସେ ଅଦ୍ୱିତୀୟ ଅଧ୍ୟୟନ ଯାତ୍ରାର ଉପଲବ୍ଧି ହାସଲ କରିଛନ୍ତି, ଯାହାକୁ ନେଇ ଏବେ ଦେଶରେ ଚର୍ଚ୍ଚା । 

ଦଶରଥ ସିଂହଙ୍କ କୃତିତ୍ୱକୁ ଅନେକ ସମ୍ମାନାସ୍ପଦ ରେକର୍ଡଧାରୀ ସଂଗଠନ ଦ୍ୱାରା ମାନ୍ୟତା ପ୍ରଦାନ କରାଯାଇଛି । ତନ୍ମଧ୍ୟରେ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ, ଗୋଲ୍ଡେନ୍‌ ବୁକ୍‌ ଅଫ ରେକର୍ଡସ, ଏସିଆ ବୁକ୍‌ ଅଫ ରେକର୍ଡସ ଓ ଅନ୍ତର୍ଜାତୀୟ ବୁକ୍‌ ଅଫ ରେକର୍ଡସ ଅନ୍ୟତମ । କୃଷକ ପରିବାରରେ ବଢ଼ିଥିବା ଦଶରଥ ୧୯୮୮ରେ ଭାରତୀୟ ଆର୍ମିରେ ଯୋଗ ଦେଇଥିଲେ । ପଞ୍ଜାବ, କାଶ୍ମୀର ସମେତ ବିଭିନ୍ନ କ୍ଷେତ୍ରରେ ଦୀର୍ଘ ୧୬ ବର୍ଷ ଧରି ସେ ଦେଶ ସେବା କଲେ । ସୈନ୍ୟ ଜୀବନର ଚାପପୂର୍ଣ୍ଣ ପ୍ରକୃତି ସତ୍ତେ୍ୱ ଶିକ୍ଷା ପ୍ରତି ସେ ଗଭୀର ରୂପେ ଦୃଢ଼ପ୍ରତୀଜ୍ଞ ଥିଲେ । ନିଜର ବାର୍ଷିକ ୨ ମାସର ଛୁଟିକୁ ସେ ପରୀକ୍ଷା ଓ ଅଧ୍ୟୟନରେ ଉପଯୋଗ କରୁଥିଲେ । ୨୦୦୪ରେ ଅବସର ପରେ ସେ ସମ୍ପୂର୍ଣ୍ଣ ରୂପେ ଅଧ୍ୟୟନରେ ନିଜକୁ ସମର୍ପିତ କଲେ । ଏହା ଜରିଆରେ ନିଜ ପାସନ୍‌କୁ ଏକ ଅବିଶ୍ୱସନୀୟ ଉପଲବ୍ଧିରେ ରୂପାନ୍ତରିତ କଲେ । 

ଦଶରଥଙ୍କ ଅନୁସାରେ, ତାଙ୍କ ଶିକ୍ଷାଗତ ଉପଲବ୍ଧିରେ ୩ ପିଏଚ୍‌ଡି, ୭ ଅଣସ୍ନାତକ ଡିଗ୍ରୀ, ୪୬ ସ୍ନାତକୋତ୍ତର ଡିଗ୍ରୀ, ୨୩ ଡିପ୍ଲୋମା, ୭ ସାମରିକ ଅଧ୍ୟୟନ ଯୋଗ୍ୟତା ଓ ୫୨ ପ୍ରମାଣପତ୍ର ରହିଛି । ତାଙ୍କର ଡିଗ୍ରୀ ବି.କମ୍‌, ଏଲ୍‌ଏଲ୍‌ବି, ଏଲ୍‌ଏଲ୍‌ଏମ୍‌, ବିଜେଏମ୍‌ସି ଓ ବି.ଏଡ୍‌ ଭଳି ଅନେକ କ୍ଷେତ୍ର ସହ ସଂଶ୍ଳିଷ୍ଟ । ସେ ଇଗ୍‌ନୁ, ଜୈନ ବିଶ୍ୱବିଦ୍ୟାଳୟ ସମେତ ଅନ୍ୟ ସମ୍ମାନାସ୍ପଦ ବିଶ୍ୱବିଦ୍ୟାଳୟରୁ ଶକ୍ଷାଗ୍ରହଣ କରିଛନ୍ତି । ଆର୍ଥିକ ଦୁଃସ୍ଥିତି ସହ ସଂଘର୍ଷରତ ପରିବାରରେ ଜନ୍ମିତ ଦଶରଥ ଅନେକ ଆହ୍ୱାନଭରା ପରିସ୍ଥିତିରେ ସରକାରୀ ସ୍କୁଲରୁ ୧୦ମ ପାସ୍‌ କରିଥିଲେ । ଆର୍ଥିକ ଓ ସାମାଜିକ ବାଧକ ସତ୍ତ୍ଵେ ସେ ଉଚ୍ଚ ଶିକ୍ଷା ପ୍ରାପ୍ତି ଲାଗି ପୂର୍ଣ୍ଣ ସମର୍ପିତ ଥିଲେ । ଶିକ୍ଷାଗତ ଉପଲବ୍ଧି ସମେତ ଦଶରଥ ଆର୍ମିର ଶକ୍ତି କମାଣ୍ଡରେ ଜଣେ ନ୍ୟାୟିକ ଉପଦେଷ୍ଟା ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ବର୍ତ୍ତମାନ ସେବାରେ ଥିବା ଓ ଅବସରପ୍ରାପ୍ତ ସୈନ୍ୟଙ୍କ ନ୍ୟାୟିକ ମାମଲା ସମାଧାନରେ ସାହାଯ୍ୟ କରୁଛନ୍ତି । ତାଙ୍କ ଯାତ୍ରା ଜୀବନବ୍ୟାପୀ ଶିକ୍ଷଣ, ଅନୁଶାସନ ଓ ସ୍ଥିରତାର ଏକ ଶକ୍ତିଶାଳୀ ପ୍ରମାଣ।

ଏହି ଖବରଟିକୁ ପଢନ୍ତୁ- Bihar New CM : ବିହାରରେ ‘ସମ୍ରାଟ’ ଯୁଗ ଆରମ୍ଭ, ୨୪ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସମ୍ରାଟ ଚୌଧୁରୀ