ନୂଆଦିଲ୍ଲୀ,୦୨/୦୧: ଅଷ୍ଟ୍ରେଲିଆ ପରେ ଏବେ ଫ୍ରାନ୍ସରେ ପିଲାଙ୍କ ଉପରେ ସୋସିଆଲ ମିଡିଆ କଟକଣା ଲାଗୁ। ଅର୍ଥାତ୍ ୧୫ ବର୍ଷରୁ କମ୍‌ ବୟସର ପିଲାମାନେ ଫେସବୁକ୍‌, ଟୁଇଟର,ହ୍ୱାଟସ୍‌ଆପ୍‌, ଇନଷ୍ଟାଗ୍ରାମ,ୟୁଟ୍ୟୁବ,ସ୍ନାପଚାଟ, ଟିକଟକ ଓ ଟେଲିଗ୍ରାମ ଭଳି ସୋସିଆଲ ମିଡିଆ ପ୍ଳାଟଫର୍ମ ଆଉ ବ୍ୟବହାର କରିପାରିବେ ନାହିଁ । ଏଥିପାଇଁ ଆଇନ ଆଣିବାକୁ ଯାଉଛନ୍ତି ସରକାର । ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । 

ଦେଶବାସୀଙ୍କୁ ନବବର୍ଷର ବାର୍ତ୍ତା ଦେଇ ସେ କହିଛନ୍ତି, ସୋସିଆଲ ମିଡିଆ ପିଲାମାନଙ୍କୁ ନଷ୍ଟ କରିଦେଉଛି । ସେମାନଙ୍କୁ ରକ୍ଷା କରିବା ଆମର ପ୍ରାଥମିକତା । ଦେଶର ୭୯ ପ୍ରତିଶତ ଲୋକ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ କରାଯିବା ଉପରେ ମତ ଦେଇଛନ୍ତି । ସେଥିପାଇଁ ଚଳିତମାସରେ ହିଁ ସଂସଦରେ ବିଲ୍‌ ଅଣାଯିବ । ଏହା ଗୃହୀତ ହେଲେ ଆସନ୍ତା ସେପ୍ଟେମ୍ବର ମାସରୁ ତାହା କାର୍ଯ୍ୟକାରୀ କରାଯିବ । ସେହିଭଳି ବର୍ତ୍ତମାନ ପ୍ରାଥମିକ ଓ ମାଧ୍ୟମିକ ପିଲାଙ୍କ ଲାଗି ମୋବାଇଲ ଫୋନ୍‌ ବ୍ୟାନ କରାଯାଇଥିଲା ବେଳେ ଆଗକୁ ହାଇସ୍କୁଲ ପିଲାଙ୍କ ଲାଗି ମଧ୍ୟ ତାହା ନିଷିଦ୍ଧ କରାଯିବାର ଯୋଜନା ରହିଛି । ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ ଅଷ୍ଟ୍ରେଲିଆ ପିଲାଙ୍କ ପାଇଁ ସୋସିଆଲ ମିଡିଆ ଉପରେ ବ୍ୟାନ ଲଗାଇଛି । ଦେଶରେ ୧୬ ବର୍ଷରୁ କମ୍‌ ସମୟର ପିଲାମାନେ ସୋସିଆଲ ମିଡିଆ ବ୍ୟବହାର କରିପାରିବେ ନାହିଁ।

ଫ୍ରାନ୍ସ  ୨୦୨୩ ମସିହାରେ ଏକ ଆଇନ ପ୍ରଣୟନ କରିଥିଲା ​​ଯେଉଁଥିରେ ୧୫ ବର୍ଷରୁ କମ୍ ବୟସର ପିଲା ଆକାଉଣ୍ଟ ଖୋଲେ ତେବେ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ ପିତାମାତାଙ୍କ ସମ୍ମତି ନେବାକୁ ପଡିବ। କିନ୍ତୁ, ବୈଷୟିକ ଚ୍ୟାଲେଞ୍ଜ ଯୋଗୁଁ, ଏହି ଆଇନ ସଠିକ୍ ଭାବରେ କାର୍ଯ୍ୟକାରୀ ହୋଇପାରି ନାହିଁ। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ପ୍ରାୟତଃ ଯୁବପିଢ଼ିଙ୍କ ମଧ୍ୟରେ ହିଂସା ପାଇଁ ସୋସିଆଲ ମିଡିଆକୁ ଦାୟୀ କରିଛନ୍ତି। ତାଙ୍କ ନୂତନ ବର୍ଷର ଅଭିଭାଷଣରେ, ସେ ଲୋକମାନଙ୍କୁ ସେମାନଙ୍କ ପିଲାମାନଙ୍କୁ ସୋସିଆଲ ମିଡିଆ ଏବଂ ସ୍କ୍ରିନରୁ ସୁରକ୍ଷା ଦେବାକୁ ଅନୁରୋଧ କରିଥିଲେ।