ନୂଆଦିଲ୍ଲୀ, ୨୪।୩: ଗ୍ରୀଷ୍ମ ଋତୁ ଆରମ୍ଭ ହେବା ପୂର୍ବରୁ ଗ୍ରାହକଙ୍କ ପାଇଁ ଏକ ଖରାପ ଖବର ସାମ୍ନାକୁ ଆସୁଛି । ଯଦି ଆପଣ ଏହି ଖରା ଦିନେ ଏସି କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପକେଟ୍ ଉପରେ ଏହାର ଭାରି ପ୍ରଭାବ ପଡ଼ିପାରେ । ନିକଟରେ LPG ସଙ୍କଟ ଯୋଗୁଁ ରୋଷେଇ ସାମଗ୍ରୀ ମହଙ୍ଗା ହୋଇଥିବା ବେଳେ ଏବେ ଏୟାର କଣ୍ଡିସନର ବଜାର ମଧ୍ୟ ସମାନ ସ୍ଥିତି ଆଡ଼କୁ ଗତି କରୁଛି । ବର୍ତ୍ତମାନ ଏସି ବଜାର ଏକାସାଙ୍ଗରେ ଦୁଇଟି ସମସ୍ୟାର ସମ୍ମୁଖୀନ ହେଉଛି । ପ୍ରଥମଟି ହେଉଛି ଚାହିଦା ଅଭାବ ଏବଂ ଦ୍ୱିତୀୟଟି ହେଉଛି ଯୋଗାଣ ଶୃଙ୍ଖଳାରେ ବାଧା । ଏସି ମୂଲ୍ୟ ବୃଦ୍ଧି ହେବା ପଠରେ ଦୁଇଟି କାରଣ ରହିଛି:
୧. ଅଦିନିଆ ବର୍ଷା ପାଲଟିଲା ବାଧକ
ମାର୍ଚ୍ଚ ଏବଂ ଏପ୍ରିଲ ମାସ ଏସି କମ୍ପାନୀଗୁଡ଼ିକ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟ । କିନ୍ତୁ, ଚଳିତ ବର୍ଷ ଉତ୍ତର ଏବଂ ପଶ୍ଚିମ ଭାରତର ଅନେକ ସ୍ଥାନରେ ଅଦିନିଆ ବର୍ଷା ଯୋଗୁଁ ତାପମାତ୍ରା ବୃଦ୍ଧି ପାଇନାହିଁ । ଦିଲ୍ଲୀ ଭଳି ବଡ଼ ସହରରେ ଗରମ କମ୍ ରହିଥିବାରୁ ଏସିର ପ୍ରାଥମିକ ବିକ୍ରି ଯଥେଷ୍ଟ ହ୍ରାସ ପାଇଛି । ଯଦି ଏପ୍ରିଲ ମାସରେ ତାପମାତ୍ରା ନ ବଢ଼େ, ତେବେ ଚଳିତ ସିଜିନର ସାମଗ୍ରିକ ବ୍ୟବସାୟ ପ୍ରଭାବିତ ହେବା ଆଶଙ୍କା ରହିଛି ।
୨. ମଧ୍ୟପ୍ରାଚ୍ୟ ଯୁଦ୍ଧ ଓ କଞ୍ଚାମାଲ ଦର
ଅନ୍ୟପଟେ ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଯୋଗୁଁ ସାରା ବିଶ୍ୱରେ ସପ୍ଲାଏ ଚେନ୍ ପ୍ରଭାବିତ ହୋଇଛି । ଏସି ପ୍ରସ୍ତୁତିରେ ବ୍ୟବହୃତ ହେଉଥିବା ତମ୍ବା, ଆଲୁମିନିୟମ, ଷ୍ଟିଲ୍ ଏବଂ ପ୍ଲାଷ୍ଟିକ ଭଳି କଞ୍ଚାମାଲର ଦାମ୍ ଆକାଶଛୁଆଁ ହୋଇଛି । ଏହା ସହିତ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ପାଇବା କମ୍ପାନୀଗୁଡ଼ିକ ପାଇଁ ମେକିଂ କଷ୍ଟ ବଢ଼ାଇ ଦେଇଛି ।
