ନୂଆଦିଲ୍ଲୀ : ଦିନେ ରାଜ୍ୟ ଏବଂ ଦେଶ ପାଇଁ ସାଜିଥିଲେ ଗର୍ବ । ହେଲେ ଏବେ କିଛି ମନେ ନାହିଁ । ଯୌତୁକ ନିର୍ଯାତନାରେ ଏମିତି ଜୁଝି ହେଲେ ଯେ ନିଜର ସ୍ମୃତି ଶକ୍ତି ହରାଇବା ସହ ବାକ୍ ଶକ୍ତି ମଧ୍ୟ ହରାଇଛନ୍ତି । ଜୀବନରେ ଭୋଗୁଛନ୍ତି ଅନେକ କଷ୍ଟ । ଜାତୀୟ ସ୍ତରର ଭଲିବଲ ଖେଳାଳି ପ୍ରିୟା ସରୋଜଙ୍କ ଦୁଃଖ କହିଛନ୍ତି ତାଙ୍କ ମାଆ ନିଶା । ୨୦୨୪ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ପ୍ରିୟା ଏବେ ମେଡିକାଲରେ ପହଞ୍ଚିଥିବାର ଦୁଃଖ ସମ୍ପର୍କରେ ତାଙ୍କ ମାଆ କହିଥିବାବେଳେ କାନ୍ଦି ପକାଇଛନ୍ତି ।
ନିଶା କହିଛନ୍ତି କି, ଝିଅକୁ ବିବାହ କରାଇବା ପରେ ବେଶ ଖୁସି ହୋଇଥିଲି । ସବୁ ବାପା ମାଆଙ୍କ ଭଳି ମୋ ସ୍ବପ୍ନ ପୂରଣ ହୋଇଛି ବୋଲି ଭାବିଥିଲି । ମାତ୍ର ୧୪ ମାସରେ ସବୁକିଛି ବଦଳିଗଲା । ଜେଇ ଅମିତ ବର୍ମାଙ୍କ ସହ ଝିଅର ବାହାଘର ହୋଇଥିଲା । ପ୍ରଥମେ ବେଶ ଖୁସିରେ ଚଳିଥିଲେ । ମାତ୍ର ପରେ ଦେଇଥିଲେ ନିର୍ଯାତନ । ଯୌତୁକ ପାଇଁ ବଡ଼ ଦାବି ଉଠାଇ ଝିଅକୁ ନିର୍ଯାତନା ଦେଇଥିଲେ । ତାଙ୍କ ନାମରେ ଥିବା ଜମି ଏବଂ ଟଙ୍କାସବୁ ସ୍ବାମୀଙ୍କ ନାମକୁ ସ୍ଥାନାନ୍ତର କରିବା ପାଇଁ ଦାବି କରିଥିଲେ । ଯେଉଁ କାରଣରୁ ପ୍ରତିଦିନ ମାଡ଼ ମାରୁଥିଲେ ଏବଂ ମାନସିକ ନିର୍ଯାତନା ମଧ୍ୟ ଦେଇଥିଲେ ।
ପ୍ରତିଦିନ ଏଭଳି ଭାବେ ନିର୍ଯାତନା ବଢ଼ିଥିବାବେଳେ ସେ ଦୁର୍ବଳ ହେବାକୁ ଲାଗିଥିଲେ । ଶେଷରେ ଯେତେବେଳେ ରାତିରେ ଫୋନ୍ ଆସିଥିଲା କି, ତାଙ୍କ ଝିଅ ଆଉ ଜୀବନରେ ନାହିଁ ଶୁଣିବା ପରେ ପାଦତଳୁ ମାଟି ଖସି ଯାଇଥିଲା । ସେମାନେ ଝିଅର ଶାଶୁଘରକୁ ଯିବା ପରେ କିନ୍ତୁ ଝିଅ ବଞ୍ଚିଥିବା ଦେଖିବାକୁ ପାଇଥିଲେ । ମାତ୍ର ସେ କୋମାକୁ ଚାଲିଯାଇଥିଲେ । ଝିଅକୁ ବିଭିନ୍ନ ମେଡିକାଲକୁ ନେଇ ଚିକିତ୍ସା କରିବା ପରେ ଏବେ ସେ ନିଜର ଜୀବନ ଫେରିପାଇଛନ୍ତି କିନ୍ତୁ ନିଜର ସ୍ମୃତିଶକ୍ତି ଏବଂ ବାକ୍ ଶକ୍ତି ହରାଇ ବସିଛନ୍ତି । ଏଣୁ ତାଙ୍କ ପରିବାର ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ପ୍ରିୟାଙ୍କ ମାଆ ।
ଏହାସହ ପଢ଼ନ୍ତୁ : ଫିନ୍ ଆଲେନଙ୍କ ଆଉଟ୍ ନିଷ୍ପତ୍ତି, ଅମ୍ପାୟାରଙ୍କୁ ନେଇ ଏମିତି ଲେଖୁଛନ୍ତି ୟୁଜର୍ସ