ରାୟଗଡା, ୧୧।୫ : ବହୁ ଚର୍ଚ୍ଚିତ ହାଡ଼ପା ନିଖିଲ ହତ୍ୟାକାଣ୍ଡ ଘଟଣାରେ ଏଯାଏଁ ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ୍ କରିବାରେ ସଫଳ ହୋଇନି। ଏପଟେ ଟାଉନ୍ ଥାନା ଆଗରେ ବାଣ ଫୁଟାଇ ଶବ ଶୋଭାଯାତ୍ରା କରିଛନ୍ତି ଉତ୍ତ୍ୟକ୍ତ ଲୋକେ। ପରେ ମୃତକଙ୍କ ବାଇକ୍ ପୋଡ଼ି ପ୍ରତିବାଦ କରିଛନ୍ତି। ଉତ୍ତେଜନାକୁ ଦୃଷ୍ଟିରେ ରଖି ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା। ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରି ଚେତାବନୀ ଦେଇଛନ୍ତି ମୃତକଙ୍କ ପିତା ହାଡାପା ଶିବା। ନହେଲେ ବଡ଼ ଧରଣର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି।

ଅନ୍ୟପକ୍ଷରେ ସନ୍ଧ୍ୟାରେ ଅଭିଯୁକ୍ତଙ୍କ ଘରେ ପଶି ଭଙ୍ଗାରୁଜା କରିଛନ୍ତି ଲୋକ ମାନେ। ରୋହିତ କୋଲନୀସ୍ଥିତ ଅଭିଯୁକ୍ତଙ୍କ ଘରେ କେହି ନ ଥିବାର ସୁଯୋଗ ନେଇ ଉତ୍ତ୍ୟକ୍ତ ଲୋକମାନେ ଘର ଭାଙ୍ଗି ଆସବାବପତ୍ର ନଷ୍ଟ କରିବା ସହ ସିସିଟିଭିକୁ ଭାଙ୍ଗି ଦେଇଛନ୍ତି। ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଘର ଆଗରେ ପୁଲିସ ମୁତୟନ କରାଯାଇଛି। ଏପଟେ ଖୁବଶୀଘ୍ର ଅଭିଯୁକ୍ତମାନଙ୍କୁ ଧରାଯିବ ବୋଲି ଏସପି ସୂଚନା ଦେଇଛନ୍ତି। ମୃତ ନିଖିଲର ଦେହରେ ୨ଟି ଗୁଳି ବାଜିଥିବା ପୁଲିସ ସ୍ପଷ୍ଟ କରିଥିବା ବେଳେ ରାୟଗଡା ସହରରେ ଅଶାନ୍ତକର ପରିବେଶ ସୃଷ୍ଟି ହୋଇଛି।

ସୂଚନାଯୋଗ୍ୟ ଯେ, ରାୟଗଡ ସହରରେ ଶନିବାର ରାତିରେ ନିଖିଲ ଯୁବକକୁ କିଛି ଅଜଣା ଦୁର୍ବୃତ୍ତ ମାନେ ଇନ୍ଦିରା ନଗର ତୃତୀୟ ଗଳିରେ ଗୁଳି କରି ଏକ ବୋଲେରୋ ଗାଡିରେ ଅପହରଣ ପରେ ହତ୍ୟା କରିଥିଲେ। ନାଗାବଳୀ ନଦୀ ପାଠରୁ ଶବକୁ ଜବତ କରିଥିଲା ପୋଲିସ।ଘଟଣାରେ ସଂପୃକ୍ତ ଅଭିଯୁକ୍ତମାନଙ୍କୁ ଶୀଘ୍ର ଗିରଫ କରିବା ଦାବିରେ ପରିବାର ଲୋକେ ଓ ସ୍ଥାନୀୟ ବାସିନ୍ଦାମାନେ ରବିବାର ପୂର୍ବାହ୍ନରୁ ରାୟଗଡା ଥାନା ଘେରାଉ କରି ପ୍ରତିବାଦ କରିଥିଲେ। ରବିବାର ରାତିରେ ଶବ ବ୍ୟବଚ୍ଛେଦ ପରେ ପୁଲିସ ମୃତଦେହ ହସ୍ତାନ୍ତର କରିଥିଲା।

ଆହୁରି ପଢନ୍ତୁ : କଣାସରେ ଯୁବକଙ୍କୁ ବୁଲେଟ ଚଢାଇ ହତ୍ୟା ଉଦ୍ୟମ ଘଟଣା : ଆତ୍ମସର୍ମପଣ କଲା ମୁଖ୍ୟ ଅଭିଯୁକ୍ତ