ବ୍ରହ୍ମପୁର, ୨୭/୧୦: ରାଜନୈତିକ ଓ  ପୂର୍ବଶତ୍ରୁତାରୁ ଆଇନଜୀବୀ ତଥା ବିଜେପି ନେତା  ପୀତବାସ ପଣ୍ଡାଙ୍କୁ ହତ୍ୟା ଷଡ଼ଯନ୍ତ୍ର ରଚାଯାଇଥିବା  ପୁଲିସ ସ୍ପଷ୍ଟ କରିସାରିଛି । ବିଜେଡି ଜିଲ୍ଲା ସଭାପତି  ତଥା ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା,  କର୍ପୋରେଟର ମଳୟ ବିଷୋୟୀ, ବିଜେଡି ନେତା  ମଦନ ଦଳେଇଙ୍କ ସହ ୧୩ ଜଣଙ୍କୁ କୋର୍ଟ ଚାଲାଣ  କରିଛି। ଅଭିଯୁକ୍ତଙ୍କ ବିରୋଧରେ ତଥ୍ୟ ପ୍ରମାଣ  ଯୋଗାଡ଼ କରିବାକୁ ପୁଲିସ ଆପ୍ରାଣ ଉଦ୍ୟମ ଚଳାଇଛି । ବଡ଼ ପ୍ରମାଣ ପୁଲିସ ହାତରେ ଲାଗିଥିବା ସୂଚନା  ମିଳିଛି । ଅଭିଯୁକ୍ତ ମଦନ ଦଳେଇ ଅଭିଯୁକ୍ତଙ୍କୁ ଆଶ୍ରୟ ଦେବା ପାଇଁ ତାଙ୍କ ସମ୍ପର୍କୀୟଙ୍କ ମୋବାଇଲ୍‌ ଫୋନ୍‌ ବ୍ୟବହାର କରିଥିଲେ । ରବିବାର ମଦନ ଦଳେଇ ସମ୍ପର୍କୀୟଙ୍କ ମୋବାଇଲ୍‌ ଫୋନ୍‌ ଜବତ କରାଯାଇଛି ।

ଗତ ୬  ତାରିଖରେ ପୀତବାସ ପଣ୍ଡାଙ୍କୁ ବ୍ରହ୍ମପୁର ବୈକୁଣ୍ଠନଗର  ଛକରେ ଗୁଳି କରି ହତ୍ୟା କରାଯାଇଥିଲା । ହତ୍ୟା  ପରେ ସୁଟର ଓ ଅନ୍ୟ ଅଭିଯୁକ୍ତମାନେ ଫେରାର ହୋଇ  ବିଭନ୍ନ ଜାଗାରେ ଆଶ୍ରୟ ନେଇଥିଲେ । ଉମା ବିଷୋୟୀ  ଓ କୁରୁପତି ଭୂୟାଁ ଜୟପୁରରେ ବିକ୍ରମଙ୍କ ଘନିଷ୍ଠ  ବନ୍ଧୁ ସୁନିଲ ହୋତାଙ୍କ ଫାର୍ମହାଉସ୍‌ରେ ଆତ୍ମଗୋପନ  କରିଥିବା ପୂର୍ବରୁ ଏସ୍‌ପି ଡା.ସରବଣା ବିବେକ ଏମ୍‌  ସୂଚନା ଦେଇଥିଲେ । ଉଭୟଙ୍କୁ ଆଶ୍ରୟ ଦେବାକୁ ମଦନ  ଦଳେଇ ଫୋନ୍‌ କରି ସୁନିଲ ହୋତାଙ୍କୁ କହିଥିବା  ପ୍ରମାଣ ପୁଲିସ ହାତରେ ଲାଗିଛି । ସମ୍ପର୍କୀୟଙ୍କ  ମୋବାଇଲ ଫୋନରୁ ସେ ସୁନିଲ ହୋତାକୁ ଫୋନ୍‌  କରିଥିବା ମିଳିଥିବା ସିଡିଆର୍‌ (କଲ୍‌ ଡିଟେଲ୍‌  ରିପୋର୍ଟ) ଅନୁସନ୍ଧାନରେ ଜଣାପଡିଥିଲା ।  ସେହି ମୋବାଇଲ୍‌ ଫୋନ୍‌ ଜବତ ହୋଇଛି ।  ସେପଟେ ଏହି କେସ୍‌ର ତଦନ୍ତ ଜାରି ରଖିଛି ପୁଲିସ ।  ସନ୍ଦେହରେ ଥିବା ବିଭିନ୍ନ ଲୋକଙ୍କୁ ଥାନାକୁ ଡାକି  ପଚରାଉଚରା କରୁଛି । ରବିବାର ବିକ୍ରମ ପଣ୍ଡାଙ୍କ ଜଣେ  ଘନିଷ୍ଠ କର୍ପୋରେଟରଙ୍କୁ ପୁଲିସ ଥାନାକୁ ଡାକି  ପଚରାଉଚରା କରିବା ପରେ ଛାଡିଛି । ତଦନ୍ତରେ  ସହଯୋଗ କରିବାକୁ ଯେତେବେଳେ ଥାନାକୁ  ଆସିବାକୁ କୁହାଯିବ ସେତେବେଳେ ଆସିବାକୁ  ପୁଲିସ ପକ୍ଷରୁ କୁହାଯାଇଛି ।