ବଲାଙ୍ଗିର, ୦୯/୦୧ : ଅସୁରକ୍ଷିତ ବଲାଙ୍ଗୀର ରାଜପଥ। ପ୍ରତିଦିନ ଘଟୁଛି ଦୁର୍ଘଟଣା। କେତେବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଲୋକଙ୍କ ଜୀବନ ଯାଉଛି ତ କେତେବେଳେ ବ୍ୟକ୍ତିଗତ ଓ ସରକାରୀ ସମ୍ପତ୍ତି ନଷ୍ଟ ହେଉଛି। ବଲାଙ୍ଗିର ଜିଲ୍ଲାର ବିଗତ ୬ବର୍ଷର ତଥ୍ୟକୁ ଦେଖିଲେ ଚଳିତ ବର୍ଷ ଜିଲ୍ଲାରେ ଏପର୍ଯ୍ୟନ୍ତର ସବୁଠୁ ଅଧିକ ଦୁର୍ଘଟଣା ଏବଂ ପ୍ରାଣହାନୀ ହୋଇଛି । ଏଥର ଜିଲ୍ଲାରେ ୩୬୨ଟି ମୃତ୍ୟୁ ଘଟିଥିବା ବେଳେ ୨୦୫ଜଣ ବିଭିନ୍ନ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ମୋଟାମୋଟି ଭାବରେ ୬ବର୍ଷ ଭିତରେ ସମୁଦାୟ ୧୦୩୮ଜଣଙ୍କ ମୃତ୍ୟୁ ହୋଇଛି । ଏହି ପରିସଂଖ୍ୟନ ଏବେ ବଲାଙ୍ଗିରବାସୀଙ୍କୁ ଯେତେ ଚକିତ କରିଛି, ସେତେ ଚିନ୍ତା ମଧ୍ୟ ବଢ଼ାଇଛି ।
ସୂଚନାଯୋଗ୍ୟ ଯେ, ବଲାଙ୍ଗିର ସହର ଦେଇ ଜାତୀୟ ରାଜପଥ-୨୬, ଜାତୀୟ ରାଜପଥ-୫୭ ଏବଂ ରାଜ୍ୟ ରାଜପଥ -୪୨ ଯାଇଛି। ସେହିପରି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ନିକଟରେ ଜାତୀୟ ରାଜପଥ ୫୯ ଏବଂ ସିନେ୍ଧକେଲା ନିକଟରେ ରାଜ୍ୟ ରାଜପଥ-୧୬ ଯାଇଛି । ଏହାବାଦ୍ ବଲାଙ୍ଗିର ଦେଇ ବିଶାଖାପାଟଣାରୁ କଲିକତା ପର୍ଯ୍ୟନ୍ତ ପ୍ରତିଦିନି ଶହଶହ ମାଲବାହୀ ଟ୍ରକ ତଥା ପର୍ଯ୍ୟଟକ ଯିବାଆସିବା କରିଥାନ୍ତି । ତା’ରି ଭିତରେ କେଉଁଠି କେତେବେଳେ ଛୋଟମୋଟ ଦୁର୍ଘଟଣା ହେବା ସ୍ୱଭାବିକ । ହେଲେ ଗତ କିଛିବର୍ଷ ହେବ ଏହି ଦୁର୍ଘଟଣା ଏବଂ ତଦଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ୨୦୨୦ ମସହିାରେ ଜିଲ୍ଲାରେ ୨୯୩ଟି ଦୁର୍ଘଟଣା ହୋଇଥିଲା । ଯେଉଁଥିରେ ୧୪୪ଜଣ ଡ୍ରାଇଭର ଏବଂ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ସେହିପରି ୨୦୨୧ ମସିହାରେ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଇ ୩ଶହରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୧୪୨କୁ ଖସିଥିଲା । ଏହାବାଦ୍ ୨୦୨୨ ମସିହାରେ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଇ ୩୧୪ରେ ପହଞ୍ଚିଥିଲା । ସେହିବର୍ଷ ମୃତକ ସଂଖ୍ୟା ମଧ୍ୟ ୧୩୫ ପାର କରିଥିଲା ।
ଏହାବାଦ୍ ରେ ୨୦୨୩ ମସିହାରେ ୩୩୬ଟିରେ ଦୁର୍ଘଟଣା ଘଟିଥିବା ବେଳେ ୧୮୧ଜଣକ ମୃତ୍ୟୁ ହୋଇଥିବା ବେଳେ ୨୦୨୪ ମସିହାରେ ବାର୍ଷିକ ମୃତକ ସଂଖ୍ୟା ୨୦୧ରେ ପହଞ୍ଚିଥିଲା । କାରଣ ସେହିବର୍ଷ ଦୁର୍ଘଟଣା ମଧ୍ୟ ୩୬୩ରେ ରହିଥିଲା । ଶେଷରେ ଚଳିତବର୍ଷ ୩୬୨ଟି ଦୁର୍ଘଟଣା ଘଟିଥିବା ବେଳେ ୨୦୫ଜଣଙ୍କ ମୃତ୍ୟୁ ହୋଇଛି । ତେବେ ୬ବର୍ଷ ଭିତରେ ୧ହଜାରରୁ ଉର୍ଦ୍ଧ୍ୱ ଜୀବନହାନୀ କିଛି ସହଜ କଥା ନୁହେଁ । ତେଣୁ ପ୍ରଶାସନ ଏବଂ ପରିବହନ ବିଭାଗ ପକ୍ଷରୁ କେବଳ ସଚେତନତା ଉପରେ ନିର୍ଭର ନକରି ମାଲ ଓ ଯାତ୍ରୀ ପରିବହନ କିଭଳି ସନ୍ତୁଳିତ ଏବଂ ସୁରକ୍ଷିତ ହେବ, ରାଜରାସ୍ତା କିଭଳି ଦୁର୍ଘଟଣାମୁକ୍ତ ଏବଂ ଅବାଧ ହେବ ସେନେଇ ପଦକ୍ଷେପ ନେବାକୁ ଦାବି ହୋଇଛି ।
ଏହି କବରଟିକୁ ପଢନ୍ତୁ- ବିନା ଫିଟ୍ନେସ୍ ପ୍ରମାଣପତ୍ରରେ ଚାଲୁଛି ଆମ୍ବୁଲାନ୍ସ, ସରକାରୀ ବୋଲି ସବୁ ମାଫ୍