ନୂଆଦିଲ୍ଲୀ,୧୮।୨: ଆଫଗାନିସ୍ତାନରେ ମହିଳାଙ୍କ ଦୟନୀୟ ସ୍ଥିତି କାହାକୁ ଅଛପା ନାହିଁ। ୨୦୨୧ରେ ତାଲିବାନ ସରକାର ଆସିବା ପରେ ମହିଳାଙ୍କ ଅଧିକାର ଲଗାତାର ଖରାପ ହେବାରେ ଲାଗିଛି। ତାଲିବାନୀ ଦେଶରେ ମହିଳାଙ୍କ ଶିକ୍ଷା, ବାହାରକୁ ଯିବା ଏବଂ ସାର୍ବଜନୀନ ସ୍ଥାନରେ ହସିବା ଉପରେ ବି କଟକଣା ଲଗାଇ ଦିଆଯାଇଛି। ଏହା ଭିତରେ ଆଫଗାନିସ୍ତାନରେ ମହିଳାଙ୍କ ବିରୋଧରେ ହିଂସାକୁ ମଧ୍ୟ ଆଇନଗତ ଲାଇସେନ୍ସ ମିଳିଛି। ତାଲିବାନ ସରକାର ଏକ ନୂତନ କ୍ରିମିନାଲ କୋଡ୍ ଲାଗୁ କରିଛି, ଯାହା ମାନବାଧିକାର ଗୋଷ୍ଠୀଙ୍କ ମଧ୍ୟରେ ଚିନ୍ତା ସୃଷ୍ଟି କରିଛି। ସର୍ବୋଚ୍ଚ ନେତା ହିବାତୁଲ୍ଲାହ ଆଖୁନ୍ଦଜାଦା ମଧ୍ୟ ଏଥିରେ ସ୍ୱାକ୍ଷର କରିଛନ୍ତି। ଏହି ଆଇନ କାର୍ଯ୍ୟକାରୀ ହେବା ପରେ ମହିଳାମାନେ ଅସୁବିଧାର ସମ୍ମୁଖୀନ ହେବେ।
୯୦ ପୃଷ୍ଠାର କ୍ରିମିନାଲ୍ କୋଡ୍ରେ ତାଲିବାନର ସର୍ବୋଚ୍ଚ ନେତା ହିବତୁଲ୍ଲାହ ଅଖୁନ୍ଦଜାଦା ସାକ୍ଷର କରିଛନ୍ତି। ଏହି ନୂଆ ଆଇନ ମହିଳାଙ୍କ ପାଇଁ କୌଣସି ସଜାଠାରୁ କମ୍ ନୁହେଁ। ନୂଆ ନିୟମକୁ, ‘ଦେ ମହାକୁମୁ ଜଜାଇ ଉସୁଲନାମା’ ନାଁ ଦିଆଯାଇଛି। ତାଲିବାନ ସରକାରଙ୍କ ଦ୍ବାରା ପୁରା ଦେଶରେ ଲାଗୁ କରାଯାଇଥିବା ଏହି ଆଇନ ଅନୁସାରେ,ଦଣ୍ଡର ପ୍ରକୃତି ଏହି ଆଧାରରେ ଧାର୍ଯ୍ୟ କରାଯିବ ଯେ, ପୀଡିତ ବ୍ୟକ୍ତି ‘ସ୍ବାଧୀନ’ କି ଗୋଲାମ। ଏହି ବ୍ୟବସ୍ଥା ସମାଜରରେ ଉଚ୍ଚ-ନୀଚ୍ଚ ଭେଦଭାବ ସୃଷ୍ଟି କରିବ। ଇସଲାମିକ ଧର୍ମଗ୍ରନ୍ଥର ପୁରୁଣା ବ୍ୟବସ୍ଥା ଅନ୍ତର୍ଭୁକ୍ତ କରାଯାଇଛି। ଏହା ଉଚ୍ଚପଦସ୍ଥ ଧାର୍ମିକ ନେତାମାନଙ୍କୁ ଫୌଜଦାରୀ ମାମଲାରୁ ପ୍ରାୟ ଛାଡ ପ୍ରଦାନ ମିଳିଥାଏ। ଶ୍ରମିକ ଶ୍ରେଣୀର ବ୍ୟକ୍ତିଙ୍କୁ କଠୋର ଦଣ୍ଡ ପ୍ରଦାନ କରେ।
