କାବୁଲ/ଇସଲାମାବାଦ, ୨୧/୦୫ : ‘ଅପରେସନ ସିନ୍ଦୂର’ର ପ୍ରଚଣ୍ଡ ପ୍ରହାରରେ ତ୍ରାହି ତ୍ରାହି ଡାକି ଯୁଦ୍ଧବିରତିକୁ ଆପଣାଇଥିବା ପାକିସ୍ତାନ ପାଇଁ ଆହୁରି ସଙ୍କଟ ମାଡ଼ି ଆସୁଛି । ଭାରତ ପରେ ଏବେ ଆଫଗାନିସ୍ତାନ ମଧ୍ୟ ପାକିସ୍ତାନକୁ ପାଣି ଛାଡ଼ିବ ନାହିଁ ବୋଲି କହିଦେଇଛି । କୁନାର ନଦୀ ଉପରେ ଆଫଗାନିସ୍ତାନ ଡ୍ୟାମ୍‌ ନିର୍ମାଣ ଲାଗି ପ୍ରସ୍ତୁତି ଚଳାଇଥିବା ଜାଣିବାକୁ ମିଳିଛି । ତାଲିବାନୀ ସେନାର ଚିଫ୍‌ ଜେନେରାଲ ମୁବିନ ଖାନ କୁନାର ନଦୀ ଉପରେ ପ୍ରସ୍ତାବିତ ଡ୍ୟାମ୍‌ର ନିରୀକ୍ଷଣ ଲାଗି ପ୍ରକଳ୍ପ ଅଞ୍ଚଳ ପରିଦର୍ଶନ କରିଛନ୍ତି । ସେ କହିଛନ୍ତି, କୁନାର ନଦୀର ପାଣି ଆମ ରକ୍ତ ଭଳି, ଏହାକୁ ଆମେ ପାକିସ୍ତାନ ପାଇଁ ବହିବାକୁ ଦେବୁନାହୁଁ । ବେଲୁଚ ନେତା ମୀର୍‌ ୟାର ବେଲୁଚ ଜେନେରାଲ ମୁବିନଙ୍କ ଏହି ଗସ୍ତର ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି । 

ଜେନେରାଲ ମୁବିନ ଏହି ଭିଡିଓରେ ତାଲିବାନ ସରକାରକୁ ଡ୍ୟାମ୍‌ ନିର୍ମାଣ ପାଇଁ ପାଣ୍ଠି ଯୋଗାଡ଼ ଲାଗି ଅପିଲ୍‌ କରୁଥିବା ଦେଖିବାକୁ ମିଳିଛି । ସେ କହିଛନ୍ତି, ଆମକୁ ପାଣି ରୋକିବାକୁ ହେବ । ଏହାଦ୍ୱାରା ଆମର ବିଜୁଳି ଚାହିଦା ପୂରଣ ହେବ ଏବଂ ଆମେ ନିଜ ଚାଷଜମିରେ ପାଣି ବ୍ୟବହାର କରି ପ୍ରଚୁର ଫସଲ ଅମଳ କରିବୁ । ତାଲିବାନର ଜଳ ଓ ଶକ୍ତି ମନ୍ତ୍ରଣାଳୟ ମୁଖପାତ୍ର ମତିଉଲ୍ଲାହ ଆବିଦ କହିଛନ୍ତି, ଏହି ପ୍ରସ୍ତାବିତ ଡ୍ୟାମ୍‌ର ସର୍ଭେ ଓ ଡିଜାଇନ୍‌ ପ୍ରସ୍ତୁତ ହୋଇସାରିଛି । କିନ୍ତୁ ଏହାକୁ ନିର୍ମାଣ ଲାଗି ପାଣ୍ଠି ଆବଶ୍ୟକ । ଏହି ପ୍ରକଳ୍ପ ଶେଷ ହେବା ପରେ ୪୫ ମେଗାୱାଟ ବିଜୁଳି ଉତ୍ପାଦନ ହେବ । ଏଥିସହ ୧.୫ ଲକ୍ଷ ଏକର ଜମିକୁ ଜଳସେଚନ ହୋଇପାରିବ । ଫଳରେ ଆଫଗାନିସ୍ତାନରେ ବିଦ୍ୟୁତ ଓ ଖାଦ୍ୟ ସୁରକ୍ଷାରେ ସୁଧାର ଆସିବ। 

