ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଆକ୍ରମଣ । ଶୁକ୍ରବାର ଦିଲ୍ଲୀରେ ଆୟୋଜିତ ‘ପଦଯାତ୍ରା’ ରାଲିରେ କେଜ୍ରିଓ୍ବାଲଙ୍କ ଉପରେ ଆକ୍ରମଣ ହୋଇଥିବା ଆପ୍‌ ଅଭିଯୋଗ କରିଛି । ଏହି ଆକ୍ରମଣ ବିଜେପି କର୍ମୀମାନେ କରିଛନ୍ତି ବୋଲି ଆମ୍‌ ଆଦମୀ ପାର୍ଟି (ଆପ୍‌) ଦାବି କରିଛି । ଏପରିକି ଏହି ଆକ୍ରମଣ ପାଇଁ ଦିଲ୍ଲୀ ପୋଲିସକୁ ମଧ୍ୟ ଦାୟୀ କରିଛି ଆପ୍‌ ।  ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଆପ୍‌ ନେତା ମନୀଷ ସିସୋଦିଆ ଲେଖିଛନ୍ତି, କେଜ୍ରିଓ୍ବାଲଙ୍କ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରୁଛି । ବିଜେପି ଏହି ଆକ୍ରମଣ କରାଇଛି ବୋଲି ସେ ଅଭିଯୋଗ କରିଛନ୍ତି । ଯଦି କେଜ୍ରିଓ୍ବାଲଙ୍କର କିଛି ହୁଏ ତେବେ ଏଥିପାଇଁ ବିଜେପି ଦାୟୀ ରହିବ । ଏଥିରେ ଆମେ ଭୟଭୀତ ହେବୁ ନାହିଁ ବୋଲି ଲେଖିଛନ୍ତି ସିସୋଦିଆ ।

ସେହିଭଳି ଆପ୍‌ ନେତା ସୌରଭ ଭରଦ୍ବାଜ, ବିଜେପିକୁ ଦାୟୀ କରି ଏକ୍ସରେ ଏକ ପୋଷ୍ଟ ଲେଖିଛନ୍ତି । କେଜ୍ରିଓ୍ବାଲଙ୍କର କିଛି ହୋଇଗଲେ ବିଜେପି ଦାୟୀ ରହିବ ବୋଲି ମନୀଷ ସିସୋଦିଆଙ୍କ ଭଳି ସୌରଭ ଭରଦ୍ବାଜ କହିଛନ୍ତି । ଏହା ସହ ଇଡି, ସିବିଆଇ ଏବଂ ଜେଲ୍‌ କାମରେ ନଆସିବାରୁ ଏବେ ବିଜେପି କର୍ମୀ କେଜ୍ରିଓ୍ବାଲଙ୍କ ଉପରେ ଆକ୍ରମଣ କରୁଛନ୍ତି ବୋଲି ଅଭିଯୋଗ ମଧ୍ୟ କରିଛନ୍ତି ସୌରଭ ଭରଦ୍ବାଜ । 




ସେପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ଏନେଇ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଦିଲ୍ଲୀବାସୀ ବିଜେପିର ଶସ୍ତା ରାଜନୀତିକୁ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି । ବିକାଶପୁରୀ ପଦଯାତ୍ରା ସମୟରେ ବିଜେପି ଗୁଣ୍ଡାମାନଙ୍କ ଦ୍ବାରା କେଜ୍ରିଓ୍ବାଲଙ୍କ ଉପରେ ଆକ୍ରମଣ କରାଯାଇଛି । ଆପ୍‌ ଏବଂ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ନିର୍ବାଚନରେ ପରାସ୍ତ କରିପାରିବନି ବୋଲି ଜାଣିଛି ବିଜେପି । ତେଣୁ ବିଜେପି ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ହତ୍ୟା କରିବାକୁ ଚାହୁଁଛି ବୋଲି ଆତିଶୀ ଅଭିଯୋଗ କରିଛନ୍ତି । 




ଅନ୍ୟପଟେ, କେଜ୍ରିଓ୍ବାଲଙ୍କ ଉପରେ ଆକ୍ରମଣ ଅଭିଯୋଗକୁ ଖଣ୍ଡନ କରିଛି ଦିଲ୍ଲୀ ପୋଲିସ । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଉପ‌ରେ କୌଣସି ପ୍ରକାର ଆକ୍ରମଣ ହୋଇନାହିଁ ବୋଲି ପୋଲିସ କହିଛି ।