ଏହି ଆଇନରେ କୁହାଯାଇଛି ଯେ ମାଲିକ ନିଜର ଦାସକୁ କିମ୍ବା ସ୍ୱାମୀ ନିଜର ସ୍ତ୍ରୀମାନଙ୍କୁ ମାଡ଼ ମାରିବା ଭଳି ଇଚ୍ଛାଧିନ ଦଣ୍ଡ ଦେଇପାରିବେ। ଏହି ଆଇନରେ ସ୍ୱାମୀଙ୍କ ଅନୁମତି ବିନା ସ୍ତ୍ରୀ ନିଜ ସମ୍ପର୍କୀୟଙ୍କୁ ଭେଟିଲେ ତିନି ମାସ ପାଇଁ ଜେଲ୍ ବ୍ୟବସ୍ଥା ଅଛି। ଗୁରୁତର ଅପରାଧ ପାଇଁ ଶାରୀରିକ ଦଣ୍ଡ ଇସଲାମିକ ଧର୍ମଗୁରୁଙ୍କ ଦ୍ୱାରା ପରିଚାଳିତ ହେବ। ଏହା ବ୍ୟତୀତ, ଛୋଟଛୋଟ ଭୁଲ କିମ୍ବା ଅପରାଧ ପାଇଁ, ସ୍ୱାମୀମାନେ ସେମାନଙ୍କର ଅପରାଧୀ ପତ୍ନୀଙ୍କୁ ମାଡ଼ ମାରି ଦଣ୍ଡ ଦେଇପାରିବେ।
ଏହି ଆଇନ ଆକ୍ରମଣର ଶିକାର ହୋଇଥିବା ମହିଳାମାନଙ୍କୁ ନ୍ୟାୟ ପ୍ରଦାନ କରେ, କିନ୍ତୁ ସେମାନଙ୍କୁ ବିଚାରପତିଙ୍କ ନିକଟରେ ପ୍ରମାଣ କରିବାକୁ ପଡିବ। ସେମାନଙ୍କୁ ନିଜର କ୍ଷତ ଦେଖାଇବାକୁ ପଡିବ ଯେ,ସେମାନେ ଗୁରୁତର ଶାରୀରିକ କ୍ଷତି ସହିଛନ୍ତି। ତେବେ ଏହି ସମୟରେ ତାଙ୍କର ଶରୀର କପଡାରେ ସମ୍ପୂର୍ଣ୍ଣ ଘୋଡାଇ ରଖିବାକୁ ପଡିବ। ଏହା ବ୍ୟତୀତ, ନୂତନ ସଂହିତା ଅନୁଯାୟୀ, ଯଦିଓ ଜଣେ ଆଫଗାନ ମହିଳା ସମସ୍ତ ଆଇନଗତ ଏବଂ ସାମାଜିକ କଟକଣାକୁ ଅତିକ୍ରମ କରନ୍ତି ଏବଂ ପ୍ରମାଣ କରନ୍ତି ଯେ ତାଙ୍କ ସ୍ୱାମୀ ତାଙ୍କୁ ଗୁରୁତର ଭାବରେ ଆକ୍ରମଣ କରିଛନ୍ତି, ତଥାପି ସ୍ୱାମୀଙ୍କୁ ସର୍ବାଧିକ ୧୫ ଦିନ ଜେଲ ଦଣ୍ଡ ଦିଆଯିବ। ବିଶେଷଜ୍ଞଙ୍କ ମତରେ ଏହି ଆଇନ ଦ୍ବାରା ମହିଳାଙ୍କ ବିରୋଧରେ ହିଂସା ବେଲଗାମ ହୋଇଯିବ। କାବୁଲର ଜଣେ ମହିଳା ଆଇନ ପରାମର୍ଶଦାତା କହିଛନ୍ତି, ମହିଳାଙ୍କ ପାଇଁ ନ୍ୟାୟ ପାଇବା ଏବେ ଖୁବ୍ କଷ୍ଟକର ଏବଂ ଦୀର୍ଘ ପକ୍ରିୟା ହୋଇଯିବ।
ଆହୁରି ପଢନ୍ତୁ :ଚୀନ 'ରୋବୋ ଡଗ୍' ବିବାଦ ପରେ ଗଲଗୋଟିୟା ୟୁନିଭର୍ସିଟି ବିଦା, ଏଆଇ ଇମ୍ପାକ୍ଟ ସିମିଟ୍ରେ ସରକାରଙ୍କ ବଡ଼ ଆକ୍ସନ