ଏହା ବି ପଢ଼ନ୍ତୁ... ମୁଡିସ୍ ରିପୋର୍ଟ, ମାଡ଼ିଆସୁଛି ବଡ଼ ଆର୍ଥିକ ବିପତ୍ତି ; ଯୁଦ୍ଧରେ ୪୮ ଲକ୍ଷ କୋଟି ସ୍ୱାହା, ଖସିବ ଅଭିବୃଦ୍ଧି
୫% ରୁ ୧୫% ପର୍ଯ୍ୟନ୍ତ ବଢ଼ିପାରେ ଦାମ୍:
ଶିଳ୍ପ ବିଶେଷଜ୍ଞଙ୍କ ଅନୁମାନ ଅନୁଯାୟୀ, ଚଳିତ ସିଜିନରେ ଏସିର ମୂଲ୍ୟ ୫ ପ୍ରତିଶତରୁ ୧୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ । ଯଦି କମ୍ପାନୀଗୁଡ଼ିକ ଦାମ ନ ବଢ଼ାନ୍ତି, ତେବେ ସେମାନଙ୍କ ଲାଭ କମିଯିବ । ଅନ୍ୟପଟେ ଦାମ ବଢ଼ାଇଲେ ଗ୍ରାହକମାନେ ଏସି କିଣିବାରୁ ଦୂରେଇ ଯାଇପାରନ୍ତି, ଯାହା ଏକ ବଡ଼ ଦ୍ୱନ୍ଦ୍ୱ ସୃଷ୍ଟି କରିଛି ।
ନୂଆ ଶକ୍ତି ନିୟମର ପ୍ରଭାବ:
ଚଳିତ ବର୍ଷଠାରୁ ଲାଗୁ ହୋଇଥିବା ନୂତନ ଶକ୍ତି ମାନକ ମଧ୍ୟ ଏହି ମୂଲ୍ୟ ବୃଦ୍ଧି ପଛର ଅନ୍ୟ ଏକ କାରଣ । ଏହି ନିୟମ ଅନୁଯାୟୀ, କମ୍ପାନୀଗୁଡ଼ିକୁ ଏବେ ଅଧିକ ବିଦ୍ୟୁତ୍ ସଞ୍ଚୟ କରୁଥିବା ମଡେଲ୍ ତିଆରି କରିବାକୁ ପଡ଼ୁଛି । ଯଦିଓ ଏହା ଦ୍ୱାରା ଦୀର୍ଘ ସମୟ ପାଇଁ ବିଦ୍ୟୁତ୍ ବିଲ୍ କମ୍ ଆସିବ, କିନ୍ତୁ ବର୍ତ୍ତମାନ ଏସି ମେସିନର ମୂଲ୍ୟ ବୃଦ୍ଧି ପାଇଛି ।
ଗ୍ରାହକଙ୍କ ଉପରେ କି ପ୍ରଭାବ ପଡ଼ିବ ?
ମହଙ୍ଗା ମୂଲ୍ୟ: ଆଗାମୀ ଦିନରେ ଏସି କିଣିବା ପୂର୍ବ ଅପେକ୍ଷା ଅଧିକ ବ୍ୟୟବହୁଳ ହେବ ।
ସୀମିତ ଅଫର୍: ଯଦି ଚାହିଦା ବହୁତ କମ୍ ରହେ, ତେବେ କମ୍ପାନୀଗୁଡ଼ିକ କିଛି ସୀମିତ ସମୟ ପାଇଁ ରିହାତି ଦେଇପାରନ୍ତି ।
ଷ୍ଟକ୍ ଅଭାବ: ଯଦି ଗ୍ୟାସ୍ ଏବଂ ତେଲ ଯୋଗାଣରେ ବାଧା ଉପୁଜେ, ତେବେ ବଜାରରେ ଏସିର ଷ୍ଟକ୍ ମଧ୍ୟ ଶେଷ ହୋଇପାରେ ।