ନୂଆଦିଲ୍ଲୀ, ୩।୪: ପାକିସ୍ତାନ ଓ ଆଫଗାନିସ୍ତାନ ସୀମାରେ ସ୍ଥିତି ଅତ୍ୟନ୍ତ ଭୟଙ୍କର ହୋଇପଡ଼ିଛି । ଡୁରାଣ୍ଡ ଲାଇନ୍ ଅତିକ୍ରମ କରି ଆଫଗାନିସ୍ତାନ ସେନା ପକ୍ଷରୁ ପାକିସ୍ତାନ ସୀମା ଭିତରେ ଏକ ବଡ଼ ଧରଣର ‘ସର୍ଜିକାଲ ଷ୍ଟ୍ରାଇକ୍’ କରାଯାଇଥିବା ଖବର ସାମ୍ନାକୁ ଆସିଛି । ଖୋସ୍ତ ଖୁର୍ରମ ବର୍ଡର ନିକଟରେ ହୋଇଥିବା ଏହି ଆକ୍ରମଣରେ ପାକିସ୍ତାନ ସେନାର ବ୍ୟାପକ କ୍ଷୟକ୍ଷତି ଘଟିଛି । ସୂଚନା ଅନୁସାରେ, ଆଫଗାନିସ୍ତାନ ସେନା ଖୁର୍ରମ ଅଞ୍ଚଳରେ ଥିବା ପାକିସ୍ତାନୀ ସେନା ଛାଉଣୀ ଉପରେ ଅତର୍କିତ ଆକ୍ରମଣ କରିଥିଲେ । ଏହି କାର୍ଯ୍ୟାନୁଷ୍ଠାନ ସମୟରେ ଆଫଗାନ ସୈନିକମାନେ ପାକିସ୍ତାନର ଏକ ସେନା ଗାଡ଼ିକୁ ଜାଳି ଦେବା ସହ ଏକାଧିକ ସେନା ଆସ୍ଥାନକୁ ମଧ୍ୟ ନଷ୍ଟ କରିଦେଇଛନ୍ତି । ଘଟଣାସ୍ଥଳରୁ ଆସୁଥିବା ଚିତ୍ର ଅନୁସାରେ, ପାକିସ୍ତାନୀ ସେନା ଆସ୍ଥାନରୁ କଳା ଧୂଆଁ ବାହାରୁଥିବା ଦେଖିବାକୁ ମିଳିଛି ।
ଏହା ବି ପଢ଼ନ୍ତୁ... ଏଭରେଷ୍ଟ ଶୃଙ୍ଗରେ ଭୟଙ୍କର ଦୁର୍ନୀତି : ଖାଦ୍ୟରେ ବେକିଂ ସୋଡ଼ା ମିଶାଇ ଅସୁସ୍ଥ କରନ୍ତି, ହେଲିକପ୍ଟରରେ ଉଦ୍ଧାର କରି ମୋଟା ଅଙ୍କ ଅସୁଲ କରନ୍ତି
ଟ୍ୟାଙ୍କ ଓ ଆର୍ଟିଲାରୀରୁ ମାଡ଼, ୩ ମୃତ:
ଏହି ଅପରେସନରେ ଆଫଗାନିସ୍ତାନ ସେନା କେବଳ ବନ୍ଧୁକ ନୁହେଁ, ବରଂ ଭାରି ଆର୍ଟିଲାରୀ ଏବଂ ଟ୍ୟାଙ୍କ ସାହାଯ୍ୟରେ ଲଗାତାର ଗୋଳାବାରୁଦ ବର୍ଷଣ କରିଛି । ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ ପର୍ଯ୍ୟନ୍ତ ଏହି ସଂଘର୍ଷ ଜାରି ରହିଥିଲା । ପ୍ରାଥମିକ ରିପୋର୍ଟ ଅନୁଯାୟୀ ୩ ଜଣ ପାକିସ୍ତାନୀ ସୈନ୍ୟଙ୍କର ମୃତ୍ୟୁ ଘଟିଛି । ୧୨ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଏହି ସର୍ଜିକାଲ ଷ୍ଟ୍ରାଇକ୍ ପଛରେ ଏକ ବଡ଼ କାରଣ ରହିଛି । ଗତ ମାର୍ଚ୍ଚ ୩ ତାରିଖରେ ପାକିସ୍ତାନ ସେନା ଆଫଗାନିସ୍ତାନର କୁନାର ପ୍ରାନ୍ତରେ ଆକ୍ରମଣ କରିଥିଲା, ଯେଉଁଥିରେ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ହେବା ସହ ଅନେକ ମହିଳା ଓ ଶିଶୁ ଆହତ ହୋଇଥିଲେ । ଏହାର ପ୍ରତିଶୋଧ ନେବା ପାଇଁ ଆଫଗାନିସ୍ତାନ ଏହି ବଡ଼ ପଦକ୍ଷେପ ନେଇଛି ।
କାହିଁକି ବଢ଼ୁଛି ବିବାଦ ?
ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ସମ୍ପର୍କ ଏବେ ସବୁଠାରୁ ଖରାପ ସ୍ଥିତିରେ ଅଛି । ପାକିସ୍ତାନ ଅଭିଯୋଗ କରୁଛି ଯେ, ଆଫଗାନିସ୍ତାନର ତାଲିବାନ ସରକାର ଟିଟିପି ଆତଙ୍କବାଦୀଙ୍କୁ ପ୍ରଶ୍ରୟ ଦେଉଛନ୍ତି । ଆଫଗାନିସ୍ତାନ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିବା ସହ କହିଛି ଯେ, ପାକିସ୍ତାନ ନିଜ ଅସଫଳତା ଲୁଚାଇବା ପାଇଁ ଅନ୍ୟକୁ ଦୋଷ ଦେଉଛି । ବର୍ତ୍ତମାନ ସୀମାରେ ଦୁଇ ଦେଶର ସେନା ମୁହାଁମୁହିଁ ସ୍ଥିତିରେ ଅଛନ୍ତି, ଯାହା ଆଗାମୀ ଦିନରେ ଏକ ବଡ଼ ଯୁଦ୍ଧର ରୂପ ନେଇପାରେ ବୋଲି ଆଶଙ୍କା କରାଯାଉଛି ।