ମୁମ୍ବାଇ,୩୧/୦୫: ପୁଞ୍ଜି ବଜାର ନିୟାମକ ସେବି ବଲିଉଡ୍‌ ଅଭିନେତା ଅର୍ସଦ ୱର୍ସି, ତାଙ୍କ ପତ୍ନୀ ଏବଂ ଭାଇଙ୍କୁ ବର୍ଷକ ପାଇଁ  ସିକ୍ୟୁରିଟି ବଜାରରୁ ବ୍ୟାନ୍‌ କରିଛି । ଅର୍ସଦଙ୍କ ବ୍ୟତୀତ ଆଉ ୫୮ ଜଣଙ୍କୁ  ମଧ୍ୟ ବଜାରରୁ ବ୍ୟାନ୍‌  କରାଯାଇଛି । 

ସେବିର  କହିବାନୁସାରେ, ଏହି  ବ୍ୟକ୍ତିମାନେ ବଜାରରେ ଜାଲିଆତି କାର୍ଯ୍ୟରେ ଜଡ଼ିତ ରହିଥିଲେ । ସେବି ବର୍ଷକ ପାଇଁ  ବ୍ୟାନ୍‌ କରିବା ସହିତ କିଛି  ଲୋକଙ୍କ ଉପରେ ୫ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ବି ଲଗାଇଛି ।  ମୋଟ ୧.୦୫ କୋଟି ଟଙ୍କାର ଅବୈଧ ଆୟକୁ ଜବତ କରିବା ଲାଗି  ନିର୍ଦ୍ଦେଶ ଦେଇଛି ସେବି । ଏହି କାର୍ଯ୍ୟାନୁଷ୍ଠାନ ସାଧନା ବ୍ରଡ୍‌କାଷ୍ଟ  ଲିମିଟେଡ୍‌ର ସେୟାର ହେରଫେର ପାଇଁ ନିଆଯାଇଛି । ସେବି  ଅନୁସାରେ, ଏହି ବ୍ୟକ୍ତିମାନେ ସେୟାର ମୂଲ୍ୟକୁ ମନମୁଖୀ ଭାବେ  ବଢ଼ାଇ ତାହାକୁ ଉଚ୍ଚ ଦରରେ ବିକ୍ରି କରୁଥିଲେ ।