ନୂଆଦିଲ୍ଲୀ: ଜମ୍ମୁକାଶ୍ମୀରର ଜମ୍ମୁ ଜିଲ୍ଲାର ଆରଏସ ପୁରା ସୀମାନ୍ତ ଅଞ୍ଚଳରେ ଏକ ପାରା ଧରାପଡ଼ିଛି । ସୁରକ୍ଷା ବାହିନୀ ପାରା ପାଖରୁ ଧମକପୂର୍ଣ୍ଣ ଚିଠି ପାଇଛି । ଏହି ଚିଠିରେ ଜମ୍ମୁ ରେଳ ଷ୍ଟେସନକୁ ଆଇଇଡି ବିସ୍ଫୋରଣରେ ଉଡ଼ାଇ ଦେବାକୁ ଧମକ ଦିଆଯାଇଛି । ପାରାଟି ଧରାପଡ଼ିବା ପରେ ପୁଲିସ ଏବଂ ସୁରକ୍ଷା ବାହିନୀ ସମଗ୍ର ଅଞ୍ଚଳରେ ଆଲର୍ଟ ଜାରି କରିଛନ୍ତି । ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଯେ, ଏହି ପାରା ପାକିସ୍ତାନରୁ ଆସିଥାଇପାରେ । ଏହା ଅଗଷ୍ଟ ୧୮ ରାତି ପ୍ରାୟ ୯ ଟାରେ କାଟମାରିଆ ଅଞ୍ଚଳର ଅନ୍ତର୍ଜାତୀୟ ସୀମା ନିକଟରେ ଧରାପଡ଼ିଥିଲା ।
ପାରା ଗୋଡ଼ରେ ବନ୍ଧା ହୋଇଥିବା ଚିଠିରେ ଉର୍ଦ୍ଦୁ ଏବଂ ଇଂରାଜୀରେ ଏକ ଧମକପୂର୍ଣ୍ଣ ବାର୍ତ୍ତା ଲେଖାଅଛି । ଯେଉଁଥିରେ 'କାଶ୍ମୀର ସ୍ୱାଧୀନତା' ଏବଂ 'ସମୟ ଆସିଗଲା' ଭଳି ଶବ୍ଦ ଉଲ୍ଲେଖ ରହିଛି । ଅଧିକାରୀଙ୍କ ଅନୁଯାୟୀ, ପାକିସ୍ତାନ ଭାରତୀୟ ସୀମାରେ ବେଲୁନ, ପତାକା ଏବଂ ପାରା ମାଧ୍ୟମରେ ବିଭିନ୍ନ ଉପାୟରେ ବାର୍ତ୍ତା ପଠାଉଛି।
ଏହା ପ୍ରଥମ ଥର ଯେ, ଧମକପୂର୍ଣ୍ଣ ବାର୍ତ୍ତା ସହ ଏକ ପାରା ଧରାପଡ଼ିଛି । ବିପଦ ଏବଂ ଭାରତ ବିରୋଧୀ ଷଡ଼ଯନ୍ତ୍ରକୁ ଦୃଷ୍ଟିରେ ରଖି ସୁରକ୍ଷା ଏଜେନ୍ସିଗୁଡ଼ିକ ଏହି ମାମଲାକୁ ଗମ୍ଭୀରତାର ସହ ନେଇଛନ୍ତି । ସୂତ୍ର ଅନୁଯାୟୀ, ସୁରକ୍ଷା ବାହିନୀ ଏହାର ସତ୍ୟାସତ୍ୟ ଜାଣିବାକୁ ତଦନ୍ତ କରୁଛି । ଜଣେ ସୁରକ୍ଷା ବିଶେଷଜ୍ଞ କହିଛନ୍ତି, ‘ଏପରି ମାମଲାକୁ ହାଲୁକା ଭାବରେ ନିଆଯାଇପାରିବ ନାହିଁ। ସମ୍ଭବତଃ ପାରାକୁ ସ୍ୱତନ୍ତ୍ର ଭାବରେ ତାଲିମ ଦିଆଯାଇ ସୀମାକୁ ପଠାଯାଇଛି ।’ ଏହି ଘଟଣା ପରେ, ଜମ୍ମୁ ରେଳ ଷ୍ଟେସନ ଏବଂ ରେଳ ଟ୍ରାକ ଚାରିପାଖରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ପୁଲିସ କୁକୁର ସ୍କ୍ୱାଡ୍ ଏବଂ ବୋମା ନିଷ୍କ୍ରିୟକାରୀ ସ୍କ୍ୱାଡ୍ ନିୟୋଜିତ କରିଛି। ଯେକୌଣସି ସମ୍ଭାବ୍ୟ ବିପଦର ମୁକାବିଲା କରିବା ପାଇଁ ସ୍ଥାନୀୟ ପୁଲିସକୁ ମଧ୍ୟ ହାଇ ଆଲର୍ଟରେ ରଖାଯାଇଛି ।