କୋଲକାତା ୧୯/୦୧: ଲଟେରୀ ଟିକେଟ୍‌ କିଣି ରାତାରାତି ବଦଳିଲା ଭାଗ୍ୟ। ମାଲଦାରୁ ଜଣେ ଦାଦନ ଶ୍ରମିକ ୧୫୦ ଟଙ୍କା ଖର୍ଚ୍ଚ କରି କୋଟିପତି ହୋଇଗଲେ । ଲଟେରୀ ଜିତିବା ପରେ ପରିବାରରେ ଖୁସିର ଲହରୀ ଖେଳିଗଲା।

ମୁନ୍ନା  ଅଲି ମାଲଦାର ହରିଶ୍ଚନ୍ଦ୍ରପୁରର ମାରାଡାଙ୍ଗି ଅଞ୍ଚଳର  ବାସିନ୍ଦା । ତାଙ୍କର ବୟସ ମାତ୍ରା ୩୦ ବର୍ଷ। ପେଶାରେ ଶ୍ରମିକ । ଗୁରୁବାର ଅପରାହ୍ନରେ, ମୁନ୍ନା ଭବାନୀପୁର ବ୍ରିଜ୍‌  ଛକରେ ଲଟେରୀ ବିକ୍ରେତା ଇସାରୁଲ ହକ୍‌ଙ୍କଠାରୁ ୧୫୦  ଟଙ୍କା ଦେଇ ଏକ ଟିକେଟ୍‌ କିଣିଥିଲେ । ସନ୍ଧ୍ୟାରେ, ସେ  ନମ୍ବରଗୁଡ଼ିକ ଯାଞ୍ଚ କରି ଦେଖିଲେ ଯେ ସେ ଏକ କୋଟି  ଟଙ୍କା ଜିତିଛନ୍ତି । ଏହା ପରେ, ମୁନ୍ନା ଏବଂ ତାଙ୍କ ପରିବାର ସଦସ୍ୟମାନେ ଆନନ୍ଦରେ ଆତ୍ମହରା ହୋଇପଡିଥିଲେ । ଏତେ ଟଙ୍କା ଜିତିବା  ପରେ, ସେ ସୁରକ୍ଷା ପାଇଁ ହରିଶ୍ଚନ୍ଦ୍ରପୁର ଥାନାକୁ ଫୋନ୍‌ କରିଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୁନ୍ନାକୁ ଥାନାକୁ  ନେଇଯାଇଥିଲେ ।   

ସ୍ଥାନୀୟ ସୂତ୍ର ଅନୁଯାୟୀ, ମୁନ୍ନାଙ୍କ ପରିବାରରେ  ଜଣେ ବୃଦ୍ଧ ବାପା, ସ୍ତ୍ରୀ ଏବଂ ପୁଅ ଅଛନ୍ତି । ସେ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି, ଦିନ ମଜୁରୀଆ ଭାବେ ରୋଜଗାର କରି ଜୀବିକା ନିର୍ବାହ କରନ୍ତି । ସେ ଦିଲ୍ଲୀରେ ୧୪ ବର୍ଷ  ଧରି ପ୍ଲାଷ୍ଟିକ କମ୍ପାନୀରେ କାମ କରୁଛନ୍ତି । ମୁନ୍ନା ତାଙ୍କ ଗରିବ ପରିବାରର ସମୃଦ୍ଧି ଆଣିବା ପାଇଁ ବେଳେବେଳେ ଲଟେରୀ ଟିକେଟ୍‌ କିଣୁଥିଲେ । ସେ ସେହି ଦିନ ମଧ୍ୟ  ଟିକେଟ୍‌ କିଣିଥିଲେ । ସେଦିନ ଲଟେରୀ ଉଠିବା ତାଙ୍କ ଭାଗ୍ୟରେ ଥିଲା । ସେ ରାତାରାତି କୋଟିପତି ହୋଇଗଲେ ।  ମୁନ୍ନା କହିଛନ୍ତି, "ମୁଁ ରାତାରାତି କୋଟିଏ ଟଙ୍କା ଜିତିବି  ବୋଲି ଆଶା କରି ନଥିଲି । ମୁଁ ଏହି ଟଙ୍କାରେ ଏକ ସୁନ୍ଦର  ଘର ତିଆରି କରିବାକୁ ଚାହୁଁଛି । ମୁଁ କିଛି ଜମି କିଣିବି ।  ମୁଁ ମୋ ପୁଅର ଶିକ୍ଷା ପାଇଁ ମଧ୍ୟ ଟଙ୍କା ଖର୍ଚ୍ଚ କରିବି।