ମୁମ୍ୱାଇ,୨୫/୧୨: କୋଟି କୋଟି ଟଙ୍କା ଠକେଇ ମାମଲାରେ ଜେଲରେ ଥିବା ସୁକେଶ ଚନ୍ଦ୍ରଶେଖର ପୁଣି ଥରେ ବଲିଉଡ୍ ଅଭିନେତ୍ରୀ ଜ୍ୟାକ୍ଲିନ୍ ଫର୍ଣ୍ଣାଣ୍ଡିଜ୍ଙ୍କୁ ଚିଠି ଲେଖି ଚର୍ଚ୍ଚାରେ । କ୍ରିସ୍ମାସ ଅବସରରେ ସୁକେଶ ଜ୍ୟାକ୍ଲିନଙ୍କୁ ଶୁଭେଚ୍ଛା ଦେଇଛନ୍ତି ଏବଂ ଆମେରିକାର ବେଭର୍ଲି ହିଲ୍ସରେ ଏକ ଭବ୍ୟ ବଙ୍ଗଳା ଉପହାର ଦେଇଛନ୍ତି । ଏହାକୁ ସେ ‘ଲଭ୍ ନେଷ୍ଟ୍’ କହିଛନ୍ତି ।
ସୁକେଶ ଚିଠିରେ ଲେଖିଛନ୍ତି ‘ତୁମକୁ କ୍ରିସ୍ମାସ୍ର ହାର୍ଦ୍ଦିକ ଶୁଭେଚ୍ଛା ବେବି । ଏହା ସେହି ପର୍ବ ଯାହା ମୋତେ ସର୍ବଦା ତୁମ ସହ ବିତାଇଥିବା ସ୍ୱତନ୍ତ୍ର ମୁହୂର୍ତ୍ତ ଓ ସ୍ମରଣୀୟ ଅନୁଭବ ଏବଂ ତୁମ ପାଇଁ ମୋର ପାଗଳାମି ଭରା ପ୍ରେମକୁ ମନେପକାଇ ଦିଏ । ସତରେ ଏହା ସର୍ବଦା ସ୍ମରଣୀୟ । ମୁଁ ଦୁଃଖିତ ଯେ ଏହି ଖାସ୍ ଦିନରେ ତୁମକୁ ଉପହାର ଦେବା ସମୟରେ ତୁମ ସୁନ୍ଦର ହସକୁ ଦେଖିପାରୁନାହିଁ । ବେବି, ଏହି ମହାନ, ଗୌରବଶାଳୀ ଦିନରେ ମୁଁ ତୁମକୁ ‘ଦ ଲଭ୍ ନେଷ୍ଟ୍’ ଉପହାର ଦେଉଛି, ତୁମର, ଆମର ନୂଆ ଘର ବେଭର୍ଲି ହିଲ୍ସରେ ।’
ସୁକେଶ ଆହୁରି ଲେଖିଛନ୍ତି ‘ହଁ ମାଇଁ ଲଭ୍, ସେହି ଘର ଯାହାକୁ ମୁଁ ତୁମ ଓ ଆମ ପାଇଁ ଗଢ଼ିଥିଲି³ ଯାହା ଶେଷ ହେବ ନାହିଁ ବୋଲି ତୁମକୁ ଲାଗୁଥିଲା । ବେବି, ଆଜି ଗର୍ବର ସହ କହୁଛି ଯେ ମୁଁ ତୁମ ପାଇଁ ଘର କାମ ଶେଷ କରିଦେଇଛି ଏବଂ ଆଜି କ୍ରିସ୍ମାସ ଅବସରରେ ତାହା ତୁମକୁ ଦେଉଛି । ଆମେ ପୂର୍ବରୁ ଯୋଜନା କରିଥିବା ଘରଠୁ ଏହା ବଡ଼ ଓ ଭଲ । ଘର ଚାରିପାଖରେ ଆମର ୧୯ ହୋଲ୍ର ଗଲ୍ଫ କୋର୍ସ ଅଛି । ସୁକେଶ ମଜାଳିଆ ଅନ୍ଦାଜ୍ରେ ଏହାର ତୁଳନା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ପ୍ରସିଦ୍ଧ ‘ମାର୍-ଏ-ଲାଗୋ’ ରିସର୍ଟ ସହ କରିଛନ୍ତି । ଲେଖିଛନ୍ତି ‘ବେବି, ଏହି ବଙ୍ଗଳା ସମଗ୍ର ଆମେରିକାରେ ଏ ପ୍ରକାର ଏକମାତ୍ର ସ୍ଥାନ । ମୋର ବିଶ୍ୱାସ, ମଜାରେ ଯଦି କହିବି, ଆମ ଲଭ୍ ନେଷ୍ଟ୍ ଆମ ଭାଇ ଡୋନାଲ୍ଡ ଟ୍ରମ୍ପ୍ଙ୍କ ମାର୍-ଏ-ଲାଗୋକୁ ଈର୍ଷାନ୍ୱିତ କରାଇବ ।’
ସୁକେଶ ଏହା ପୂର୍ବରୁ ମଧ୍ୟ ହୋଲି, ଇଷ୍ଟର୍ ଓ ନିଜ ଜନ୍ମଦିନ ଭଳି ବିଭିନ୍ନ ଅବସରରେ ଜ୍ୟାକ୍ଲିନ୍ଙ୍କୁ ଚିଠି ଲେଖିଛନ୍ତି । ତେବେ ଜ୍ୟାକ୍ଲିନ୍ ଚିଠିକୁ ନେଇ ଆପତ୍ତି ଉଠାଇଥିଲେ । ସେ ଦିଲ୍ଲୀର ଏକ କୋର୍ଟରେ ଆବେଦନ ଦାଖଲ କରି ସୁକେଶଙ୍କ ବାରମ୍ବାର ଚିଠି ପଠାଇବା ଏବଂ ତାଙ୍କୁ ମାନସିକ ରୂପେ ବ୍ୟତିବ୍ୟସ୍ତ କରିବା ଉପରେ ରୋକ ଲଗାଇବାକୁ ଅନୁରୋଧ କରିଥିଲେ । ସୂଚନାଯୋଗ୍ୟ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସୁକେଶଙ୍କ ସହ ସଂଶ୍ଳିଷ୍ଟ ମନି ଲଣ୍ଡ୍ରିଂ ମାମଲାରେ ଜ୍ୟାକ୍ଲିନଙ୍କୁ ସହ-ଅଭିଯୁକ୍ତ ଦର୍ଶାଇଛି । ଇଡିର ଅଭିଯୋଗ ଅନୁସାରେ, ସୁକେଶ ଅପରାଧିକ ଗତିବିଧିରେ ସାମିଲ ଥିବା ଜାଣି ବି ଜ୍ୟାକ୍ଲିନ୍ ତାଙ୍କଠୁ ୭ କୋଟି ଟଙ୍କାର ମହଙ୍ଗା ଉପହାର ଯଥା- ଗହଣା, ପୋଷାକ, ଗାଡ଼ି ଓ ଅନ୍ୟ ସାମଗ୍ରୀ ନେଇଥିଲେ । ତେବେ ଜ୍ୟାକ୍ଲିନ୍ ଏହି ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି, ସୁକେଶଙ୍କ ଅପରାଧିକ ଇତିହାସ ବିଷୟରେ ସେ କିଛି ଜାଣିନଥିଲେ।