ମୁମ୍ବାଇ,୦୭/୧୧; ଆଉ ନାହାନ୍ତି ବର୍ଷୀୟାନ ବଲିଉଡ୍‌ ଅଭିନେତ୍ରୀ ତଥା ଗାୟିକା ସୁଲକ୍ଷଣା ପଣ୍ଡିତ । ଗୁରୁବାର ତାଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା । ସେ ଦୀର୍ଘଦିନ ଧରି ରୋଗଗ୍ରସ୍ତ ଥିଲେ । ମୁମ୍ବାଇର ନାନାବତୀ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ହୃଦଘାତ କାରଣରୁ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ବିୟୋଗରେ ବଲିଉଡ୍ ଜଗତରେ ଶୋକର ଛାୟା ଖେଳିଯାଇଛି । 'ଉଲ୍‌ଝନ୍‌' ଏବଂ 'ଚେହେରେ ପେ ଚେହେରା' ଚଳଚ୍ଚିତ୍ର ପାଇଁ ଲୋକପ୍ରିୟତା ହାସଲ କରିଥିଲେ ସୁଲକ୍ଷଣା । ତାଙ୍କ ଦେହାନ୍ତ ନେଇ ତାଙ୍କ ଭାଇ ଲଳିତ ପଣ୍ଡିତ ସୂଚନା ଦେଇଛନ୍ତି ।

ଛତିଶଗଡ଼ର ରାୟଗଡ଼ରେ ୧୯୫୪ ଜୁଲାଇ ୧୨ରେ ସେ ଜନ୍ମଗ୍ରହଣ କରିଥିଲେ । ମାତ୍ର ୯ ବର୍ଷ ବୟସରୁ ଗୀତ ଗାଇବା ଆରମ୍ଭ କରିଥିଲେ ସୁଲକ୍ଷଣା । ପ୍ରଥମ ଥର ପାଇଁ ୧୯୬୭ରେ ଏକ ଫିଲ୍ମରେ ଗୀତ ଗାଇବାକୁ ତାଙ୍କୁ ସୁଯୋଗ ମିଳିଥିଲା । ୧୯୬୭ରେ ଫିଲ୍ମ ‘ତକ୍‌ଦୀର’ରେ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ସହ ସେ ଗାଇଥିବା ‘ସାତ୍‌ ସମନ୍ଦର ପାର୍‌ ସେ’ ଗୀତ ଜୋରଦାର ହିଟ୍‌ ହୋଇଥିଲା । ଚଳଚ୍ଚିତ୍ର ‘ସଂକଳ୍ପ’ରେ ‘ତୁ ହି ସାଗର ତୁ ହି କିନାରା’ ଗୀତ ପାଇଁ ତାଙ୍କୁ ଫିଲ୍ମଫେୟାର ଆୱାର୍ଡ ମିଳିଥିଲା । ଏହି ସମୟରେ ଫିଲ୍ମରେ ଅଭିନୟ ଲାଗି ତାଙ୍କୁ ଅଫରମାନ ମିଳିବା ଆରମ୍ଭ ହୋଇଥିଲା । ସୁଲକ୍ଷଣା ହେରାଫେରି, ଅପ୍‌ନାପନ୍‌, ଖାନ୍‌ଦାନ୍‌, ୱକ୍ତ କୀ ଦିୱାର ଭଳି ଲୋକପ୍ରିୟ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ରାଜେଶ ଖାନ୍ନା, ସଞ୍ଜୀବ କୁମାର, ଜିତେନ୍ଦ୍ର, ବିନୋଦ ଖାନ୍ନା, ଶଶି କପୁର ଏବଂ ଶତ୍ରୁଘ୍ନ ସିହ୍ନାଙ୍କ ଭଳି କିମ୍ବଦନ୍ତୀ ଅଭିନେତାଙ୍କ ସହ ସେ କାମ କରିଛନ୍ତି । ୧୯୭୦ ଓ ୧୯୮୦ ଦଶକରେ ସୁଲକ୍ଷଣା ଜଣେ ଜଣାଶୁଣା ଅଭିନେତ୍ରୀ ତଥା ଗାୟିକା ଭାବେ ବେଶ୍‌ ନାଁ କମାଇଥିଲେ । ୧୯୭୫ରେ ‘ଉଲ୍‌ଝନ୍‌’ ଚଳଚ୍ଚିତ୍ରରୁ ତାଙ୍କର ବଲିଉଡ୍‌ ଏଣ୍ଟ୍ରି ହୋଇଥିଲା ।

​​​​​​​

ସୁଲକ୍ଷଣାଙ୍କ ଅଧୁରା ପ୍ରେମ କାହଣୀ- ସୁଲକ୍ଷଣା ଅଭିନେତା ସଞ୍ଜୀବ କୁମାରଙ୍କୁ ପ୍ରେମ କରୁଥିଲେ । ତାଙ୍କୁ ହିଁ ବିବାହ କରିବାକୁ ଚାହୁଁଥିଲେ । ସଞ୍ଜୀବ କିନ୍ତୁ ହେମା ମାଲିନୀଙ୍କୁ ଭଲ ପାଉଥିଲେ । ସଞ୍ଜୀବଙ୍କ ବିବାହ ପ୍ରସ୍ତାବକୁ ହେମା ପ୍ରତ୍ୟାଖ୍ୟାନ କରିଦେବା ପରେ ସୁଲକ୍ଷଣା ତାଙ୍କୁ ପ୍ରସ୍ତାବ ଦେଇଥିଲେ । ସଞ୍ଜୀବ ପ୍ରତ୍ୟାଖ୍ୟାନ କରିଦେବା ପରେ ସୁଲକ୍ଷଣା କଦାପି ବିବାହ କରି ନ ଥିଲେ । ଏଥିସହିତ ସୁଲକ୍ଷଣା ଅବସାଦଗ୍ରସ୍ତ ହୋଇପଡ଼ିଥିଲେ । ୧୯୮୫ ନଭେମ୍ବର ୬ରେ ସଞ୍ଜୀବଙ୍କ ଦେହାନ୍ତ ପରେ ସେ ଆହୁରି ଭାଙ୍ଗିପଡ଼ିଥିଲେ ଏବଂ ଚଳଚ୍ଚିତ୍ର ଶିଳ୍ପକୁ ଅଲ୍‌ବିଦା କହିଥିଲେ । ନଭେମ୍ବର ୬ରେ ସଞ୍ଜୀବଙ୍କର ପରଲୋକ ହୋଇଥିଲା । ସଂଯୋଗବଶତଃ, ସମାନ ତାରିଖରେ ସୁଲକ୍ଷଣାଙ୍କର ଦେହାନ୍ତ ଘଟିଛି । ତାଙ୍କ ବିୟୋଗରେ ବଲିଉଡ୍‌ ଶିଳ୍ପରେ ଶୋକର ଛାୟା ଖେଳିଯାଇଛି ।