ନୂଆଦିଲ୍ଲୀ,୧୭/୦୩; ଇରାନ-ଇସ୍ରାଏଲ-ଆମେରିକା ଯୁଦ୍ଧ ବିଶ୍ୱକୁ ଚିନ୍ତାରେ ପକାଇଛି । ଏହି ସଂଘର୍ଷ ମଧ୍ୟରେ, ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରେ ଲାଗିଛି। ଗତ କିଛି ଦିନ ଧରି ଉଭୟ ଦେଶ ପରସ୍ପର ଉପରେ ଲଗାତାର ଆକ୍ରମଣ କରି ଆସୁଛନ୍ତି । ଆଫଗାନିସ୍ତାନ ରାଜଧାନୀ କାବୁଲରେ ପାକିସ୍ତାନର ପ୍ରଚଣ୍ଡ ଏୟାରଷ୍ଟ୍ରାଇକ୍ । କାବୁଲର ଏକ ହସ୍ପିଟାଲ ଉପରକୁ ପାକିସ୍ତାନ ଆଟାକ୍ କରିଥିବା ଆଫଗାନ ସରକାରଙ୍କ ଦାବି କରିଛି । ହସ୍ପିଟାଲଟି ଧ୍ୱଂସ ହୋଇଛି । ଏହି ଏୟାରଷ୍ଟ୍ରାଇକରେ ୪୦୦ ଜଣଙ୍କର ମୃତ ହୋଇଥିବା ଖବର ମିଳିଛି । ୨୫୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି । ମୃତାହତଙ୍କ ସଂଖ୍ୟା ଆହୁରି ବଢିପାରେ କହିଛି ତାଲିବାନ ସରକାର । ତାଲିବାନ ସରକାରଙ୍କ ଅଭିଯୋଗକୁ ଖଣ୍ଡନ କରିଛି ପାକିସ୍ତାନ । ଆତଙ୍କୀ ଆଡ୍ଡାକୁ ନଷ୍ଟ କରାଯାଇଥିବା ପାକିସ୍ତାନର ସୂଚନା । ସେପଟେ ପାକିସ୍ତାନର ଏହି ଆକ୍ରମଣକୁ ନେଇ ଆଫଗାନ କ୍ରିକେଟର ପାକିସ୍ତାନକୁ ସମାଲୋଚନା କରିଛନ୍ତି ।
ଆଫଗାନିସ୍ତାନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମୁଖପାତ୍ର ଶରାଫତ ଜମାନ କହିଛନ୍ତି ଯେ କାବୁଲର ଏକ ହସ୍ପିଟାଲ ଯାହା ନିଶା ନିବାରଣ କେନ୍ଦ୍ର ଭାବରେ ବ୍ୟବହୃତ ହେଉଥିଲା । ତାହା ଉପରେ ଆକ୍ରମଣ ହୋଇଛି । ଯେଉଁଥିରେ ଅନେକ ନୀରିହ ଲୋକଙ୍କ ଜୀବନ ଯାଇଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ମୁଖପାତ୍ର ମୋଶରଫ ଜୈଦି ଆଫଗାନିସ୍ତାନର ଏହି ଅଭିଯୋଗକୁ ଖଣ୍ଡନ କରି ଭିତ୍ତିହୀନ ବୋଲି କହିଛନ୍ତି । ଆକ୍ରମଣ ସଠିକ ଥିଲା ଏବଂ ଆତଙ୍କବାଦୀ ଭିତ୍ତିଭୂମିକୁ ଟାର୍ଗେଟ କରାଯାଇଥିଲା ବୋଲି କହିଛନ୍ତି ପାକିସ୍ତାନ ।
ଅଭିଯୋଗକୁ ପାକିସ୍ତାନର ପ୍ରତ୍ୟାଖ୍ୟାନ- ଆଫଗାନିସ୍ତାନରେ ହୋଇଥିବା ଏହି ଆକ୍ରମଣରେ ଶହ ଶହ ଲୋକ ପ୍ରାଣ ହରାଇଛନ୍ତି । ତାଲିବାନ ଦାବି କରିଛି ଯେ, ଏହି ଆକ୍ରମଣ ପାକିସ୍ତାନ ଦ୍ୱାରା କରାଯାଇଛି ଏବଂ କହିଛି ଯେ ଏପରି ଆକ୍ରମଣ ମାନବତା ବିରୋଧୀ । ପାକିସ୍ତାନ ତାଲିବାନ ଦାବିକୁ ସମ୍ପୂର୍ଣ୍ଣ ଭାବରେ ପ୍ରତ୍ୟାଖ୍ୟାନ କରିଛି । ପାକିସ୍ତାନୀ ଅଧିକାରୀ ଏବଂ ନେତାମାନେ କହିଛନ୍ତି ଯେ ସେମାନେ କୌଣସି ହସ୍ପିଟାଲକୁ ଟାର୍ଗେଟ କରି ନାହାଁନ୍ତି ।
ଏହା ବି ପଢନ୍ତୁ...ହୋର୍ମୁଜ ସଙ୍କଟ ମଧ୍ୟରେ ଇରାନ ଭାରତ ସାମ୍ନାରେ ରଖିଲା ଏହି ସର୍ତ୍ତ ?
ଆଫଗାନିସ୍ତାନ କ୍ରିକେଟର ରସିଦ ଖାନ ଆଫଗାନିସ୍ତାନ ଉପରେ ହୋଇଥିବା ଆକ୍ରମଣ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଆକ୍ରମଣର ଭିଡିଓ ସେୟାର କରିଛନ୍ତି ଏବଂ ଏହି ମାମଲାରେ ଜାତିସଂଘର ହସ୍ତକ୍ଷେପ ପାଇଁ ଆହ୍ୱାନ କରିଛନ୍ତି ।
ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଜାରି- ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଏହି ଉତ୍ତେଜନା ବହୁ ଦିନ ଧରି ଜାରି ରହିଛି । ଉଭୟ ଦେଶ ପରସ୍ପର ଉପରେ ଆକ୍ରମଣ କରି ଆସୁଛନ୍ତି । ଏହି ଆକ୍ରମଣରେ ଏପର୍ଯ୍ୟନ୍ତ ଶହ ଶହ ଲୋକ ପ୍ରାଣ ହରାଇଛନ୍ତି । ଗୋଟିଏ ସପ୍ତାହ ମଧ୍ୟରେ ଆଫଗାନିସ୍ତାନରେ ଦ୍ୱିତୀୟ ବଡ଼ ଆକ୍ରମଣ । ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ସଂଘର୍ଷ ଫେବୃଆରୀ ୨୨ ତାରିଖରେ ଆରମ୍ଭ ହୋଇଥିଲା । ପାକିସ୍ତାନ ଆଫଗାନିସ୍ତାନର ସୀମାବର୍ତ୍ତୀ ଅଞ୍ଚଳରେ ଏୟାରଷ୍ଟ୍ରାଇକ କରିଥିଲା।