ଏପ୍ରିଲ ୨୨ରେ ପହଲଗାମ୍‌ ଆତଙ୍କୀ ଆକ୍ରମଣ ଘଟଣା ପରେ ଭାରତ ସରକାର ପାକିସ୍ତାନ ବିରୋଧରେ ପ୍ରଥମେ କୂଟନୈତିକ କାର୍ଯ୍ୟାନୁଷ୍ଠାନ ନେଇ ସିନ୍ଧୁ ନଦୀ ଜଳ ଚୁକ୍ତି ରଦ୍ଦ କରିଦେଇଥିଲେ । ଫଳରେ ସିନ୍ଧୁ, ଚେନାବ ଓ ଝେଲମ୍‌ ନଦୀର ଜଳକୁ ରୋକି ଦିଆଯାଇଛି । ଏହାଯୋଗୁ ପାକିସ୍ତାନରେ ଜଳ ସଙ୍କଟ ଉପୁଜିଛି । ଏଭଳି ସ୍ଥିତିରେ ଆଫଗାନିସ୍ତାନ ଯଦି ଏହାକୁ ପାଣି ରୋକିଦିଏ, ତେବେ ପାକ୍‌ରେ ଜଳ ପାଇଁ ହାହାକାର ସ୍ଥିତି ଉପୁଜିବ । ସେପଟେ ବେଲୁଚ ବିଦ୍ରୋହୀମାନେ ମଧ୍ୟ ପାକିସ୍ତାନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛନ୍ତି । ଗତ ମାସକ ମଧ୍ୟରେ ବିଦ୍ରୋହୀମାନେ ପାକିସ୍ତାନର ୫୮ଟି ସ୍ଥାନରେ ୭୮ଟି ଆକ୍ରମଣ କରିଥିବା ଦାବି କରିଛନ୍ତି । ବିଦ୍ରୋହୀମାନେ ଏହାକୁ ‘ଅପରେସନ ହେରୋଫ୍‌ ୨.୦’ ନାମିତ କରିଛନ୍ତି । 

ପାକିସ୍ତାନରେ ଆହୁରି ଆକ୍ରମଣ ଲାଗି ସେମାନେ ସାନି ଧମକ ଦେଇଛନ୍ତି । ବେଲୁଚ ଲିବରେସନ ଆର୍ମି (ବିଏଲ୍‌ଏ) ପକ୍ଷରୁ ଜାଫର ଏକ୍ସପ୍ରେସ ହାଇଜ୍ୟାକ୍‌ ଘଟଣାର ଭିଡିଓ ଜାରି କରାଯାଇଛି । ଏହି ୩୫ ମିନିଟ୍‌ର ଭିଡିଓରେ ଟ୍ରେନ୍‌ ହାଇଜ୍ୟାକ୍‌ ଘଟଣାର ପ୍ରଥମ ବିସ୍ତୃତ ଭିଜୁଆଲ ରିପୋର୍ଟ ପ୍ରଦାନ କରିଛି । ଏଥିରେ ଦେଖିବାକୁ ମିଳିଛି ଯେ ବିଏଲ୍‌ଏ ଆତଙ୍କୀମାନେ ରେଳ ଧାରଣା ଉପରେ ବିସ୍ଫୋରଣ ଘଟାଇବା ପରେ ପେଶାୱାର ଅଭିମୁଖେ ଯାଉଥିବା ଯାତ୍ରୀବାହୀ ଟ୍ରେନ୍‌କୁ ହାଇଜ୍ୟାକ୍‌ କରିନେଉଛନ୍ତି । ଟ୍ରେନ୍‌ରେ ୪୫୦ରୁ ଅଧିକ ଯାତ୍ରୀ ଥିଲେ । ବିଏଲ୍‌ଏ କହିଛି ଯେ ଏହା ଦୁଇଦିନ ଧରି ଟ୍ରେନ୍‌କୁ ନିଜ ପାଖରେ ରଖିଥିଲା । ଏଥିରେ ୨୦୦ରୁ ଅଧିକ ପାକିସ୍ତାନୀ ସୁରକ୍ଷା କର୍ମୀ, ରେଳ କର୍ମଚାରୀଙ୍କୁ ପଣବନ୍ଦୀ ରଖାଯାଇଥିଲା । ବେଲୁଚିସ୍ତାନକୁ ପାକ୍‌ ଅଧିକୃତ ପ୍ରଦେଶ କହୁଥିବା ପାକିସ୍ତାନୀ ସରକାରକୁ କଡ଼ା ଜବାବ ଦେବା ଲାଗି ବିଏଲ୍‌ଏ ଏହି କାର୍ଯ୍ୟ କରିଥିବା କହିଛି । ଟ୍ରେନ୍‌ ହାଇଜ୍ୟାକ୍‌ ଘଟଣାକୁ ନେଇ ପୂର୍ବରୁ ପାକିସ୍ତାନୀ ସେନା କହିଥିଲା କି ୩୦ ଘଣ୍ଟାର ଅପରେସନରେ ସମସ୍ତ ୩୩ ବିଏଲ୍‌ଏ ଆତଙ୍କୀ ନିପାତ ହୋଇଥିଲେ । ଘଟଣାରେ ୨୩ ସୈନ୍ୟ, ୩ ରେଳ କର୍ମଚାରୀ ଓ ୫ ଜଣ ଯାତ୍ରୀ ପ୍ରାଣ ହରାଇଥିବା ପାକ୍‌ ସରକାର କହିଥିଲେ । 

ବିଏଲ୍‌ଏ ଜାରି କରିଥିବା ସଦ୍ୟ ଭିଡିଓ ଏହାର ଓଲଟା ଦେଖାଇଛି । ଏହି ଘଟଣାରେ କମ୍‌ ସଂଖ୍ୟକ ବେଲୁଚ ବିଦ୍ରୋହୀଙ୍କ ମୃତ୍ୟୁ ଘଟିଥିବା ବିଏଲ୍‌ଏ ଦର୍ଶାଇଛି । ଏହାଛଡ଼ା ଟ୍ରେନ୍‌ରୁ ମହିଳା, ପିଲା ଓ ବରିଷ୍ଠ ନାଗରିକମାନେ କିଭଳି ସୁରକ୍ଷିତ ଭାବେ ବାହାରୁଛନ୍ତି, ତାହା ବି ଦେଖାଯାଇଛି । କିନ୍ତୁ ଏହାକୁ ନିଷ୍ଠୁରତାର ରୂପ ଦେଇଥିଲା ପାକ୍‌ ସେନା । ଭିଡିଓରେ ଜଣେ ମୁଖାପିନ୍ଧା ବିଏଲ୍‌ଏ ବିଦ୍ରୋହୀ କହୁଛି, ଆମର ସଙ୍ଘର୍ଷ ଓ ଯୁଦ୍ଧ ଏଭଳି ସ୍ଥିତିରେ ପହଞ୍ଚିଛି ଯେ ଆମେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରୁଛୁ । ଏକ ବନ୍ଧୁକକୁ ଚୁପ୍‌ କରାଇବା ଲାଗି ଏକ ବନ୍ଧୁକ ଦରକାର । ବିନା ସଙ୍କୋଚରେ ବେଲୁଚ ଯୁବକମାନେ ସେମାନଙ୍କ ଶତ୍ରୁ ଉପରେ ଆକ୍ରମଣ କରିପାରିବେ । ଭିଡିଓରେ ବେଲୁଚ ବିଦ୍ରୋହୀଙ୍କ ତାଲିମ କାର୍ଯ୍ୟକ୍ରମ ବି ଦେଖାଯାଇଛି । ବିଏଲ୍‌ଏ ମଜିଦ ବ୍ରିଗେଡ୍‌ର ଫିଦାୟିନ୍‌ ଶାଖାରେ ଏହି ତାଲିମ ଚାଲିଥିଲା । ଏମିତି କି ବିଏଲ୍‌ଏ ନିଜ ଯୋଦ୍ଧାମାନଙ୍କର ଯୁଦ୍ଧ କୌଶଳ ଓ ଶୃଙ୍ଖଳାକୁ ମଧ୍ୟ ପ୍ରଦର୍ଶନ କରିଛି । ଏହା ଦର୍ଶାଇଛି ଯେ ପାକିସ୍ତାନୀ ସେନାର କାର୍ଯ୍ୟ ଅତ୍ୟନ୍ତ ବିଶୃଙ୍ଖଳିତ । ଏହାର କୌଣସି ଠୋସ ରଣନୀତି କିମ୍ବା ବିଚାର ନାହିଁ । ଉଲ୍ଲେଖଯୋଗ୍ୟ, ମାର୍ଚ୍ଚ ୧୧ରେ ବିଏଲ୍‌ଏ ଜାଫର ଏକ୍ସପ୍ରେସକୁ ହାଇଜ୍ୟାକ୍‌ କରିନେଇଥିଲା ।